Latest Odisha News

BREAKING NEWS

କାହିଁକି ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ବଙ୍ଗ ବାଘୁଣୀ ?

ପଲ୍ଲୀରୁ ଦିଲ୍ଲୀ ସବୁଠି ଖୋଲା ବିଦ୍ରୋହ

କୋଲକାତା: ଗଣତନ୍ତ୍ରରେ ସବୁଠାରୁ ବଡ଼ ସତ୍ୟ ହେଉଛି ‘ପରିବର୍ତ୍ତନ’। କିନ୍ତୁ କୌଣସି ଶକ୍ତିଶାଳୀ ଦଳ କ୍ଷମତାରୁ ହଟିବା ମାତ୍ରେ ଏତେ ଶୀଘ୍ର ଧୂଳିସାତ୍ ହୋଇଯାଇପାରେ, ତାହାର ସବୁଠାରୁ ବଡ଼ ଉଦାହରଣ ସାଜିଛି ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ, TMC। ଯେଉଁ ମମତା ବାନାର୍ଜୀ ୨୦୧୧ ମସିହାରେ ବଙ୍ଗଳାରୁ ୩୪ ବର୍ଷର କମ୍ୟୁନିଷ୍ଟ ଶାସନକୁ ଉପାଡ଼ି ଫିଙ୍ଗି ଦେଇଥିଲେ, ଯାହାଙ୍କୁ ଦେଶର ସବୁଠାରୁ ପ୍ରଭାବଶାଳୀ ନେତ୍ରୀ କୁହାଯାଉଥିଲା, ସେହି ଦିଦି ଆଜି ନିଜ ଦଳକୁ ବଞ୍ଚାଇବା ପାଇଁ ଜୀବନର ସବୁଠାରୁ ବଡ଼ ଲଢ଼େଇ ଲଢ଼ୁଛନ୍ତି। ମାତ୍ର ମାସେ ତଳେ ବିଜେପି ଠାରୁ ହାରିବା ପରେ, ଏବେ ଟିଏମସି ଭିତରେ ଏକ ବଡ଼ ବିଦ୍ରୋହ ଆରମ୍ଭ ହୋଇଯାଇଛି।

ବିଧାନସଭାରୁ ସଂସଦ ସବୁଠି ବିଦ୍ରୋହ
ପରିସ୍ଥିତି ଏଭଳି ହୋଇଛି ଯେ, ନିର୍ବାଚନ ହାରିବାର କିଛି ସପ୍ତାହ ମଧ୍ୟରେ ଟିଏମସିର ପ୍ରାୟ ତିନି-ଚତୁର୍ଥାଂଶ ବିଧାୟକ ମମତା ବାନାର୍ଜୀ ଏବଂ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ବିରୋଧରେ ବିଦ୍ରୋହ କରିଛନ୍ତି। ବିଦ୍ରୋହୀ ବିଧାୟକମାନେ ଦଳର ବିଧାୟକ ଦଳ ଉପରେ କବ୍‌ଜା କରି ନିଜର ନୂଆ ନେତା ବାଛି ସାରିଲେଣି। ଆଉ ଏହି ବିଦ୍ରୋହର ନିଆଁ ଏବେ କଲିକତାରୁ ଯାଇ ଦିଲ୍ଲୀରେ ପହଞ୍ଚିଛି। ଟିଏମସିର ୨୮ ଜଣ ସାଂସଦଙ୍କ ମଧ୍ୟରୁ ପ୍ରାୟ ୨୦ ଜଣ ସାଂସଦ ସ୍ପିକରଙ୍କୁ ଚିଠି ଲେଖି ବିଜେପି ନେତୃତ୍ୱାଧୀନ ମେଣ୍ଟ, NDA ସହ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

ହଠାତ୍ କ୍ଷମତା ଚାଲିଯିବା ପରେ ଟିଏମସିର ସାଂଗଠନିକ ଢାଞ୍ଚା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଯେଉଁ ସ୍ଥାନରେ ଦିଦିଙ୍କର ଏକଚଟିଆ ପ୍ରଭାବ ଥିଲା, ସେଠାରେ ଏବେ ଦଳୀୟ ସଭାରେ ମାତ୍ର ହାତ ଗଣତି ଲୋକ ହେଉଛନ୍ତି।

ତେବେ ରାଜନୈତିକ ସମୀକ୍ଷକଙ୍କ କହିବା କଥା, ଟିଏମସି କେବେ ବି କୌଣସି ଆଦର୍ଶ ବା ଆଇଡିଓଲୋଜି ଉପରେ ଚାଲୁନଥିଲା। ଏହି ଦଳ ମମତାଙ୍କ ବ୍ରାଣ୍ଡ୍ ଭାଲ୍ୟୁ ଏବଂ ସରକାରୀ ପାୱାର ଆଧାରରେ ତିଷ୍ଠି ରହିଥିଲା। ସ୍ଥାନୀୟ ଅଞ୍ଚଳରେ ଦଳକୁ ଚଳାଉଥିଲେ କିଛି ବାହୁବଳୀ ନେତା, ଯେଉଁମାନେ କ୍ଷମତାର ସୁବିଧା ନେଉଥିଲେ। ଏବେ ସରକାର ଚାଲିଯିବା ପରେ ଏବଂ ଭ୍ରଷ୍ଟାଚାର ମାମଲାରେ କେନ୍ଦ୍ରୀୟ ଏଜେନ୍ସିର କଡ଼ା କାର୍ଯ୍ୟାନୁଷ୍ଠାନ ଭୟରେ, ଏହି ସ୍ଥାନୀୟ ନେତାମାନେ ନିଜକୁ ସୁରକ୍ଷିତ ରଖିବା ପାଇଁ ଦଳ ବଦଳାଇବାକୁ ସବୁଠାରୁ ସହଜ ମାଧ୍ୟମ ଭାବୁଛନ୍ତି। ଏଭଳି ସ୍ଥିତିରେ ବିଜେପି ସେମାନଙ୍କ ପାଇଁ ଏକ ବଡ଼ ବିକଳ୍ପ ସାଜିଛି।

ଏତେ ବଡ଼ ସଙ୍କଟ ସତ୍ତ୍ୱେ ୭୧ ବର୍ଷୀୟା ମମତା ବାନାର୍ଜୀ କିନ୍ତୁ ହାର୍ ମାନିବାକୁ ପ୍ରସ୍ତୁତ ନାହାନ୍ତି। ସେ ଏବେ ଘାଇଲା ବାଘୁଣୀ ଭଳି ହେଉଛନ୍ତି, ବିଜେପିର ବିଜୟକୁ ଅବୈଧ ବୋଲି କହୁଛନ୍ତି।

ମମତା ବାନାର୍ଜୀ ବିଦ୍ରୋହୀମାନଙ୍କୁ ସୁବିଧାବାଦୀ ଆଖ୍ୟା ଦେଇ କହିଛନ୍ତି, ଦଳକୁ ପୁଣି ନୂଆ ଭାବେ ଗଢ଼ିବା ପାଇଁ ଆହ୍ବାନ ଦେଇଛନ୍ତି। ଟିଏମସି ନେତାମାନଙ୍କ ପାଇଁ ନୁହେଁ, ବରଂ କର୍ମୀମାନଙ୍କ ପାଇଁ ବୋଲି କହୁଛନ୍ତି ଦିଦି। ସେପଟେ ରାଜନୈତିକ ବିଶେଷଜ୍ଞଙ୍କ କହିବା କଥା, ପରିବାରବାଦ ଏବଂ ଅଭିଷେକ ବାନାର୍ଜୀଙ୍କୁ ଉତ୍ତରାଧିକାରୀ କରିବା ନିଷ୍ପତ୍ତି ହିଁ ଏହି ବିଦ୍ରୋହର ମୂଳ କାରଣ ସାଜିଛି।

ମମତା ବାନାର୍ଜୀ ନିଜ ରାଜନୈତିକ କ୍ୟାରିୟରରେ ଅନେକ ଝଡ଼ର ସାମ୍ନା କରିଛନ୍ତି ଏବଂ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି। କିନ୍ତୁ ଏଥର ଲଢ଼େଇ ସରକାର ଗଢ଼ିବାର ନୁହେଁ, ବରଂ ନିଜ ଘରକୁ ବଞ୍ଚାଇବାର। ଦିଦି ପୁଣି ଥରେ କମବ୍ୟାକ୍ କରିପାରୁଛନ୍ତି ନା ଟିଏମସିର ଅସ୍ତିତ୍ୱ ଇତିହାସ ପାଲଟିଯିବ, ତାହା ଭବିଷ୍ୟତ କହିବ।

Leave A Reply

Your email address will not be published.