Latest Odisha News

୨୦୨୪ ରେ ବିଜେପିକୁ ଜିତାଇବ କି ରାମମନ୍ଦିର?

ଭୁବନେଶ୍ୱର: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନଗୁଡିକ ପାଇଁ କଂଗ୍ରେସ ଆଗ୍ରେସିଭ ଢଙ୍ଗରେ ଆଗଉଥିବା ବେଳେ ବିଜେପି ପାଇଁ ଏହା ଚିନ୍ତାର କାରଣ ସାଜିଥିବା କୁହାଯାଉଛି। ଦରଦାମ ବୃଦ୍ଧି ଉପରେ ରୋକ ଲାଗୁ ନ ଥିବାବେଳେ କଂଗ୍ରେସ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ସ୍କିମ ଦ୍ୱାରା ଲୋକଙ୍କୁ ଲାଭ ଦେବା କାମକୁ ତୀଵ୍ର କରିଛି।

ଏଭଳି ସ୍ଥିତିରେ ଆଗାମୀ ନିର୍ବାଚନରେ ବିଜେପି କିଭଳି ଆଗେଇବ ତାକୁ ନେଇ ରଣନୀତି ପ୍ରସ୍ତୁତ କରୁଛି। କେନ୍ଦ୍ରର ବିଜେପି ସରକାର ପିଏମ କିଷାନ ସମ୍ମାନ ନିଧି ଯୋଜନା, ପିଏମ ଆବାସ ଯୋଜନା, ଉଜ୍ଵଲା ଯୋଜନା, ଆୟୁସ୍ମାନ ଓ ସ୍ୱନିଧି ଯୋଜନା ଗୁଡିକ ଉପରେ ସମୀକ୍ଷା କରୁଥିବା କୁହାଯାଉଛି।

ତେଣୁ ଆଗାମୀ ନିର୍ବାଚନରେ କଂଗ୍ରେସକୁ ଟକ୍କର ଦେବା ପାଇଁ ରୋଜଗାର, ଗରିବ କଲ୍ୟାଣ ଯୋଜନା ଏବଂ ହିନ୍ଦୁତ୍ୱକୁ ଅସ୍ତ୍ର କରିବାକୁ ଯୋଜନା ହେଉଛି। ଗରିବ କଲ୍ୟାଣ ଯୋଜନାକୁ ବ୍ୟାପକ କରିବା ସହ ଚଳିତ ମାସ ଡିସେମ୍ବର ସୁଦ୍ଧା ୧୦ ଲକ୍ଷ ଯୁବକଙ୍କୁ ସରକାରୀ ଚାକିରୀ ଦେବା ପାଇଁ ପ୍ରସ୍ତୁତି ହେଉଥିବା ସୂଚନା ମିଳିଛି।

କେନ୍ଦ୍ରର ବିଜେପି ସରକାର ଦ୍ୱାରା ଦିଆଯାଉଥିବା ପିଏମ କିଷାନ ସମ୍ମାନ ନିଧିର ରାଶିକୁ ବଢାଯିବା ସହ ଉଜ୍ବଲା ଯୋଜନା ଅଧୀନରେ ଅଧିକ ଲୋକଙ୍କୁ ଗ୍ୟାସ ଯୋଗାଣ ନେଇ ଚିନ୍ତା କରାଯାଉଛି। ଉଜ୍ବଲା ଯୋଜନାରେ ଏ ଯାଏ ୯ କୋଟିରୁ ଅଧିକ ପରିବାରକୁ ମାଗଣା ଗ୍ୟାସ ସିଲିଣ୍ଡର ସହ ଚୁଲା ମଧ୍ୟ ଉପଲବ୍ଧ କରାଯାଇଛି।

ସେହିପରି ପିଏମ ଆବାସ ଯୋଜନାରେ ଆଉ ଦୁଇ କୋଟି ନୂଆ ଘର ଦିଆଯିବାକୁ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି। କଂଗ୍ରେସ ଏଭଳି ବହୁ ଗ୍ୟାରେଣ୍ଟି ଓ ସ୍କିମ ଘୋଷଣା କରି ବଡ଼ ବିଜୟ ହାସଲ କରିଛି ।ହିମାଚଳ ଓ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଏହାର ଉଦାହରଣ।

ତେଣୁ ଏସବୁ ବର୍ଗଙ୍କୁ ଆକର୍ଷିତ କରିବା ପାଇଁ ବିଜେପି ବିଭିନ୍ନ ସ୍କିମରେ ଲୋକଙ୍କୁ ଅଧିକ ଲାଭ ଦେଇପାରେ। ଏପରିକି ହିନ୍ଦୁତ୍ୱ ଉପରେ ମଧ୍ୟ ବିଜେପିର ବଡ଼ ନଜର ରହିଛି।

୨୦୨୪ ଜାନୁୟାରୀ ମାସରେ ରାମମନ୍ଦିର ଉଦଘାଟନ ହୋଇପାରେ ବୋଲି ଆଲୋଚନା ହେଉଛି। ଯାହାକୁ ନେଇ ଦେଶବ୍ୟାପି ଏକ ମାହୋଲ ତିଆରି କରିବାକୁ ଦଳ ଯୋଜନା କରୁଛି ବୋଲି ଚର୍ଚ୍ଚା ହେଉଛି।

ଏପରିକି ବିଜେପି ମୁସଲମାନ ବର୍ଗକୁ ନିଜ ଆଡକୁ ଟାଣିବା ପାଇଁ ମଧ୍ୟ ସ୍ୱତନ୍ତ୍ର ରଣନୀତି ସହ ଆଗଉଛି ବୋଲି କୁହାଯାଉଛି। ତେଣୁ ବିରୋଧୀଙ୍କୁ ଟକ୍କର ଦେବାକୁ ବିଜେପି ନିଜକୁ ପ୍ରସ୍ତୁତ କରୁଛି।

Leave A Reply

Your email address will not be published.