Latest Odisha News

BREAKING NEWS

ଦ୍ୱିତୀୟ ପର୍ଯ୍ୟାୟ ପ୍ରବେଶ ପାଇଁ ୧୫୦୦୦ ତୀର୍ଥଯାତ୍ରୀଙ୍କୁ ମିଳିଲା ଅନୁମତି; ହଜ୍‌ ଯାତ୍ରା

ନୂଆଦିଲ୍ଲୀ: ସାତ ମାସ ପରେ ସାଉଦି ଆରବ ଇସଲାମ୍‌ ଧର୍ମର ସବୁଠାରୁ ପବିତ୍ର ସ୍ଥାନ ମକ୍କାକୁ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି। ଏହା ବ୍ୟତୀତ ହଜ୍‌ ତୀର୍ଥଯାତ୍ରୀଙ୍କ ସଂଖ୍ୟା ୧୫୦୦୦କୁ ବୃଦ୍ଧି କରାଯାଇଛି। ମହାମାରୀ କରୋନା ଯୋଗୁ ବର୍ଷସାରା ଚାଲୁଥିବା ହଜ୍‌ ଯାତ୍ରାକୁ ବନ୍ଦ ରଖାଯାଇଥିଲା। ତେବେ ଜଣେ ଅଧିକାରୀଙ୍କ କହିବା ମୁତାବକ କେବଳ ମାସ୍କ ପିନ୍ଧି ମସ୍‌ଜିଦ ଭିତରେ ପ୍ରାର୍ଥନା କରିବାକୁ ଅନୁମତି ଦିଆଯାଇଛି।

ଏହି ମାସ ଆରମ୍ଭରେ, ଅର୍ଥାତ୍‌ ପ୍ରଥମ ପର୍ଯ୍ୟାୟରେ ସାଉଦି ଆରବ ପ୍ରତିଦିନ ୬୦୦୦ ଲୋକଙ୍କୁ ଉମ୍‌ରା କରିବାକୁ ଅନୁମତି ଦେଇଥିଲା। ତେବେ ଦ୍ୱିତୀୟ ପର୍ଯ୍ୟାୟରେ, ଉମ୍‌ରା ତୀର୍ଥଯାତ୍ରୀଙ୍କ ସଂଖ୍ୟା ଦିନକୁ ୧୫୦୦୦କୁ ବୃଦ୍ଧି କରାଯାଇଛି। ଉମ୍‌ରା ତୀର୍ଥଯାତ୍ରୀଙ୍କ ସମେତ ସର୍ବାଧିକ ୪୦୦୦୦ ଲୋକଙ୍କୁ ମସ୍‌ଜିଦରେ ନମାଜ ପଢିବାକୁ ଅନୁମତି ଦିଆଯିବ।

ତୃତୀୟ ପର୍ଯ୍ୟାୟରେ ଅର୍ଥାତ୍‌ ନଭେମ୍ବର ୨ ତାରିଖରୁ ବିଦେଶରୁ ଆସୁଥିବା ତୀର୍ଥଯାତ୍ରୀଙ୍କୁ ଏଠାରେ ପ୍ରବେଶ ପାଇଁ ଅନୁମତି ମିଳିବ। ଏହାଛଡ଼ା ହଜ୍‌ ଯାତ୍ରୀଙ୍କ ସଂଖ୍ୟା ୨୦୦୦୦କୁ ବୃଦ୍ଧି କରାଯିବ। ମକ୍କା ମସ୍‌ଜିଦରେ ପ୍ରତିଦିନ ୬୦ ହଜାର ଲୋକଙ୍କୁ ପ୍ରାର୍ଥନା କରିବାକୁ ଅନୁମତି ଦିଆଯିବ।

ମସ୍‌ଜିଦରେ ପ୍ରାର୍ଥନା ସମୟରେ ଅନେକ ସତର୍କତା ଅବଲମ୍ବନ କରାଯିବ। ପ୍ରତ୍ୟେକ ଥର ମସ୍‌ଜିଦରେ ଭକ୍ତଙ୍କ ପ୍ରାର୍ଥନା ପରେ ଏହାକୁ ପରିମଳ କରାଯିବ। ଅଧିକାରୀ କହିଛନ୍ତି ଯେ ଏଠାରେ ତୀର୍ଥଯାତ୍ରୀମାନଙ୍କ ଶରୀରର ତାପମାତ୍ରା ମାପିବା ପାଇଁ ଥର୍ମାଲ୍ ସେନ୍ସର ବ୍ୟବସ୍ଥା କରାଯାଇଛି।

ତେବେ ମକ୍କାକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ହଜ୍‌‌ ଯାତ୍ରା କରିଥାନ୍ତି। ଗତ ବର୍ଷ ୨୫ଲକ୍ଷରୁ ଅଧିକ ଲୋକ ହଜ୍ ଯାତ୍ରା କରିଥିଲେ। ସୂଚନାଯୋଗ୍ୟ ସାଉଦି ଆରବରେ ଏପର୍ଯ୍ୟନ୍ତ ୩.୪୨ ଲକ୍ଷ କରୋନା ଆକ୍ରାନ୍ତ ହୋଇଥିବାବେଳେ ୫୧୮୫ ଜଣଙ୍କର ମୃତ୍ୟୁ ହୋଇଛି।

Leave A Reply

Your email address will not be published.