ନବରଙ୍ଗପୁର : ଡକାୟତିର ମିଛ କାହାଣୀ ରଚି ଜଣେ ଯୁବକ ଗିରଫ । ଏଭଳି ଘଟଣା ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ନିଳଗୁଣ୍ଡି ଗାଁରେ ଘଟିଛି । ସୁଶାନ୍ତ ହିୟାଲଙ୍କ ପୁଅ ରୁପନ୍ତ ହିୟାଲ ଦଶହରାପଦା ନିକଟରେ ତିନି ଜଣ ଦୁବୃତ୍ତ ତାଙ୍କ ଠାରୁ ମୋଟର ସାଇକଲ , ମୋବାଇଲ ଫୋନ ସହ ୨୭ ହଜାର ଟଙ୍କା ଡକାୟତି କରି ନେଇଥିବା ନବରଙ୍ଗପୁର ସଦର ଥାନାରେ ଅଭିଯୋଗ କରିଥିଲେ ।
ନିଜ ସୁନା ବନ୍ଧକ ରଖିଥିବା ଲୋକଙ୍କ ନିକଟକୁ ସୁନା ମୁକୁଳାଇବା ପାଇଁ ଫୋନରେ ଯୋଗାଯୋଗ କରି ତାଙ୍କ ନିକଟକୁ ଯିବା ସମୟରେ ଏହି ଡକାୟତି ହୋଇଥିବା ଅଭିଯୋଗ କରିଥିଲେ ରୁପନ୍ତ । ତେବେ ପୋଲିସ ତଦନ୍ତ କରିବା ବେଳେ ରୁପନ୍ତ ମିଛ ଅଭିନୟ କରୁଥିବା ଜାଣିବାକୁ ପାଇଥିଲା ।
ବନ୍ଧକ ପଡିଥିବା ସୁନା ମୁକୁଳାଇବା ପାଇଁ ରୂପନ୍ତଙ୍କ ବାପା ତାଙ୍କୁ ୨୭ ହଜାର ଟଙ୍କା ଦେଇଥିଲେ । କିନ୍ତୁ ରୂପନ୍ତ ବନ୍ଧକ ପଡିଥିବା ସୁନା ମୁକୁଳାଇବା ବଦଳରେ ନିଜେ ଋଣ କରିଥିବା ଟଙ୍କା ସୁଝିଦେଇଥିଲେ । ଆଉ ବାପଙ୍କ ନିକଟରୁ ବର୍ତ୍ତିବା ପାଇଁ ଟଙ୍କା ଡକାୟତି ହୋଇଥିବା ନେଇ ମିଛ ଅଭିନୟ କରି ତାକୁ ସତ ପ୍ରମାଣିତ କରିବାକୁ ଯାଇ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରି ସତ୍ୟତା ଜାଣିବା ପରେ ରୁପନ୍ତ ହିୟାଲଙ୍କୁ ଗିରଫ କରିଛି ।
ଏନେଇ ପଡାଲଗୁଡ଼ା ନିକଟସ୍ଥ ଏକ ଜଙ୍ଗଲରୁ ରୂପନ୍ତଙ୍କ ମୋଟର ସାଇକଲକୁ ଜବତ କରିବା ସହ ଏହି ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଥିବା ସେନେଇ ତଦନ୍ତ ଜାରି ରଖିଛି ପୋଲିସ ।
Comments are closed.