Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତ ବେଳେ ବଡ଼ ଧରଣର ସୁରକ୍ଷା ତ୍ରୁଟି: କାର୍ଯ୍ୟକ୍ରମ ସ୍ଥଳ ନିକଟରୁ ବନ୍ଧୁକ ସହ ୨ ଅଟକ

ମୁମ୍ବାଇ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁମ୍ବାଇ ଗସ୍ତ ସମୟରେ ଏକ ବଡ଼ ଧରଣର ଅଘଟଣକୁ ସଫଳତାର ସହ ଟାଳି ଦିଆଯାଇଛି । କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆୟୋଜିତ ହେଉଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସ୍ଥଳ ନିକଟରୁ ମୁମ୍ବାଇ ପୋଲିସ ଦୁଇ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖିବା ସହ ସେମାନଙ୍କ ନିକଟରୁ ବେଆଇନ ବନ୍ଧୁକ ଜବତ କରିଛି। ଭିଭିଆଇପି ଗସ୍ତ ବେଳେ ଏଭଳି ସାଂଘାତିକ ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହେବା ସହ ପ୍ରଶାସନିକ ସ୍ତରରେ ସୁରକ୍ଷା ବ୍ୟବସ୍ଥାକୁ ତୁରନ୍ତ ଆହୁରି କଡ଼ାକଡ଼ି କରାଯାଇଛି ।

ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ (ବିକେସି) ସ୍ଥିତ ବହୁଚର୍ଚ୍ଚିତ ‘ନୀତା ମୁକେଶ ଅମ୍ବାନୀ କଲଚରାଲ୍ ସେଣ୍ଟର’ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା। ଏହି ହାଇପ୍ରୋଫାଇଲ୍ ଇଭେଣ୍ଟ ପାଇଁ ସମଗ୍ର ବିକେସି ଅଞ୍ଚଳକୁ ସ୍ପେଶାଲ୍ ପ୍ରୋଟେକ୍ସନ୍ ଗ୍ରୁପ୍, ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ ଏବଂ ମୁମ୍ବାଇ ପୋଲିସ ପକ୍ଷରୁ ଏକ ଅଭେଦ୍ୟ ଦୁର୍ଗରେ ପରିଣତ କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ସୁରକ୍ଷାକର୍ମୀମାନେ ସାଧାରଣ ପୋଷାକରେ ନିୟମିତ ଯାଞ୍ଚ କରୁଥିବା ବେଳେ ଉକ୍ତ ଭେନ୍ୟୁ ବାହାରେ ଦୁଇ ଜଣ ବ୍ୟକ୍ତିଙ୍କ ଗତିବିଧି ସନ୍ଦେହଜନକ ମନେ ହୋଇଥିଲା ।

ସେମାନେ ବାରମ୍ବାର କାର୍ଯ୍ୟକ୍ରମ ସ୍ଥଳ ଆଡ଼କୁ ଅଗ୍ରସର ହେବାକୁ ଚେଷ୍ଟା କରୁଥିଲେ। ତୁରନ୍ତ ପୋଲିସ ଏବଂ କ୍ରାଇମ୍ ବ୍ରାଞ୍ଚ୍ ଟିମ୍ ସେମାନଙ୍କୁ ଘେରିଯାଇ ତଲାସୀ ନେବାରୁ ସେମାନଙ୍କ ପାଖରୁ ଗୋଟିଏ ବନ୍ଧୁକ ଏବଂ ଅନ୍ୟାନ୍ୟ ସାମଗ୍ରୀ ମିଳିଥିଲା।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ କାର୍ଯ୍ୟକ୍ରମ ସ୍ଥଳର ଏତେ ନିକଟରେ ମାରଣାସ୍ତ୍ର ଧରି ଏହି ଲୋକମାନେ କିପରି ପହଞ୍ଚିଲେ, ତାହାକୁ ନେଇ କେନ୍ଦ୍ରୀୟ ତଥା ରାଜ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକ ଏବେ ତଦନ୍ତ ଆରମ୍ଭ କରିଛନ୍ତି। ଅଟକ ଥିବା ଦୁଇ ଯୁବକଙ୍କୁ ମୁମ୍ବାଇ ପୋଲିସ ଏକ ଅଜ୍ଞାତ ସ୍ଥାନରେ ରଖି ଘନଘନ ଜେରା କରୁଛି। ସେମାନଙ୍କର ପ୍ରକୃତ ପରିଚୟ କ’ଣ, ସେମାନେ କେଉଁ ଉଦ୍ଦେଶ୍ୟରେ ବନ୍ଧୁକ ଧରି ସେଠାକୁ ଆସିଥିଲେ ଏବଂ ଏହା ପଛରେ କୌଣସି ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ର ବା ଲିଙ୍କ୍ ରହିଛି କି ନାହିଁ, ସେ ନେଇ ଗୁଇନ୍ଦା ବିଭାଗ ତନାଘନା କରୁଛି। ଏଥିସହ ସେମାନଙ୍କର ସ୍ଥାନୀୟ ଅପରାଧିକ ରେକର୍ଡ ମଧ୍ୟ ଯାଞ୍ଚ କରାଯାଉଛି ।

ସୁରକ୍ଷାକର୍ମୀଙ୍କ ଆଗୁଆ ତତ୍ପରତା ଯୋଗୁଁ ଦେଶର ପ୍ରଧାନମନ୍ତ୍ରୀଙ୍କ ଉପରେ ଆସିଥିବା ଏକ ସମ୍ଭାବ୍ୟ ବିପଦକୁ ଏଡ଼ାଇ ଦିଆଯାଇପାରିଛି ବୋଲି କୁହାଯାଉଛି। ଏହି ଘଟଣା ପରେ ସମଗ୍ର ମୁମ୍ବାଇ ସହର, ବିଶେଷକରି ବିକେସି ଏବଂ ଏହାର ଆଖପାଖ ଭିଭିଆଇପି ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଥିଲା। ସହରର ବିଭିନ୍ନ ପ୍ରବେଶ ପଥ, ରେଳ ଷ୍ଟେସନ୍ ଏବଂ ହୋଟେଲଗୁଡ଼ିକରେ ତନତନ କରି ଯାଞ୍ଚକୁ ଆହୁରି କଡ଼ାକଡ଼ି କରାଯିବା ସହ ସାଧାରଣ ଲୋକଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ତେବେ ଏହି ଉତ୍ତେଜନାପୂର୍ଣ୍ଣ ସ୍ଥିତି ଓ ସୁରକ୍ଷା ଛକାପଞ୍ଝା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ନିରାପଦରେ ଓ ସୁରୁଖୁରୁରେ ସମ୍ପନ୍ନ ହୋଇଥିବା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Leave A Reply

Your email address will not be published.