Latest Odisha News

୧୮୦୦ କି.ମି ଦୂରରୁ ଚାଲି ଚାଲି ପୁରୀ ଆସୁଛନ୍ତି ୨୫ ବର୍ଷୀୟ ଯୁବକ, ଜାଣନ୍ତୁ ଉଦ୍ଦେଶ୍ୟ ?

ମୁମ୍ବାଇ: ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାର ଜଣେ ୨୫ ବର୍ଷୀୟ ଯୁବକ ପାଦରେ ୧୮୦୦ କିଲୋମିଟର ଯାତ୍ରା କରି ଓଡ଼ିଶାର ପୁରୀ ବେଳାଭୂମିକୁ ଆସୁଛନ୍ତି । ଏପରି ଚାଲି ଚାଲି ଆସିବା ପଛର କାରଣ ମହତ ଉଦ୍ଦେଶ୍ୟ ରହିଛି । ଚାଲି ଚାଲି ଆସିବା ବେଳେ ବିଭିନ୍ନ ଜାଗାରେ ବିଶ୍ରାମ ନେଉଛନ୍ତି ଲୋକଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି ।

ଚାଷୀ ଆତ୍ମହତ୍ୟା, ଅତ୍ୟଧିକ ପ୍ଲାଷ୍ଟିକର ବ୍ୟବହାର, ଜଳବାୟୁ ପରିବର୍ତନ ଆଦି ସମସ୍ୟାକୁ ନେଇ ଲୋକଙ୍କ ସହ ଆଲୋଚନା କରିବା ପାଇଁ ଏବେ ସେ ଭାରତ ଭ୍ରମଣରେ ବାହାରିଛନ୍ତି । ଯେଉଁ ସମୟରେ କି ସାରା ଦେଶରେ ଆକାଶରୁ ଅଗ୍ନିବର୍ଷା ହେଉଛି।

ରତ୍ନଗିରିର ନରବନ ଗାଁର ଆଶୁତୋଷ ଯୋଶୀ ଏପ୍ରିଲ ୧୦ ତାରିଖରେ ରାମନବମୀ ପାଳନ ଅବସରରେ ଏହି ଯାତ୍ରା ଆରମ୍ଭ କରିଥିଲେ। ଜନ୍ମମାଟି ନରବନ ବେଳାଭୂମିରୁ ଆରମ୍ଭ ହୋଇଥିବା ତାଙ୍କର ଏହି ପଦଯାତ୍ରା ୧୮୫୦ କିଲୋମିଟର ଅତିକ୍ରମ କରି ଓଡ଼ିଶାର ପୁରୀ ବେଳାଭୂମିରେ ଶେଷ ହେବ।

ବିଭିନ୍ନ ସ୍ଥାନ ବୁଲିବା ପରେ ଗୁରୁବାର ସକାଳେ ଆଶୁତୋଷ ଯୋଶୀ ଲାତୁରରେ ପହଞ୍ଚିଥିଲେ। ସେ ଓଡ଼ିଶା ଆସିବା ପୂର୍ବରୁ ସେ ଛତିଶଗଡର ବିଭିନ୍ନ ସ୍ଥାନ ବୁଲି ଲୋକଙ୍କ ସହ ଆଲୋଚନା କରିବେ ।

ସେ କହିଛନ୍ତି, ଦେଶରେ ଏବେ ଚାଷୀ ଆତ୍ମହତ୍ୟା, ପାଣି ସମସ୍ୟା, ପ୍ଲାଷ୍ଟିକର ବ୍ୟବହାର ବୃଦ୍ଧି, ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟା ରହିଛି । ଏ ବାବଦରେ ଲୋକଙ୍କ ସମସ୍ୟା ଜାଣିବା ସହିତ ସଚେତନ କରିବାକୁ ସେ ଚାହଁଛନ୍ତି ବୋଲି କହିଛନ୍ତି।  ଏହିସବୁ ବିଷୟରେ ଜନସଚେତନତା ସୃଷ୍ଟି କରିବା ପାଇଁ ପାଦରେ ଚାଲି ଚାଲି ଏହି କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି। ଏହି ଯାତ୍ରା ସମୟରେ ସେ ଗାଁର ସରପଞ୍ଚମାନଙ୍କୁ ଭେଟନ୍ତି, ଯେଉଁମାନେ ଗ୍ରାମବାସୀଙ୍କ ସହ ଏକ ବୈଠକର ଆୟୋଜନ କରନ୍ତି, ଯେଉଁଠାରେ ସେ ସେମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରନ୍ତି।

ଆଶୁତୋଷ ଯୋଶୀ ମୁମ୍ବାଇର ଦାଦରସ୍ଥିତ ମଡେଲ ଆର୍ଟ ଇନଷ୍ଟିଚ୍ୟୁଟ ଏବଂ ପୁଣେର ଭାରତୀ ବିଦ୍ୟାପୀଠରେ ପାଠ ପଢିଥିଲେ। ଏହା’ପରେ ସେ ଇଂଲଣ୍ଡ ଯାଇ ଲଲିତ କଳାରେ ଉଚ୍ଚ ଶିକ୍ଷା କରିଥିଲେ। ଏହା ପରେ ସେ ସ୍କଟଲାଣ୍ଡ, ସ୍ପେନ ଓ ଇଂଲଣ୍ଡରେ ଫଟୋଗ୍ରାଫି ଓ ପ୍ରକୃତିର ସନ୍ତୁଳନ ରକ୍ଷା କ୍ଷେତ୍ରରେ କାମ କରିଥିଲେ।

ଚାଲିବା ଏବଂ ପର୍ବତାରୋହଣକୁ ସେ ଭଲ ପାଆନ୍ତି ତେଣୁ ସେ ଚାଲି ଚାଲି ଏପରି କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯୋଶୀ ଆହୁରି କହିଛନ୍ତି, ଗତ ୬ରୁ ୭ ବର୍ଷ ଧରି ଚାଲିବା ଅଭ୍ୟାସ କରିଥିଲି ଏବଂ ଇଂଲଣ୍ଡରୁ ଭାରତ ଫେରିବା ପରେ ଗତ ୬ ମାସ ଧରି ଏହି ଗସ୍ତ ପାଇଁ ନିଜକୁ ପ୍ରସ୍ତୁତ କରିଥିଲି।

Comments are closed.