Latest Odisha News

BREAKING NEWS

ଭାଷାକୁ ନେଇ ୨ ରାଜ୍ୟ ମଧ୍ୟରେ ସୀମା ଯୁଦ୍ଧ, ନେତା କହିଲେ- ‘କର୍ଣ୍ଣାଟକରେ ମିଶିବ ମୁମ୍ବାଇ’

ନୂଆଦିଲ୍ଲୀ: ମହାରାଷ୍ଟ୍ର-କର୍ଣ୍ଣାଟକ ୨ ରାଜ୍ୟ ମଧ୍ୟରେ ସୀମା ବିବାଦ ନେଇ ନେତାଙ୍କ ବୟାନ ବାଜି ତେଜିବାରେ ଲାଗିଛି । ମହାରାଷ୍ଟ୍ର ସୀମାକୁ ଲାଗି ରହିଥିବା କର୍ଣ୍ଣାଟକର ମରାଠୀ ଭାଷାଭାଷୀ ଅଞ୍ଚଳ ବାସୀଙ୍କ ଉପରେ ଅତ୍ୟାଚାର କରାଯାଉଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅଭିଯୋଗ କରିଛନ୍ତି ।

ଏହାର ଜବାବରେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାୱଦୀ କହିଛନ୍ତି- କର୍ଣ୍ଣାଟକର ମରାଠୀ ଭାଷାଭାଷୀ ଲୋକ ମୁମ୍ବାଇକୁ କର୍ଣ୍ଣାଟକରେ ସାମିଲ୍ କରିବାକୁ ଇଚ୍ଛା ରଖିଛନ୍ତି । ସୂଚନାଯୋଗ୍ୟ ମହାରାଷ୍ଟ୍ର-କର୍ଣ୍ଣାଟକ ମଧ୍ୟରେ ଭାଷାକୁ ନେଇ ସୀମା ବିବାଦ ବେଶ୍ ପୁରୁଣା । କର୍ଣ୍ଣାଟକର ବେଲଗାମ, କରୱାର ନିପ୍ପନି ସହିତ ଅନ୍ୟ କେତେକ ଅଞ୍ଚଳରେ ମହାରାଷ୍ଟ୍ର ଭାଷା ଆଧାରରେ ନିଜର ବୋଲି ଦାବି କରୁଛି । ୨ ରାଜ୍ୟ ମଧ୍ୟରେ ଭାଷାକୁ ନେଇ ସୀମା ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଛି ।

କଣ କହିଲେ ଉଦ୍ଧବ ?

ଦୁଇ ରାଜ୍ୟ ମଧ୍ୟରେ ଥିବା ସୀମା ବିବାଦ ଉପରେ ଲିଖିତ ବହି ଉନ୍ମୋଚନ ବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପୁଣି ପ୍ରସଙ୍ଗକୁ ତାଜା କରିଛନ୍ତି । କର୍ଣ୍ଣାଟକରେ ମରାଠୀ ଭାଷୀ ରହୁଥିବା ଅଞ୍ଚଳରେ ସରକାର ଅତ୍ୟାଚର କରୁଥିବା ଉଦ୍ଧବ କହିଥିଲେ । ସେ କହିଥିଲେ- ଉକ୍ତ ଅଞ୍ଚଳକୁ ମହାରାଷ୍ଟ୍ରରେ ସାମିଲ୍ ଲାଗି ଜିତିବା ପାଇଁ ଲଢ଼ିବାକୁ ପଡ଼ିବ । ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଚାଲିଥିବା ବେଳେ କର୍ଣ୍ଣାଟକ ବେଲଗାମର ନାମ ପରିବର୍ତ୍ତନ କରି ତାକୁ ରାଜ୍ୟର ଦ୍ୱିତୀୟ ରାଜଧାନୀ ଘୋଷଣା କରିବା ସହ ସେଠାରେ ବିଧାନ ପରିଷଦର କୋଠା ନିର୍ମାଣ କରାଯାଇଛି । ସେଠାରେ ପରିଷଦର ଅଧିବେଶନ ବସୁଛି । ଯାହାକୁ ଅଦାଲତ ଅବମାନନା ବୋଲି କହିଛନ୍ତି ଉଦ୍ଧବ ।

‘କର୍ଣ୍ଣାଟକରେ ମିଶିବ ମୁମ୍ବାଇ’

କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାୱଦୀ ଉଦ୍ଧବଙ୍କ ମନ୍ତବ୍ୟର ଜବାବରେ କହିଛନ୍ତି- ମରାଠୀ ଭାଷୀ ଲୋକ ମୁମ୍ବାଇକୁ କର୍ଣ୍ଣାଟକରେ ସାମିଲ୍ କରିବାକୁ ଚାହାଁନ୍ତି । ଉକ୍ତ ଲୋକମାନଙ୍କ ସହ ମୁଁ ବି ମୁମ୍ବାଇକୁ କର୍ଣ୍ଣାଟକରେ ମିଶାଇବା ଲାଗି ଦାବି କରୁଛି । ଏଥିସହ ମିଶ୍ରଣ ନହେବା ପର୍ଯ୍ୟନ୍ତ ମୁମ୍ବାଇକୁ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ସାୱଦୀ ।

ବିବାଦ କଣ ?

ଦୁଇ ରାଜ୍ୟ ମଧ୍ୟରେ ଚାଲିଥିବା ସୀମା ବିବାଦ ସ୍ୱାଧୀନତା ପୂର୍ବର । ୧୯୫୬ରେ ଭାଷାଭିତ୍ତିରେ ରାଜ୍ୟ ଗଠନ ପରେ ସୀମା ବିବାଦ ବଢ଼ିଯାଇଛି । ବିବାଦକୁ ନେଇ ମହାରାଷ୍ଟ୍ର ଏକୀକରଣ ସମିତି ଗଠନ କରିଛି । କର୍ଣ୍ଣାଟକର ବେଲଗାମ, କରୱାର ଓ ନିପ୍ପଣୀ ସହ ଅନ୍ୟ କେତେକ ଅଞ୍ଚଳ ନିଜର ବୋଲି ଭାଷା ଆଧାରରେ ଦାବି କରିଆସୁଛି ମହାରାଷ୍ଟ୍ର ।

Leave A Reply

Your email address will not be published.