Latest Odisha News

‘ଝାରସୁଗୁଡ଼ା ଉପନିର୍ବାଚନ’ ଖରା ତାତିକୁ ତାତୁଛି ପ୍ରଚାର

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏବେ ଫୋକସରେ ରହିଛି ପ୍ରଚାର। ସାଧାରଣ ନିର୍ବାଚନ ପୂର୍ବରୁ ଝାରସୁଗୁଡ଼ା ଉପନିର୍ବାଚନ ବହୁ ଗୁରୁତ୍ୱ ରଖୁଥିବାରୁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଭଲ ପ୍ରଦର୍ଶନ ପାଇଁ ଅଣ୍ଟା ଭିଡିଛନ୍ତି।

ପ୍ରାର୍ଥୀପତ୍ର ଦାଖଲ ବେଳେ ବିଜେଡି ନିଜର ଦମ ଦେଖାଇଥିବା ବେଳେ ଜୋରଦାର ପ୍ରଚାର ଆରମ୍ଭ କରିଛି। ପ୍ରଚାରର ସବୁ ମାଧ୍ୟମକୁ ବ୍ୟବହାର କରିଛି ଦଳ। ବିଜେଡି ନେତାମାନେ ବିଭିନ୍ନ ଅଂଚଳରେ ପ୍ରଚାର ମଙ୍ଗ ସମ୍ଭାଳିଥିବାବେଳେ ନବ ଦାସଙ୍କ ଅନୁଗତ ମାନେ ମଧ୍ୟ ଆକ୍ଟିଭ ହୋଇଛନ୍ତି।

ନିଜେ ବିଜେଡି ପ୍ରାର୍ଥୀ ଦୀପାଳି ପ୍ରଚାରକୁ ଜୋରଦାର କରିଛନ୍ତି। ଶାସକ ବିଜେଡି ପାଇଁ ଏହି ଉପନିର୍ବାଚନ ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ନବଙ୍କ ହତ୍ୟା ପରେ ବିରୋଧୀ ଶାସକ ବିଜେଡିକୁ କାଠଗଡାକୁ ଟାଣିଥିବା ବେଳେ ଆଇନଶୃଙ୍ଖଳା ସ୍ଥିତି ନେଇ ଟାର୍ଗେଟ କରିଛନ୍ତି।

ତେଣୁ ଝାରସୁଗୁଡ଼ାରେ ଭଲ ଭୋଟ ପାଇଲେ ବିରୋଧୀଙ୍କ ଅଭିଯୋଗର ଯେ କିଛି ପ୍ରଭାବ ପଡୁନି ଏ ବାର୍ତା ତୃଣମୂଳ ସ୍ତରକୁ ଯିବ। ତେଣୁ ଭଲ ବ୍ୟବଧାନରେ ବିଜୟ ପାଇଁ ଦଳ ଲାଗିପଡିଛି।

ସେପଟେ କଂଗ୍ରେସ ମଧ୍ୟ ଝାରସୁଗୁଡ଼ାରେ ସମ୍ମାନ ରକ୍ଷା ପାଇଁ ଉଦ୍ୟମ କରୁଥିବା କୁହାଯାଉଛି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଉପନିର୍ବାଚନରେ କଂଗ୍ରେସ ମୁଖ୍ୟ ବିରୋଧୀ ବିଜେପିକୁ ତୃତୀୟ ସ୍ଥାନକୁ ଠେଲି ଦ୍ଵିତୀୟ ସ୍ଥାନରେ ରହିଥିଲା। ତେଣୁ ଝାରସୁଗୁଡ଼ାରେ ଆହୁରି ଭଲ ପ୍ରଦର୍ଶନ ପାଇଁ ଦଳ ଉଦ୍ୟମ କରୁଛି।

ସେଥିପାଇଁ ଷ୍ଟାର ପ୍ରଚାରକ ଭାବେ ଦଳ କହ୍ନେୟା କୁମାରଙ୍କୁ ରଖିଛି। ଏଥିସହିତ ଦଳର ଅନ୍ୟ ବରିଷ୍ଠ ନେତାମାନେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ସେପଟେ ବିଜେପି ଆଗାମୀ ସାଧାରଣ ନିର୍ବାଚନରେ ଶାସନ କ୍ଷମତାକୁ ଆସିବ ବୋଲି କହୁଥିବାରୁ ଏହି ଉପନିର୍ବାଚନ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ।

ବ୍ରଜରାଜନଗର ଉପନିର୍ବାଚନରେ ଦଳ ଅମାନତ ହରାଇଥିବା ବେଳେ ଝାରସୁଗୁଡ଼ାରେ କିନ୍ତୁ ଭଲ ପ୍ରଦର୍ଶନ କରିବା ପାଇଁ ଉଦ୍ୟମ ଜୋରଦାର କରିଛି। ଜଣେ ଯୁବ ପ୍ରାର୍ଥୀଙ୍କୁ ଦଳ ମଇଦାନକୁ ଆଣିଥିବା ବେଳେ ପ୍ରଚାରକୁ ବ୍ୟାପକ କରିବାକୁ ଯୋଜନା କରିଛି।

ଏପରିକି ଝାରସୁଗୁଡ଼ା ରାଜନୀତି ଗଣିତକୁ ଏପଟ ସେପଟ କରିବା ପାଇଁ ଦଳ ଯୋଜନା କରୁଛି ବୋଲି କୁହାଯାଇଛି। ତେଣୁ ଝାରସୁଗୁଡ଼ା ବାସୀ କାହାକୁ ବିଶ୍ୱାସକୁ ନେଉଛନ୍ତି ତା ଉପରେ ନଜର।

Comments are closed.