Latest Odisha News

BREAKING NEWS

ଘଟଗାଁ ପୀଠରେ ମହାଷ୍ଟମୀ; ଆଜି ମଧ୍ୟରାତ୍ରୀରେ ହେବ ଏହି ବିଶେଷ ଉପଚାର ପୂଜା

ଘଟଗାଁ: ପବିତ୍ର ମହାଷ୍ଟମୀ ଅବସରରେ ଚଳଚଞ୍ଚଳ ହୋଇଉଠିଛି ଘଟଗାଁର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀଙ୍କ ପୀଠ । ସମସ୍ତ ଶକ୍ତିପୀଠ ଗୁଡିକରେ ଆଜି ନବମୀ ପାଳନ ହୋଇଥିବା ବେଳେ ମା’ତାରିଣୀଙ୍କ ପୀଠରେ ପାଳନ କରାଯାଇଛି ମହାଷ୍ଟମୀ ପୂଜା ।

କଳିଯୁଗରେ ଦୁର୍ଗାଙ୍କ ଅବତାର କୁହାଯାଉଥିବା କରୁଣାମୟୀ ତାରିଣୀ ଆଜି ଭକ୍ତମାନଙ୍କୁ ମହାଗୌରୀ ରୂପରେ ଦର୍ଶନ ଦେଇଛନ୍ତି । ନବରାତ୍ରର ଆରମ୍ଭ ଠାରୁ ମାଆଙ୍କ ଭିନ୍ନଭିନ୍ନ ରୂପର ଦର୍ଶନ ପାଇଁ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବା ବେଳେ ବିଜୟାଦଶମୀ ଯାଏଁ ଏହିଭଳି ଭିଡ଼ ଲାଗି ରହିବ ବୋଲି ସୂଚନା ମିଳିଛି ।

ଆଜି ମାଆଙ୍କ ମହାଗୌରୀ ବେଶ ଦର୍ଶନ କରିବା ଲାଗି ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ।

ଏହିପୀଠରେ ଏକ ସ୍ୱତନ୍ତ୍ର ପୂଜାରୀତି ରହିଛି । ଆଜିର ମହାଷ୍ଟମୀ ଏବଂ ଆସନ୍ତା କାଲିର ନବମୀ ପୂଜା ମଧ୍ୟରେ ମାଆଙ୍କ ସିଦ୍ଧି ପୂଜା ଅନୁଷ୍ଟିତ ହୋଇଥାଏ ଏବଂ ସିଦ୍ଧି ହେବା ପରେ ମାଆଙ୍କ ନିକଟରେ ନବମୀ ପୂଜା ଆରମ୍ଭ ହୋଇଥାଏ । ଦେହୁରୀ ମାନଙ୍କ ଦ୍ବାରା ମା’ଙ୍କର ସ୍ନାନ ଓ ବଡସିଂହାର କାର୍ଯ୍ୟ ସମାପନ କରାଯାଇଥାଏ । ଯଥା ବିଧିରେ ପୂଜା, ସକାଳ ମଙ୍ଗଳ ଆଳତୀ କରାଯାଇ ମା’ଙ୍କର ସୁନାବେଶ ଅନୁଷ୍ଠିତ ହୋଇଥାଏ । ମା’ଙ୍କର ଏହି ବେଶ ଦର୍ଶନ କରିବା ପାଇଁ ସକାଳୁ ହଜାର ହଜାର ଶ୍ରଦ୍ଧାଳୁଙ୍କର ଧାଡି ଲମ୍ବିଥାଏ ।

ମିଳିଥିବା ସୂଚନା ଅନୁସାରେ ଏଠାକାର ପ୍ରଶାସନ ପକ୍ଷରୁ ମନ୍ଦିର ପ୍ରାଙ୍ଗଣରେ ଏକ ମଣ୍ଡପ ମଧ୍ୟ ସ୍ଥାପନ କରାଯାଇଛି । ଯେଉଁଠାରେ ଅଷ୍ଟମୀ ଠାରୁ ଦଶମୀ ଯାଏଁ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ ।

Leave A Reply

Your email address will not be published.