ପୁରୀ: ଦ୍ୱାଦଶ ଶତାବ୍ଦୀର ପବିତ୍ର ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ଏକ ବଡ଼ ପ୍ରଶ୍ନଚିହ୍ନ ସୃଷ୍ଟି ହୋଇଛି । ସୋମବାର ଦିନ ଜଣେ ଅଚିହ୍ନା ଯୁବକ ଶ୍ରୀମନ୍ଦିରର କଡ଼ା ସୁରକ୍ଷା ବଳୟକୁ ଭେଦ କରି ସିଧାସଳଖ ମନ୍ଦିର ଉପରକୁ ଚଢ଼ିଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମନ୍ଦିର ପରିସରରେ ଥିବା ସେବାୟତ ଏବଂ ଶ୍ରଦ୍ଧାଳୁମାନେ ହଠାତ୍ ଜଣେ ବ୍ୟକ୍ତିଙ୍କୁ ମନ୍ଦିର ଉପରେ ବୁଲୁଥିବାର ଦେଖି ଆତଙ୍କିତ ହୋଇପଡ଼ିଥିଲେ ।
ଘଟଣା ସମ୍ପର୍କରେ ତୁରନ୍ତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଏବଂ ସିଂହଦ୍ୱାର ଥାନା ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇବା ମାତ୍ରେ ପୋଲିସ ଓ ମନ୍ଦିର ପ୍ରଶାସନର ଏକ ମିଳିତ ଟିମ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ବେଶ୍ କିଛି ସମୟର ଉଦ୍ୟମ ପରେ ଯୁବକ ଜଣଙ୍କୁ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇ ଆଣିବାରେ ସେମାନେ ସଫଳ ହୋଇଥିଲେ। ଏହାପରେ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ନିଜ ହେପାଜତକୁ ନେଇ ସିଂହଦ୍ୱାର ଥାନାରେ ଅଟକ ରଖି ପଚରାଉଚରା କରୁଛି ।
ତେବେ ଉକ୍ତ ଯୁବକ ଜଣକ କିଏ, ସେ କେଉଁଠାରୁ ଆସିଛନ୍ତି ଏବଂ କେଉଁ ଉଦ୍ଦେଶ୍ୟରେ ମନ୍ଦିର ଉପରକୁ ଚଢ଼ିଥିଲେ, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ପୋଲିସର ପ୍ରାଥମିକ ଅନୁମାନ ଅନୁଯାୟୀ, ଯୁବକ ଜଣକ ମାନସିକ ସ୍ତରରେ ବିକୃତ ବା ଅସ୍ଥିର ଥାଇପାରନ୍ତି। କିନ୍ତୁ ଶ୍ରୀମନ୍ଦିର ଚାରିପଟେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଏବଂ ସିସିଟିଭି କ୍ୟାମେରାର କଡ଼ା ନଜର ଥିବା ସତ୍ତ୍ୱେ ଜଣେ ବ୍ୟକ୍ତି କିପରି ସୁରକ୍ଷାକର୍ମୀଙ୍କ ଆଖିରେ ଧୂଳି ଦେଇ ମନ୍ଦିର ଉପରକୁ ଚଢ଼ିଗଲେ, ତାହା ତଦନ୍ତର ମୁଖ୍ୟ ବିଷୟ ପାଲଟିଛି ।
