Latest Odisha News

ଅଶ୍ଳୀଳ ଭିଡିଓ ସୁଟିଂ ମାମଲାରେ ରାଜ୍‌ଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ

ନୂଆଦିଲ୍ଲୀ : ସମସ୍ୟାରେ ପଡ଼ିଲେ ବଲିଉଡ ସୁନ୍ଦରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ୍‌ କୁନ୍ଦ୍ରା । ରାଜ୍‌ କୁନ୍ଦ୍ରାଙ୍କ ପିଛା ଛାଡ଼ିବାର ନାଁ ଧରୁନି  ସମସ୍ୟା । ଅଶ୍ଳୀଳ ଭିଡିଓ ଉତ୍ତୋଳନ ମାମଲାରେ ରାଜ୍‌ କୁନ୍ଦ୍ରା, ଶର୍ଲିନ ଚୋପ୍ରା ଓ ପୁନମ ପାଣ୍ଡେଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଛି ମହାରାଷ୍ଟ୍ର ସାଇବର ପୁଲିସ ।

ରାଜ କୁନ୍ଦ୍ରା ପାଞ୍ଚ ତାରକା ହୋଟେଲରେ ଅଶ୍ଳୀଳ ଚଳଚ୍ଚିତ୍ର ଶୁଟିଂ କରି ଓଟିଟି ପ୍ଲାଟଫର୍ମକୁ ବିକ୍ରି କରି କୋଟି କୋଟି ଟଙ୍କା ଆୟ କରିଥିବା ସାଇବର ସେଲ କହିଛି  । ଏହାକୁ ଆଧାର କରି ସାଇବର ସେଲ୍ ରାଜ କୁନ୍ଦ୍ରା, ମଡେଲ ଶର୍ଲିନ୍ ଚୋପ୍ରା, ପୁନମ୍ ପାଣ୍ଡେ, ଚଳଚ୍ଚିତ୍ର ନିର୍ମାତା ମୀତା ଝୁନଝୁନୱାଲା ଏବଂ କ୍ୟାମେରାମ୍ୟାନ୍ ରାଜୁ ଦୁବେଙ୍କ ବିରୋଧରେ ୪୫୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ।

ଚାର୍ଜସିଟରେ କୁହାଯାଇଛି ଯେ, ବନାନା ପ୍ରାଇମ ଓଟିଟିର ସୁବାଜିତ ଚୌଧୁରୀ ଏବଂ ରାଜ କୁନ୍ଦ୍ରାଙ୍କ କର୍ମଚାରୀ ଉମେଶ କାମଥଙ୍କୁ ମଧ୍ୟ ଲଣ୍ଡନ ସ୍ଥିତ କମ୍ପାନୀ ‘ହଟ୍‌ସଟ୍‌’ର ପରିଚାଳକ ଭାବରେ ନାମିତ କରାଯାଇଛି। ଏଥିସହ ସୁବାଜିତ ଚୌଧୁରୀ ଓ ଉମେଶ କାମଥଙ୍କ ବିରୋଧରେ ଅଶ୍ଳୀଳ ୱେବସିରିଜ୍‌ ‘ପ୍ରେମ ପଗଲାନୀ’ ତିଆରି କରିବା ଏବଂ ଓଟିଟିରେ ଅପ୍‌ଲୋଡ୍‌ କରିବାର ଅଭିଯୋଗ ହୋଇଛି।

ସେପଟେ, ପୁନମ୍ ପାଣ୍ଡେଙ୍କ ବିରୋଧରେ ନିଜର ମୋବାଇଲ୍ ଆପ୍ ‘ଦି ପୁନମ୍ ପାଣ୍ଡେ’ ଡେଭଲପ୍‌ କରିବା, ରାଜ କୁନ୍ଦ୍ରାଙ୍କ କମ୍ପାନୀ ସହାୟତାରେ ଭିଡିଓ ଶୁଟିଂ କରିବା, ଅପଲୋଡ୍ ଏବଂ ପ୍ରସାରଣ କରିଥିବା ଅଭିଯୋଗ ହୋଇଛି। ସାଇବର ପୁଲିସର ସୂଚନାନୁସାରେ, କ୍ୟାମେରାମ୍ୟାନ୍ ରାଜୁ ଦୁବେ ଶର୍ଲିନ୍ ଚୋପ୍ରାଙ୍କ ଭିଡିଓ ଶୁଟିଂ କରିଥିବାବେଳେ ଝୁନଝୁନୱାଲାଙ୍କ ବିରୋଧରେ ଶର୍ଲିନଙ୍କ ପାଇଁ କାହାଣୀ ଲେଖିବା, ନିର୍ଦ୍ଦେଶନା ଦେବାରେ ସାହାଯ୍ୟ କରିଥିବା ଅଭିଯୋଗ ହୋଇଛି।

ଚାର୍ଜସିଟରେ ଏହା ମଧ୍ୟ କୁହାଯାଇଛି ଅଶ୍ଳୀଳ ଫିଲ୍ମ ଶୁଟିଂ ମାମଲାରେ ରାଜ କୁନ୍ଦ୍ରାଙ୍କ କମ୍ପାନୀ ‘ଆର୍ମସ୍‌ପ୍ରାଇମ’କୁ ଏହି ସମସ୍ତ ଅଭିଯୁକ୍ତଙ୍କଠାରୁ ଟଙ୍କା ମିଳିଥିଲା । ତେଣୁ ଚାର୍ଜସିଟରେ ଏହି କମ୍ପାନୀ ବିରୋଧରେ ଅପରାଧରେ ସାହାଯ୍ୟ କରୁଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ପୁଲିସ ଏହି ମାମଲାରେ ଏବେ ଆହୁରି କିଛି ମଡେଲଙ୍କୁ ଖୋଜୁଛି, ଯେଉଁମାନେ ବୋଲ୍ଡ ଫିଲ୍ମରେ କାମ କରିଛନ୍ତି।

 

Leave A Reply

Your email address will not be published.