Latest Odisha News

BREAKING NEWS

ମରିଗଲା ମାନବିକତା: ସ୍ତ୍ରୀ ସାଙ୍ଗେ ଝଗଡ଼ା କରି ୪ ସନ୍ତାନଙ୍କୁ କେନାଲ ଭିତରେ ଫିଙ୍ଗିଦେଲେ ସ୍ବାମୀ

ଆଗ୍ରା: ମରିଗଲା ମାନବିକତା । ରାଗ ଆଗରେ ପର ହୋଇଗଲା ରକ୍ତର ସଂପର୍କ । ସ୍ତ୍ରୀ ସାଙ୍ଗେ ଝଗଡ଼ା କରି ୪ ସନ୍ତାନଙ୍କୁ କେନାଲ ଭିତରେ ଫିଙ୍ଗିଦେଲେ ସ୍ବାମୀ । ଉତ୍ତର ପ୍ରଦେଶର କାସଗଞ୍ଜ ଜିଲ୍ଲା ଅନ୍ତର୍ଗତ ସାହାୱାର ଥାନା ଅଧୀନ ଶେଖ୍ପୁର ହୁନ୍ଦାରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସ୍ତ୍ରୀ ସଙ୍ଗେ ଝଗଡ଼ା କରି ୩୦ ଫୁଟ୍ ଉଚ୍ଚ ପୋଲରୁ କେନାଲ୍ ଭିତରକୁ ୪ଜଣ ସନ୍ତାନଙ୍କୁ ଫିଙ୍ଗି ଦେଇଥିବା ଜଣେ ୩୫ ବର୍ଷିୟ ବ୍ୟକ୍ତିଙ୍କୁ ମଙ୍ଗଳବାର ଦିନ ଗିରଫ କରିଛି ପୋଲିସ। ସେପଟେ କେନାଲରେ ପଡ଼ିଥିବା ୪ଜଣ ପିଲାଙ୍କ ମଧ୍ୟରୁ ତାଙ୍କ ୧୨ ବର୍ଷୀୟ ଝିଅ ପ୍ରଭା ନିଜେ ପହଁରି ଆସିବା ସହିତ ତା’ର ଦୁଇଜଣ ଭାଇଭଉଣୀଙ୍କୁ ଉଦ୍ଧାର କରିଛି। ହେଲେ ସେମାନଙ୍କର ଆଉ ଜଣେ ୫ ବର୍ଷୀୟ ଭଉଣୀ କେନାଲରେ ନିଖୋଜ ହୋଇଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଘରୋଇ କଳି ପରେ ସୋମବାର ଦିନ ଅଭିଯୁକ୍ତ ପୁଷ୍ପେନ୍ଦ୍ର କୁମାର ତାଙ୍କ ସ୍ତ୍ରୀକୁ ନେଇ ଶଶୁର ଘରେ ଛାଡ଼ି ଦେଇ ଆସିଲେ। ଶଶୁର ଘରୁ ଫେରି କୁମାର ପିଲାମାନଙ୍କୁ କହିଲେ କି, କିଛି ଦୂରରେ ଗୋଟାଏ ମନ୍ଦିର ପାଖରେ ହେଉଥିବା ମେଳାକୁ ସେମାନଙ୍କୁ ବୁଲାଇ ନେବେ । ମେଳାକୁ ନେବା ବାଟରେ ଥିବା ଗୋଟାଏ କେନାଲ୍ ପୋଲ ଉପରେ କୁମାର ଅଟକି ୪ ସନ୍ତାନଙ୍କୁ କେନାଲ୍ ଭିତରକୁ ଫିଙ୍ଗି ଦେଇଥିଲେ।

ପାଣିରେ ପଡ଼ିବା ପରେ ଉପସ୍ଥିତି ବୁଦ୍ଧି ଖଟାଇ ୧୨ ବର୍ଷୀୟ ପ୍ରଭା ସାନଭଉଣୀ କାଜଲର ହାତକୁ ଜାବୁଡ଼ି ଧରି ପହଁରି ପହଁରି କୂଳକୁ ଉଠି ଆସିଲା। କେବଳ ସେ ଏକା ନିଜ ଜୀବନକୁ ବଞ୍ଚାଇଛି ତାହା ନୁହେଁ ତାହା ସହ ବୁଡ଼ିଯାଉଥିବା ବଡ଼ଭାଇକୁ ପାଟି କରି କହିଲା କି, କିଛି ସହାୟତା ଆସିବା ପର୍ଯ୍ୟନ୍ତ ସେ କୌଣସି ମତେ ପୋଲର ଖମ୍ବକୁ ଧରି ଅଟକି ରହିବାକୁ ।

ପରେ ପ୍ରଭା ଚିତ୍କାର କରି ଯାତାୟାତ କରୁଥିବା ବାଟୋଇମାନଙ୍କୁ ଡାକି ବଡ଼ଭାଇକୁ କେନାଲ୍ରୁ ଉଦ୍ଧାର କରିଥିଲା। ଗ୍ରାମବାସୀମାନଙ୍କ କହିବା ଅନୁସାରେ, ୩ଜଣଯାକ ଏବେ ଭଲ ଅଛନ୍ତି। କିନ୍ତୁ, ନିଖୋଜ ହୋଇଯାଇଥିବା ସାନ ଭଉଣୀର ପତ୍ତା ମିଳିପାରି ନାହିଁ ।

Leave A Reply

Your email address will not be published.