କୋଲକାତା: ଶନିବାର ରାତିରେ ଲେଜର ବିମ୍ ଦ୍ୱାରା ଆଘାତ ପାଇବା ପରେ ମାଲେସିଆ ଏୟାରଲାଇନ୍ସର ଏକ ବିମାନ କିଛି ସମୟ ପାଇଁ ଆକାଶରେ ଘୂରି ବୁଲିଥିଲା। ବିମାନଟି ୧୫୯ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା ବେଳେ ମଝି ଆକାଶରେ ଏହି ଘଟଣା ଘଟିଛି।
ଲେଜରର ଉଜ୍ଜ୍ୱଳ ଆଲୋକ ଯୋଗୁଁ ପାଇଲଟ୍ କିଛି ସମୟ ଦେଖି ପାରିନଥିଲେ। ଯାହା ଫଳରେ ବିମାନଟି ନିର୍ଦ୍ଧାରିତ ସମୟରେ ଅବତରଣ କରିପାରିନଥିଲା। କିନ୍ତୁ ପରେ ବିମାନଟିକୁ ସୁରକ୍ଷିତ ଅବତରଣ କରାଯାଇଥିଲା ବେଳେ ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି।
ବିମାନ MH-184 ରାତି 11:20 ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବାର ଥିଲା। ବିମାନବନ୍ଦର ସୂତ୍ର ଅନୁସାରେ, ମଧ୍ୟମଗ୍ରାମ-ବାରାସତ ଦିଗରୁ ରନୱେରୁ ପ୍ରାୟ ଆଠ ନଟିକାଲ୍ ମାଇଲ୍ ଦୂରରେ କକପିଟ୍ ଆଡକୁ ଏକ ଉଜ୍ଜ୍ୱଳ ଲେଜର ବିମ୍ ଚମକୁଥିବା ଦେଖାଯାଇଥିଲା।
ଲେଜର ବିମ୍ ସିଧାସଳଖ ପାଇଲଟଙ୍କ ଆଖିରେ ପଡ଼ିଥିଲା, ଯାହା ତାଙ୍କ ଦୃଷ୍ଟିଶକ୍ତିକୁ ପ୍ରଭାବିତ କରିଥିଲା ଏବଂ ତାଙ୍କୁ ଅସ୍ଥାୟୀ ଭାବରେ ଦିଗଭ୍ରଷ୍ଟ କରିଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ବିମାନଟି ତୁରନ୍ତ ଅବତରଣ କରିବାକୁ ଚେଷ୍ଟା କରିନଥିଲା ଏବଂ ଆକାଶରେ ଘୂରି ବୁଲିବା ପରେ ଅବତରଣ ପ୍ରକ୍ରିୟା ପୁଣି ଆରମ୍ଭ କରିଥିଲା। ରାତି ୧୧:୨୫ ସମୟରେ ବିମାନଟି ସୁରକ୍ଷିତ ଭାବରେ ବିମାନବନ୍ଦରରେ ଅବତରଣ କରିଥିଲା।
ଘଟଣା ପରେ ମାଲେସିଆ ଏୟାରଲାଇନ୍ସ ବିମାନବନ୍ଦର ଅଧିକାରୀମାନଙ୍କୁ ସୂଚନା ଦେଇଥିଲା। ବିମାନବନ୍ଦର ପରିଚାଳନା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦର ପୋଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରିଛି। ବିମାନବନ୍ଦର ନିର୍ଦ୍ଦେଶକ ବିକ୍ରମ ସିଂହ କହିଛନ୍ତି ଯେ ବିମାନବନ୍ଦର ପରିସରରେ ଲେଜର ଲାଇଟ୍ ବ୍ୟବହାର ନିଷେଧ ହୋଇଥାଏ।
