Latest Odisha News

BREAKING NEWS

ନିରାଶା ମଧ୍ୟରେ ଆଶାର ଆଲୋକ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…

କଥାରେ ଅଛି ଦୁର୍ଜ୍ଜନମାନଙ୍କ ସକ୍ରିୟତା ଅପେକ୍ଷା ସଜ୍ଜନମାନଙ୍କ ନିଷ୍କ୍ରିୟତା ସମାଜ ପାଇଁ ଅଧିକ କ୍ଷତିକାରକ । ଆଜିକାଲି ଖବରକାଗଜର ପୃଷ୍ଠା ଖୋଲିଲେ ଦୁର୍ନୀତିଗ୍ରସ୍ତ ବାବୁମାନଙ୍କର ଖବର । ଦୁର୍ନୀତିଗ୍ରସ୍ତ ବାବୁମାନଙ୍କର ଘରେ ଭିଜିଲାନ୍‌ସ ରେଡ଼୍ ହେବା ନିତିଦିନିଆ ଖବର ହୋଇଗଲାଣି । ସରକାରୀ ବାବୁମାନଙ୍କର ନିଜ କାର୍ଯ୍ୟ ପ୍ରତି ସଂକଳ୍ପବଦ୍ଧତାର ଅଭାବ ତଥା କାର୍ଯ୍ୟ କ୍ଷେତ୍ରରେ ଅବହେଳା ଏକ ସାଧାରଣ ଅଭିଜ୍ଞତା । ଯେଉଁମାନେ କୌଣସି ବି କାମ ପାଇଁ ସରକାରୀ ଅଫିସ୍‌କୁ ଯାଇଥିବେ ସେମାନେ ଏପରି ଅଭିଜ୍ଞତା ନେଇ ଫେରିଥିବା ନିଶ୍ଚିତ । ନମୂନା ଭିତିରେ ଦେଖିଲେ ଶହେରୁ ଅନେଶ୍ୱତ ଜଣ ଲୋକ ସରକାରୀ ଅଫିସ୍‌ର ବାବୁମାନଙ୍କ ବିଷୟରେ କାର୍ଯ୍ୟରେ ଅବହେଳା, ଲାଞ୍ଚଖୋର, ଲୋକମାନଙ୍କୁ ଅସମ୍ମାନ ଆଦି ଭଳି ନକରାତ୍ମକ ଅଭିଜ୍ଞତା ହିଁ ପ୍ରକାଶ କରିବେ । ଏହା ଆମ ସରକାରୀ କଳର ଜନସାଧାରଣଙ୍କ ପ୍ରତି ଥିବା ସାଧାରଣ ମନୋବୃତ୍ତିକୁ ସୂଚାଉଛି । କିନ୍ତୁ ଏଥିସହିତ ତୃଣମୂଳ ସ୍ତରରେ ଏମିତି ବି କିଛି ସରକାରୀ ଅଧିକାରୀ ଅଛନ୍ତି, ଯେଉଁମାନେ ଅତ୍ୟନ୍ତ ନିଷ୍ଠାପରତାର ସହିତ ନିଜ କାର୍ଯ୍ୟକୁ ସମ୍ପାଦନା କରୁଛନ୍ତି ଓ କର୍ତ୍ତବ୍ୟ ମନୋବୃତ୍ତି ନେଇ ଜନସାଧାରଣଙ୍କ କାମ କରୁଛନ୍ତି । ସରକାରୀ ବାବୁମାନଙ୍କ ବିଷୟରେ ଆମ ପାଖରେ ଅନେକ ତିକ୍ତ ଅଭିଜ୍ଞତା ଥିବା ସହିତ କିଛି କିଛି ମଧୁର ତଥା ଉଦାହରଣ ସ୍ଥାନୀୟ ଅଭିଜ୍ଞତା ବି ଅଛି, ଯାହା ସର୍ବସାଧାରଣରେ ପ୍ରକାଶ ହେବା ନିହାତି ଜରୁରୀ । ସମାଜରେ ଥିବା ଖରାପକୁ ଭଲର ପ୍ରଭାବ ହିଁ ଦୂର କରିପାରିବ । ଯେତେ ଅଧିକ ଭଲର ପ୍ରଚାର ହେବ, ସେତେ ଅଧିକ ଖରାପର ମାତ୍ରା କମିବ ଓ ଲୋକମାନେ ଭଲ ଉଦାହରଣ ଦ୍ୱାରା ଅନୁପ୍ରାଣୀତ ହେବେ । ଏହା ହିଁ ପରିବର୍ତ୍ତନକୁ ବ୍ୟାପକ କରିବାରେ ସହାୟକ ହୋଇପାରିବ ।

ଆଜି ଏଠାରେ ଆମେ ଅଭିଜ୍ଞତା କରିଥିବା ତିନି ଜଣ ବିଡ଼ିଓଙ୍କ ବିଷୟରେ କହିବା ଉଚିତ୍ ଭାବୁଛି । କାରଣ ଏହିପରି ଅଧିକାରୀମାନଙ୍କ ଯୋଗୁ ହିଁ ଲୋକମାନଙ୍କର ଅଳ୍ପ ବହୁତ ହୋଇ ସରକାରୀ କଳ ଉପରେ ବିଶ୍ୱାସ ବଞ୍ଚିଛି ଓ ଗଣତନ୍ତ୍ର ବଳିଷ୍ଠ ହେଉଛି । ମୁଁ ନିଶ୍ଚିତ ଯେ, ଏହିପରି ଆହୁରି ଅନେକ ବିଡ଼ିଓ ଭିନ୍ନ ଭିନ୍ନ ଜାଗାରେ ନିଶ୍ଚୟ ଅଛନ୍ତି, ଯେଉଁମାନେ ନିଜ ସରକାରୀ କ୍ଷମତାକୁ ଭୋଗ କରିବା ଅପେକ୍ଷା ଲୋକମାନଙ୍କର କାମ ହେବାକୁ ଅଧିକ ଗୁରୁତ୍ୱ ଦିଅନ୍ତି ।

ଓଡ଼ିଶାରେ ପୁଷ୍ଟି ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଅଜିମ୍ ପ୍ରେମ୍‌ଜୀ ଫାଉଣ୍ଡେସନ୍‌ ସହାୟତାରେ ଓ ଓଡ଼ିଶା ଜୀବିକା ମିଶନ ଦ୍ୱାରା କାର୍ଯ୍ୟାନ୍ୱୟନ ହେଉଥିବା ମୋ ଉପକାରୀ ବଗିଚା କାର୍ଯ୍ୟକ୍ରମ ଯୋଗୁ ମୋତେ ଓଡ଼ିଶାର ଭିନ୍ନ ଭିନ୍ନ ଜିଲ୍ଲାର କିଛି କିଛି ବ୍ଲ୍‌କ୍‌ର ବିଡ଼ିଓମାନଙ୍କ ସଂସ୍ପର୍ଷରେ ଆସିବାର ସୁଯୋଗ ମିଳିଥିଲା । ଆମେ ଜାଣିଛେ ଯେ, ପଞ୍ଚାୟତିରାଜ ବ୍ୟବସ୍ଥାରେ ବିଡ଼ିଓ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ଓ ସେ ବ୍ଲକ୍ ସମିତିର ଅଧିକାରୀ ଅଟନ୍ତି । ବ୍ଲକ୍‌ର ସମସ୍ତ ଯୋଜନାକୁ କାର୍ଯ୍ୟକାରୀ କରିବାର ପ୍ରମୂଖ ଦାୟିତ୍ୱ ତାଙ୍କ ଉପରେ । ଜଣେ ବିଡ଼ିଓ ଯଦି ନିଷ୍ଠାର ସହିତ ନିଜ କାର୍ଯ୍ୟ ତୁଲାଇବେ ତେବେ ସରକାରଙ୍କ ଯୋଜନାଗୁଡ଼ିକ ନିର୍ବିଘ୍ନରେ ଲୋକଙ୍କ ପାଖରେ ପହଞ୍ଚି ପାରିବ । ଗତ ମାର୍ଚ୍ଚ ମାସରେ ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକ୍‌ର ତତ୍‌କାଳୀନ ବିଡ଼ିଓ ଗୌରୀ ଚରଣ ପଟ୍ଟନାୟକଙ୍କ ସହିତ ଆମେ ଆଲୋଚନା କରିବାର ସୁଯୋଗପାଇଥିଲୁ । କାଶିପୁର ଏକ ଆଦିବାସୀ ଅଧ୍ୟୁଷିତ ବ୍ଲକ୍ ଓ ଆକାରରେ ମଧ୍ୟ ଯଥେଷ୍ଟ ବଡ଼ । ଏତେ ବଡ଼ ବ୍ଲକ୍‌ର ବିଡ଼ିଓଙ୍କ ଉପରେ କାମର ଚାପ ରହିବାଟା ସ୍ୱଭାବିକ । ପ୍ରଥମେ ତ ବିଡ଼ିଓଙ୍କ କକ୍ଷକୁପ୍ରବେଶ କରି ଆମେ ଆଶ୍ଚର୍ଯ୍ୟ ହୋଇଯାଇଥିଲୁ । ବିଡ଼ିଓଙ୍କ ସାମ୍‌ନାରେ ଏକ ବଡ଼ ଟେବୁଲ୍‌ ପଡ଼ିଥିଲା । ଆମ ପଢ଼ା ଟେବୁଲ୍ ଆକାର ଠାରୁ ପ୍ରାୟ ଚାରିଗୁଣ ବଡ଼ ଟେବୁଲ୍ । ବିଡ଼ିଓଙ୍କ ଟେବୁଲ୍ ଉପରକୁ ବହୁତ ଫାଇଲ୍ ଆସିବାର ଥିବାରୁ ବୋଧହୁଏ ସରକାର ତାଙ୍କୁ ଏତେ ବଡ଼ ଟେବୁଲ୍‌ ଦେଇଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଏତେ ବଡ଼ ଟେବୁଲ୍ ଉପରଟା ବିଲ୍‌କୁଲ୍ ଖାଲିଥିଲା । ତା ଉପରେ ଗୋଟିଏ ବି ଫାଇଲ୍ ନଥିଲା । ନୁହେଁ କି ଏହା ଆଶ୍ଚର୍ଯ୍ୟର ବିଷୟ! ତାଙ୍କ ଟେବୁଲ୍ ଉପରେ ଗୋଟିଏ ବି ଫାଇଲ୍ ନଥିବାର କାରଣ ହେଉଛି, ତାଙ୍କ ପାଖକୁ ଆସୁଥିବା ପ୍ରତ୍ୟେକ ଫାଇଲ୍‌ର କାମକୁ ସେ ତତ୍‌କ୍ଷଣାତ୍ ଶେଷ କରିଦିଅନ୍ତି । ଅଯଥାରେ ପକେଇ ରଖି ଲୋକମାନଙ୍କ କାମକୁ ବିଳମ୍ବ କରନ୍ତି ନାହିଁ । ତାଙ୍କ ବିଷୟରେ ବ୍ଲ୍‌କ୍‌ର ବି.ପି.ଏମ୍‌. କିଶୋର କରକରିଆ କହନ୍ତି ଯେ, ଅଫିସ୍‌ରେ ଯେତେ ଡେରି ଯାଏ ରହିବାକୁ ପଡ଼ୁ ପଛେ, ବିଡ଼ିଓ ସାର୍ ସବୁ ଫାଇଲ୍ କାମକୁ ସେହି ଦିନ ହିଁ ସାରି ଦିଅନ୍ତି । ବ୍ଲକ୍‌ର ଅନ୍ୟ କର୍ମଚାରୀମାନଙ୍କର ବି ଏକା ମତ ଥିଲା । ବିଡ଼ିଓଙ୍କ ଟେବୁଲ୍ ଉପରେ ଫାଇଲ୍‌ର ପାହାଡ଼ ନଥିବା ଦୃଶ୍ୟ ନିଶ୍ଚିତ ଭାବେ ବିରଳ । ଏଥିସହିତ ଆମ ଉପସ୍ଥିତିରେ ବିଡ଼ିଓ ତାଙ୍କର କିଛି କର୍ମଚାରୀମାନଙ୍କ ସହିତ ଭିନ୍ନ ଭିନ୍ନ ପଞ୍ଚାୟତର ପୋଖରୀ ଖନନ, ମରାମତି ଓ ପୁନରୁଦ୍ଧାର ବିଷୟରେ ଆଲୋଚନା କରୁଥିଲେ । ଆଶ୍ଚର୍ଯ୍ୟଜନକ ଭାବେ ସେ ପ୍ରାୟତଃ ସବୁ ପଞ୍ଚାୟତର ନାଁ ସହିତ ପୋଖରୀ କେଉଁଠି ଅଛି, ତାର ହାରାହାରି ଆକାର କେତେ, ତାର ମରାମତିରେ କ’ଣ କ’ଣ ଅସୁବିଧା ହେବାର ସମ୍ଭାବନା ଅଛି, ସେ ସବୁକୁ ଅନର୍ଗଳ କହିଯାଉଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ସେ ମାତ୍ର ଏକ ବର୍ଷ ହେବ କାଶିପୁରକୁ ବ୍ଲକ୍‌କୁ ଆସି ସମ୍ପୂର୍ଣ୍ଣ ଅଞ୍ଚଳ ସହିତ ଓତପ୍ରୋତ ହୋଇଯାଇଥିଲେ । କାରଣ ସେ ପ୍ରାୟତଃ ଅଫିସ୍‌ରେ ନବସି ଅଧିକାଂଶ ସମୟ କ୍ଷେତ୍ର ଉପରକୁ ଯାଇ ଲୋକଙ୍କ ସହିତ ମିଶିଥାଆନ୍ତି ।

କାଶିପୁର ବ୍ଲକ୍‌ରେ ତାଙ୍କର ଏହି ସୀମିତ ରହଣି ସମୟରେ ସେ ବ୍ଲକ୍‌ରେ ଥିବା ଏକାଧୀକ ଜଳପ୍ରପାତ ଗୁଡ଼ିକର ସୁନ୍ଦରୀକରଣ, ପଞ୍ଚାୟତରେ ଆଲୋକୀକରଣ, ଅନେକ ଦୁର୍ଗମ ଗ୍ରାମକୁ ରାସ୍ତା ତିଆରି ଆଦି କାମକୁ ସଫଳତାର ସହିତ କରିପାରିଛନ୍ତି । ସେହିଦିନ ଆମେ କାଶିପୁର ବ୍ଲକ୍‌ର ପ୍ରାୟ ୧୨ଟି ସ୍ୱୟଂ ସହାୟକ ଦଳର ମହିଳାମାନଙ୍କ ସହିତ କଥାବାର୍ତ୍ତା କରିବାର ସୁଯୋଗ ପାଇଥିଲୁ । ସେମାନେ ସମସ୍ତେ ବିଡ଼ିଓଙ୍କର ଲୋକମାନଙ୍କର ସମସ୍ୟା ସମାଧାନ କରିବା ଦିଗରେ ସକ୍ରିୟତା ଓ ନିଷ୍ଠାପରତା ବିଷୟରେ ପ୍ରକାଶ କରିଥିଲେ । କାଶିପୁର ବ୍ଲକ୍‌ରେ ଆମର ଏହି ଅଭିଜ୍ଞତା ଆମକୁ ବହୁତ ସନ୍ତୋଷ ପ୍ରଦାନ କରିଥିଲା ।

 

ସମ୍ପ୍ରତି ତାଙ୍କର ବଦଳି ନିକଟସ୍ଥ କୋଲନରା ବ୍ଲକ୍‌କୁ ହୋଇଯାଇଛି । ସେଠାରେ ମଧ୍ୟ ସେ ନିଶ୍ଚୟ ତାଙ୍କର ଭଲ କାମ ଜାରି ରଖିବେ ବୋଲି ଆଶା କରିବା ସ୍ୱଭାବିକ । ୨୦୧୮ରୁ ୨୦୨୧ରେ କଳାହାଣ୍ଡି ଜିଲ୍ଲାର ମ.ରାମପୁର ବ୍ଲକ୍‌ରେ ବିଡ଼ିଓ ଥିଲେ ସୁଶ୍ରୀ ରୁମାନା ଜାଫ୍ରି । ବିଡ଼ିଓ ଭାବେ ସମଗ୍ର ଜିଲ୍ଲା ପାଇଁ ତାଙ୍କର କାମ ନିଶ୍ଚିତ ଭାବେ ଉଦାହରଣ ସ୍ଥାନୀୟ ଥିଲା । ତାଙ୍କ ଉପସ୍ଥିତିରେ ସମଗ୍ର ମ.ରାମପୁର ବ୍ଲକ୍ କର୍ମତତ୍ପର ହୋଇଉଠିଥିଲା । ସେ ନିଜେ ପ୍ରତ୍ୟେକ କାମରେ ପ୍ରତ୍ୟେକ୍ଷ ଭାବେ ସଂଶ୍ଲିଷ୍ଟ ହୋଇ ସମସ୍ତ କର୍ମଚାରୀଙ୍କ ଭିତରେ କାର୍ଯ୍ୟ କରିବାର ଉତ୍ସାହକୁ ଭରିଦେଇ ସେ କାମକୁ ଉପଯୁକ୍ତ ସମୟରେ ଶେଷ କରୁଥିଲେ । ଲୋକମାନଙ୍କ କାମକୁ ସେ ସବୁବେଳେ ଅଧିକ ପ୍ରାଧାନ୍ୟ ଦେଉଥିଲେ । ତାଙ୍କ କାର୍ଯ୍ୟାଳୟକୁ କେହି ସାଧାରଣ ଲୋକଆସିଲେ, ସେ ତା ସହିତ ବସି କଥାହେଉଥିଲେ ଓ ସେହି ମୁହୂର୍ତ୍ତରେ ତାର ସମସ୍ୟା ସମାଧାନ କରୁଥିଲେ । ସାଧାରଣ ଲୋକଟିଏ ତାଙ୍କ ପ୍ରକୋଷ୍ଠରେ କେବେ ବି ଠିଆ ହୋଇରହୁନଥିଲା । ସେ ତାଙ୍କୁ ସମ୍ମାନର ସହ ବସେଇ ବିଭାଗୀୟ କର୍ମଚାରୀଙ୍କୁ ଡକେଇ ତାଙ୍କ ସମସ୍ୟାର ସମାଧାନ କରୁଥିଲେ । ମ.ରାମପୁରର ଉର୍ଲାଦାନୀ, ଦେଢ଼ଶୁଳି, ଲୁବେନଗଡ଼ ଆଦି ପଞ୍ଚାୟତର ପ୍ରାୟ ସବୁ ଦୁର୍ଗମ ଅଞ୍ଚଳକୁ ସେ ଚାଲି ଚାଲି ଓ ନଦୀ ପାରି ହୋଇ ନିୟମିତ ଭାବେ ଗ୍ରସ୍ତ କରୁଥିଲେ ।

ସେଠାରେ ଲୋକମାନଙ୍କର ସମସ୍ୟା ବୁଝୁଥିଲେ । ବ୍ଲକ୍‌ର ଅନେକ ଗାଁ’ରେ ତାଙ୍କର ପରିଚୟ ଝିଅ ପରି ଥିଲା । ମା’ମାନେ ତାଙ୍କୁ ଝିଅ ପରି କୋଳେଇ ନେଉଥିଲେ, ନିଜ ଘରେ ବସାଉଥିଲେ ଓ ଖୁଆଉଥିଲେ । ତାଙ୍କ ସମୟରେ ବ୍ଲକ୍‌ର ଅନେକ ଦୁର୍ଗମ ଗ୍ରାମକୁ ସେ ରାସ୍ତା ଓ ପୋଲ କରେଇ ଲୋକମାନଙ୍କ ମନରେ ଖୁସି ଭରିଦେଇଛନ୍ତି । କୋଭିଡ଼୍ ଜନିତ କ୍ୱାରେଂଟାଇନ୍ ସମୟରେ ସେ ରାତି ରାତି ଉଜାଗର ରହି ଲୋକମାନଙ୍କର କଥା ବୁଝୁଥିଲେ । ନିଜେ ପ୍ରତ୍ୟେକ୍ଷ ଭାବେ ସବୁ କାମକୁ ତଦାରଖ କରୁଥିଲେ । ରୋଜଗାର ହରେଇ ପ୍ରବାସରୁ ଫେରିଥିବା ଶ୍ରମିକମାନଙ୍କ ପାଇଁ ସେ ବିଭିନ୍ନ ଏନ.ଜି.ଓ. ମାନଙ୍କ ସହିତ ଯୋଗାଯୋଗ କରି ଓ ନିଜସ୍ୱ ପ୍ରୟାସରେ ସେମାନଙ୍କ ପାଇଁ ପୋଷାକପତ୍ର ଆଦିର ବ୍ୟବସ୍ଥା କରାଇଥିଲେ । ତାଙ୍କର ଟ୍ରାନ୍‌ସଫର୍ ଖବର ଆସିବା ପରେ ତାଙ୍କ କାର୍ଯ୍ୟାଳୟକୁ ସାଧାରଣ ଲୋକମାନଙ୍କର ସୁଅ ଛୁଟିଥିଲା । ଅନେକ ଲୋକ ତାଙ୍କୁ ଛାଡ଼ିବାକୁ ବି ରାଜି ନଥିଲେ । ସେ ଏବେ ଖୋର୍ଦ୍ଧା ସଦର ବ୍ଲକ୍‌ରେ ବିଡ଼ିଓ ଭାବେ ଅବସ୍ଥାପିତ ଅଛନ୍ତି । ଏମିତି ଅଧିକାରୀଙ୍କୁ ଦେଖିଲେ ସତରେ ମନରେ ସନ୍ତୋଷ ଭରିଯାଏ । ଗଣତନ୍ତ୍ରର ମର୍ଯ୍ୟାଦାକୁ ଅନୁଭବ କରିହୁଏ ।

ଗତ ମାର୍ଚ୍ଚ ମାସର ଶେଷ ଆଡ଼କୁ ଆଉ ଜଣେ ବିଡ଼ିଓଙ୍କ ସହିତ ମିଶିବାର ଅଭିଜ୍ଞତା ହୋଇଥିଲା । ସେ ହେଉଛନ୍ତି ନୂଆପଡ଼ା ଜିଲ୍ଲାର ସିନାପାଲି ବ୍ଲକ୍‌ର ବିଡ଼ିଓ ଶ୍ରୀଯୁକ୍ତ ସଦାଶିବ ନାୟକ । ତାଙ୍କୁ ଅପେକ୍ଷା କରି ତାଙ୍କ କକ୍ଷରେ ବସିଥିବା ସମୟରେ ପ୍ରଥମେ ଆମ ଆଖିରେ ପଡ଼ିଥିଲା ଦୁଇଟି ପୁରସ୍କାର । ଗୋଟିଏ ହେଉଛି ଗ୍ରାମୀଣ ଗୃହନିର୍ମାଣ କାମରେ ସିନାପାଲି ବ୍ଲକ୍ ସମଗ୍ର ଜିଲ୍ଲାରେ ପ୍ରଥମ ଓ ଆରଟି ନରେଗା କାମରେ ସିନାପାଲି ବ୍ଲକ୍‌ର ଆଶାତୀତ ସଫଳତା । ପୂର୍ବ ବର୍ଷ ଗ୍ରାମୀଣ ଗୃହନିର୍ମାଣ କାମରେ ସିନାପାଲି ବ୍ଲକ୍ ସମଗ୍ର ଜିଲ୍ଲାରେ ପଛରେ ପଡ଼ିଥିବା ବେଳେ, ବିଡିଓ ଶ୍ରୀଯୁକ୍ତ ନାୟକ ଆସିବା ପରେ ତାଙ୍କ ନିଷ୍ଠାପର କାମ ଯୋଗୁ ସିନାପାଲି ବ୍ଲକ୍ ପ୍ରଥମ ହୋଇପାରିଛି । ତାଙ୍କ କର୍ମଚାରୀମାନଙ୍କର ସୂଚନା ଅନୁସାରେ ବିଡ଼ିଓ ସାର୍ ସବୁ ଗାଁ’ରେ ଲୋକମାନଙ୍କୁ ନିଜ ମୋବାଇଲ୍ ନମ୍ବର ଦେଇଛନ୍ତି । ଲୋକମାନଙ୍କର କୌଣସି ସମସ୍ୟା ହେଲେ ସେମାନେ ସିଧା ସିଧା ବିଡ଼ିଓଙ୍କୁ ଫୋନ୍ କରନ୍ତି । ଏହାର ଏକ ଉଦାହରଣ ଆମ ସାମ୍‌ନାରେ ମଧ୍ୟ ଘଟିଲା । ଆମ ସମ୍ମୁଖରେ ବିଡ଼ିଓଙ୍କର ଏକ ଫୋନ୍ ଆସିଲା । କୌଣସି ଗ୍ରାମର ଜଣେ ଲୋକ ନିଜ ନାମ ନରେଗାର ଶ୍ରମିକ ଲିଷ୍ଟରୁ କଟିଯାଇଥିବାରୁ ଅଭିଯୋଗ ପାଇଁ କଲ୍ କରିଥିଲା । ବିଡ଼ିଓ ସାଙ୍ଗେ ସାଙ୍ଗେ ସେ ଲୋକଟିକୁ ଲାଉଡ଼୍‌ସ୍ପିକର୍‌ରେ ରଖି ନିଜ ବିଭାଗୀୟ ଅଧିକାରୀଙ୍କୁ ଡକେଇଲେ ଓ କହିଲେ ଉପରୋକ୍ତ ପଞ୍ଚାୟତର ଜି.ଆର.ଏସ.ଙ୍କୁ ଫୋନ୍ ଲଗାଅ । ଉଭୟଙ୍କୁ ଲାଉଡ଼୍ ସ୍ପିକରରେ ରଖି ବିଡ଼ିଓ କଥା ହେଲେ ଓ ସମସ୍ୟାର ସମାଧାନ ସାଙ୍ଗେ ସାଙ୍ଗେ କରିଦେଲେ । ପରଦିନ ସେହି ଲୋକଙ୍କ ନାମକୁ ଶ୍ରମିକ ତାଲିକାରେ ଯୋଡ଼ିବା ପାଇଁ ନିର୍ଦ୍ଦେଶ ଦେଲେ । ସମସ୍ୟାକୁ ତୁରନ୍ତ ସମାଧାନ କରିବାର ତାଙ୍କର ଏହି ଶୈଳୀ ବହୁତ ଭଲ ଲାଗିଲା । ତା’ପରେ ସମଗ୍ର ବ୍ଲକ୍‌ରେ ମରୁଡ଼ି ସମସ୍ୟାକୁ ସମାଧାନ କରିବା ପାଇଁ ମନରେଗା ମାଧ୍ୟରେ ତାଙ୍କର ଯୋଜନା ବିଷୟରେ ସେ ଆମକୁ କହିଲେ ଓ ସେଥିପାଇଁ ସେ ଆପ୍ରାଣ ଉଦ୍ୟମ କରୁଥିବାର ସୂଚନା ମଧ୍ୟ ଆମେ ପାଇଲୁ । ଯେଉଁମାନେ କୁହନ୍ତି ବିଡ଼ିଓମାନେ ଏତେ ବ୍ୟସ୍ତ ଯେ, ସେ ଲୋକମାନଙ୍କର ଫୋନ୍‌ର ଉତ୍ତର ଦେଇପାରିବା ଅସମ୍ଭବ, ସେମାନଙ୍କ ପାଇଁ ଶ୍ରୀ ନାୟକ ନିଶ୍ଚିତ ଭାବେ ଏକ ଉଦାହରଣ । ଏତଦ୍‌ବ୍ୟତୀତ ସିନାପାଲି ବ୍ଲକ୍‌ରେ ଲୋକମାନଙ୍କ ମନରେ ମନରେଗା କାମକୁ ନେଇ ସେ ବିଶ୍ୱାସ ଫେରେଇ ଆଣିପାରିଛନ୍ତି, ଏହା ଏକ ଉଦାହରଣ ସ୍ଥାନୀୟ ଉପଲବ୍‌ଧି ।

ଆଜିର ସମୟରେ ଭଲ ମଣିଷ ଯେମିତି ବିରଳ ସେମିତି ଭଲ ଅଧିକାରୀ ବି ତା ଠାରୁ ଅଧିକ ବିରଳ । ତେଣୁ ଏମିତି କିଛି ଅଧିକାରୀ ନିଶ୍ଚିତ ଭାବେ ଆମ ମନର ଆଶା ଓ ବିଶ୍ୱାସକୁ ବଞ୍ଚେଇ ରଖିଛନ୍ତି । ଏହିପରି ଅଧିକାରୀଙ୍କ ତାଲିକା ଆହୁରି ଲମ୍ବା ହେଉ ବୋଲି ଆମେ ଆଶା କରିବା ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮
ମୋ- ୯୪୩୮୪୬୮୪୭୪

Leave A Reply

Your email address will not be published.