Latest Odisha News

BREAKING NEWS

ମାଲକାନଗିରିରେ ମ୍ୟାଲେରିଆ ଆତଙ୍କ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବଣ୍ଡା ଘାଟି ଅଞ୍ଚଳରେ ମ୍ୟାଲେରିଆ ଭୟ ବୃଦ୍ଧି ପାଇଛି। ଗାଁରୁ ଗାଁକୁ ମ୍ୟାଲେରିଆ ଜ୍ୱର ବ୍ୟାପିବାରେ ଲାଗିଛି। ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପରିସ୍ଥିତିର ସମୀକ୍ଷା କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ଏକ ରାଜ୍ୟସ୍ତରୀୟ ଦଳ ବଣ୍ଡା ଘାଟିରେ ପହଞ୍ଚିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଗମ ଓ ଦୂରବର୍ତ୍ତୀ ଅଞ୍ଚଳରେ ମ୍ୟାଲେରିଆ ପ୍ରତିରୋଧ ପାଇଁ ସ୍ୱାସ୍ଥ୍ୟ ବିଭାଗ କ’ଣ ପଦକ୍ଷେପ ନେଉଛି, ସେଥିପ୍ରତି ଏହି ଦଳ ଗୁରୁତ୍ୱାରୋପ କରିଥିଲା। ଏହା ସହିତ ମ୍ୟାଲେରିଆ ସଂକ୍ରମଣର ବର୍ତ୍ତମାନର ସ୍ଥିତି ମଧ୍ୟ ସମୀକ୍ଷା କରାଯାଇଥିଲା। ଏହି ସମୟରେ ବଣ୍ଡା ଘାଟିର ଦାନ୍ତିପଡ଼ା ଗାଁରେ ଚିହ୍ନଟ ହୋଇଥିବା ଦୁଇ ମ୍ୟାଲେରିଆ ରୋଗୀଙ୍କୁ ମଧ୍ୟ ଏହି ଦଳ ଭେଟିଥିଲା।

ଅଗଷ୍ଟ ମାସରେ ୨୭ ଜଣ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କର ଚିକିତ୍ସା କରାଯାଉଛି। ଅପରପକ୍ଷରେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ମାଲକାନଗିରି ଜିଲ୍ଲାରେ ମ୍ୟାଲେରିଆ ସ୍ଥିତି ଅପେକ୍ଷାକୃତ ଭଲ ରହିଛି ବୋଲି ମାଲକାନଗିରିର ଏଡିପିଏଚ୍‌ଓ (ADPHO) ଡାକ୍ତର ସୌଭାଗ୍ୟ ରଞ୍ଜନ ରଣସିଂହ କହିଛନ୍ତି।

ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ନିୟମିତ ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଏବଂ ସଚେତନତା କାର୍ଯ୍ୟକ୍ରମ ଉପରେ ଅଧିକ ଗୁରୁତ୍ୱ ଦେବାକୁ ରାଜ୍ୟସ୍ତରୀୟ ଦଳ ପରାମର୍ଶ ଦେଇଛି।

Comments are closed.