Latest Odisha News

BREAKING NEWS

ସହିନପାରି ସେୟାର ବଜାରରେ କ୍ଷତି, ହତ୍ୟା ଅଭିଯୁକ୍ତ ସାଜିଲା ସାଧାରଣ ବ୍ୟକ୍ତି

ଭୁବନେଶ୍ୱର: ଶେୟାର ମାର୍କେଟରେ ଟଙ୍କା ବିନିଯୋଗ କଲେ ଉଭୟ କ୍ଷତି ଓ ଲାଭ ସହିବାକୁ ଧର୍ଯ୍ୟର ଆବଶ୍ୟକତା ରହିଛି । ହେଲେ କ୍ଷତି ସହିନପାରି ରାଜଧାନୀ ଭୁବନେଶ୍ୱରର ଜଣେ ବ୍ୟକ୍ତି ମାନସିକ ଭାରସାମ୍ୟ ହରାଇ ନିଜ ପରିବାର ଲୋକଙ୍କ ହତ୍ୟା ଅଭିଯୁକ୍ତ ସାଜିଛନ୍ତି ।

ପୋଲିସ ରିପୋର୍ଟ ଅନୁଯାୟୀ ଅବନ୍ତି ବିଜୟ ମଙ୍ଗରାଜ ନାମକ ଜଣେ ବ୍ୟକ୍ତି ନିଜ ପରିବାର ସହ କଳିଙ୍ଗ ନଗରର କେ-୪ ଅଂଚଳରେ ରହୁଥିଲେ । ପରିବାର କହିଲେ ସ୍ତ୍ରୀ ସ୍ୱର୍ଣ୍ଣଲତା ମଙ୍ଗରାଜ ଓ ୧୦ ବର୍ଷୀୟ ପୁଅ । ହସଖୁସୀରେ ସଂସାର ଚାଲୁଥିବାବେଳେ ଶେୟାର ବଜାରରେ ବିପୁଳ କ୍ଷତି ଏହି ପରିବାର ପ୍ରତି ନେଇ ଆସିଥିଲା ଅଦିନିଆ ଝଡ ।

ଅଭିଯୁକ୍ତ ଅବନ୍ତିର ବୟାନ ଅନୁଯାୟୀ ଗତ ସୋମବାର ରାତିରେ ସ୍ତ୍ରୀ ଓ ପୁଅକୁ ସେ ଖାଦ୍ୟରେ ନିଦ ବଟିକା ମିଶାଇ ଖାଇବାକୁ ଦେଇଥିଲା । ବିଳମ୍ବିତ ରାତି ପ୍ରାୟ ୩ଟା ବେଳେ ଦୁହେଁ ଶୋଇଥିବା ଅବସ୍ଥାରେ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲା । ପରେ ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ହେଁ ସାହାସ ଜୁଟାଇପାରିନଥିଲା ।

ହତ୍ୟାକାଣ୍ଡ ପରେ ଅବନ୍ତି ସକାଳୁସକାଳୁ ଘରୁ ବାହାରି ପାଗଳ ଭଳି ଚାରିଆଡେ ବୁଲିଥିଲା । ଅପରାହ୍ନ ପ୍ରାୟ ୩ଟାବେଳେ ଅଭିଯୁକ୍ତ ଅବନ୍ତି ସମସ୍ତ ଘଟଣା ବିଷୟରେ ଭଣଜାକୁ ଫୋନ୍ ଯୋଗେ ଜଣାଇବା ପରେ ମାମଲା ସାମ୍ନାକୁ ଆସିଥିଲା ।

ହତ୍ୟାକାଣ୍ଡ ବିଷୟରେ ଅଭିଯୁକ୍ତର ଭଣଜା ପୋଲିସରେ ଜଣାଇବା ପରେ ଆରମ୍ଭ ହୋଇଥିଲା ତଦନ୍ତ । ଅଭିଯୁକ୍ତ ଘରୁ ଦୁଇଟି ମୃତଦେହ ଉଦ୍ଧାର ହେବା ସହ ଆଜି ସଂଧ୍ୟାରେ ଅବନ୍ତିକୁ ପୋଲିସ ଠାବ କରିଥିଲା । ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରହିଥିବା ନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ।

Leave A Reply

Your email address will not be published.