Latest Odisha News

ତିର୍ତ୍ତୋଲରେ ବିଭତ୍ସ ହତ୍ୟା, ଜଣେ ମୃତ, କାରଣ ଅସ୍ପଷ୍ଟ

ପୁରୀ: ପୂର୍ବ ଶତ୍ରୁତାକୁ ନେଇ ତିର୍ତ୍ତୋଲରେ ବିଭତ୍ସ ହତ୍ୟା । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ସାଇଲୋ ପଞ୍ଚାୟତ ହିତରଣ ଗାଁରେ ଦୁଇ ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ଯୁବକ । ଘଟଣାସ୍ଥଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ମଣିଜଙ୍ଗା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମୃତକ ଜଣଙ୍କ ହେଲେ ବିନୋଦ ଦାସ । ଅଭିଯୁକ୍ତ ସୁବାସ ବିଶ୍ୱାଳକୁ ତିର୍ତ୍ତୋଲ ଥାନାରେ ଅଟକ ରଖାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୯ଟା ସମୟରେ ସେହି ଗାଁର ବିନୋଦ ଦାସ ଓ ବିଷ୍ଣୁ ପଲେଇ କ୍ଷୀର ଷ୍ଟୋରରେ କ୍ଷୀର ଦେଇ ଫେରୁଥିଲେ । ହଠାତ୍ ସେହି ସମୟରେ ପଛପଟୁ ଅତର୍କିତ ଭାବରେ ଟାଙ୍ଗିଆଧରି ଆକ୍ରମଣ କରିଥିଲା ଅଭିଯୁକ୍ତ ସୁବାସ ବିଶ୍ୱାଳ । ସୁବାସ ବିନୋଦଙ୍କ ମୁଣ୍ଡକୁ ହାଣିଦେଇଥିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ବିଷ୍ଣୁ । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଖବର ପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଗାଁରେ ଲୁଚି ରହିଥିବା ସୁବାସଙ୍କୁ ବାହାର କରି କାବୁ କରିଥିବା ଜଣାଯାଇଛି । ଆକ୍ରମଣର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ସୁବାସ ବିରୋଧରେ ପୂର୍ବରୁ ବହୁ କେସ ରହିଛି, ପୂର୍ବରୁ ବହୁତ ଥର ଜେଲ ମଧ୍ୟ ଯାଇଥିବା ଜଣାପଡିଛି । ଅନ୍ୟପଟେ ସୁବାସଙ୍କ ସହ ସେମାନଙ୍କର କୌଣସି ପୂର୍ବ ଶତ୍ରୁତା ନ ଥିବା ମଧ୍ୟ କହିଛନ୍ତି ବିନୋଦ ଦାସ ଏବଂ ବିଷ୍ଣୁ ପଲେଇଙ୍କ ପରିବାର ଲୋକେ ।

Leave A Reply

Your email address will not be published.