Latest Odisha News

BREAKING NEWS

ମିଳିଲାନି ମହାପ୍ରୟାଣ ଗାଡ଼ି, ବାଇକରେ ବୁହାହେଲା ନାବାଳିକାଙ୍କ ମୃତଦେହ

କେନ୍ଦ୍ରାପଡ଼ା: ମୃତଦେହକୁ ମିଳୁନି ସମ୍ମାନ । ମେଡ଼ିକାଲରେ ମହାପ୍ରୟାଣ ଗାଡ଼ି ନମିଳିବାରୁ ବାଇକରେ ବୁହାହେଲା ନାବାଳିକାଙ୍କ ଶବ। ଏହି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ାରେ ।

ଯାହାକି ଲୋକମାନଙ୍କୁ ହତବାକ୍‌ କରିଦେଇଛି। ମହାପ୍ରୟାଣ ଗାଡ଼ି ଥାଉ ଥାଉ ମେଡିକାଲ୍‌ରୁ କିଭଳି ଜଣେ ଆଠବର୍ଷର ଝିଅର ଶବକୁ ବ୍ୟବଚ୍ଛେଦ ପରେ ବାପା ଓ ଦାଦା ବାଇକ୍‌ ମଝି ସିଟ୍‌ରେ ରଖି ନେଇଗଲେ, ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ତେବେ ମେଡ଼ିକାଲରେ ଥିବା ଏହି ମହାପ୍ରୟାଣ ଗାଡ଼ି କାହାପାଇଁ ବୋଲି ସମରଙ୍କ ମୁହଁରେ ପ୍ରଶ୍ନ?

ଡେରାବିଶ ଥାନା ଛଚିଣା ଗ୍ରାମର ସୁନାକର କାଣ୍ତିଙ୍କ ଆଠ ବର୍ଷର ନାବାଳିକା ଝିଅକୁ ବିଷଧର ସାପ କାମୁଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ଝିଅକୁ ମଙ୍ଗଳବାର କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରିବାର ଲୋକ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହାପରେ ନାବାଳିକାଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା। ବ୍ୟବଚ୍ଛେଦ ସରିବା ପରେ କଳାଜରିରେ ଗୁଡ଼ା ଯାଇଥିବା ଝିଅର ଶବକୁ ମଝି ସିଟ୍‌ରେ ରଖି ବାପା ଓ ଦାଦା ବାଇକ୍‌ର ନେଇ ଯାଇଥିଲେ।

ଅନ୍ୟପକ୍ଷରେ CDMO  ଡାକ୍ତର ଅନିତା ପଟ୍ଟନାୟକଙ୍କ କହିବା କଥା ହେଉଛି, ମହାପ୍ରୟାଣ ଗାଡ଼ି କଥା ମୃତକ ପରିବାର ଲୋକ ମାଗିଥିଲେ ଦିଆଯାଇଥା’ନ୍ତା। କିନ୍ତୁ ନାବାଳିକାର ପରିବାର ଲୋକେ  ଗାଡ଼ି ମାଗି ନାହାନ୍ତି। ମେଡ଼ିକାଲ କତୃପକ୍ଷ କେହି ବି ଏ ସମ୍ପର୍କରେ ଜାଣିନଥିବା ସେ କହିଛନ୍ତି ।

ହେଲେ ପ୍ରଶ୍ନ ଉଠୁଛି ଯେ ମେଡିକାଲ୍‌ରୁ ଜଣେ ବ୍ୟକ୍ତି ବାଇକ୍‌ରେ ଶବ ନେଇ ଆସୁଥିବା ଦୃଶ୍ୟ କିଭଳି କାହା ଆଖିରେ ପଡ଼ିଲା ନାହିଁ? ବିଭାଗୀୟ କର୍ତ୍ତୃପକ୍ଷ  ମୃତକଙ୍କ ପିତା ଗାଡ଼ି ମାଗି ନଥିବାର ଦ୍ବାହି ଦେଇ ଖସିଯାଇଥିଲେ ବି ଏଭଳି ଅଭାବନୀୟ ଘଟଣା ମେଡିକାଲ୍‌ର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.