Latest Odisha News

ଆରମ୍ଭ ହେଲା ମାର୍ଗଶିର ମାସର ମାଣବସା ଗୁରୁବାର ପୂଜା

ଭୁବନେଶ୍ୱର: ଆରମ୍ଭ ହୋଇଛି ଓଡ଼ିଆ ଘରର ମାଣବସା ଓଷା । ଏହା ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ । ଏହି ପର୍ବରେ ମହାଲକ୍ଷ୍ମୀଙ୍କୁ ଗୃହରେ ଧନଧାନ୍ୟ ବୃଦ୍ଧି ନିମନ୍ତେ ମଧ୍ୟ ପୂଜା କରାଯାଏ । ମାର୍ଗଶିର ମାସରେ ଓଡ଼ିଆ ସାଧବା ନାରୀମାନେ ଏହି ଓଷା ପାଳନ କରିଥାନ୍ତି । ଏହି ପୂଜା ଅନ୍ୟ ଦେଶ ଓ ରାଜ୍ୟମାନଙ୍କରେ ପ୍ରଚଳନ ନାହିଁ । ମାଣବସା ଓଷାକୁ ଲକ୍ଷ୍ମୀପୂଜା ମଧ୍ୟ କୁହାଯାଏ । ଏହି ଓଷାକୁ ଓଡ଼ିଶାର ସମସ୍ତ ଜାତିର ଲୋକେ ପାଳନ କରିଥାନ୍ତି । ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ, ସମୃଦ୍ଧି, ପରିଷ୍କାର-ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ ।

ମାର୍ଗଶିର ମାସରେ ପୂଜା ଘରେ ଧାନ ମେଣ୍ଟା ବା “ଧାନବେଣୀ”ରେ ସଜାଯାଇଥାଏ । ଧାନକେଣ୍ଡାକୁ ଗୁନ୍ଥି ଏହି ମେଣ୍ଟା ବା ବେଣୀ ତିଆରି କରାଯାଏ ।

ନାମକରଣ:

ଚାଉଳ ଆଦି ଶସ୍ୟ ମାପିବା ପାଇଁ ମାଣର ବ୍ୟବହାର ହୋଇଥାଏ । ଏହି ଓଷାରେ ଧାନମାଣ ବସାଇ ତାହାକୁ ପୂଜା କରାଯାଉଥିବାରୁ ଓଷାଟି ମାଣବସା ନାମରେ ଜଣାଯାଏ ।

ପ୍ରକାର:

ପର୍ବ ସମାନ ବିଧିରେ ଓଡ଼ିଶାର ବିଭିନ୍ନ ଆଦିବାସୀ ସମାଜରେ ମଧ୍ୟ ପାଳିତ ହୋଇଥାଏ । ସାନ୍ତାଳମାନେ “ଇରୁ ମାମଣେ”, ଭୂୟାଁମାନେ “ମଗୁଶୀର ଗୁରୁବାର ହଲବା”, ହୋ ଓ ଓମାନାତ୍ୟାମାନେ ଲକ୍ଷ୍ମୀ ପୂଜା କରିଥାନ୍ତି । ଏହି ସମୟରେ ସନ୍ତାନସନ୍ତତି ନଥିବା ନାରୀମାନେ ସନ୍ତାନ ଆଶାରେ କାଞ୍ଜି ଅଁଳାବା”ଶୁଖୁଆ ବୋହୁ” ବା “ଷଠି ଓଷା” କରିଥାନ୍ତି ।

ବିଧି:

ମାର୍ଗଶିର ମାସରେ ପ୍ରଥମ ଧାନ ଅମଳ ଆରମ୍ଭ ହୁଏ । ଚାଷୀ ତା’ର ଖଳାକୁ ଧାନହଳା ଆଣିଥାଏ । ଧାନ ଅମଳ କରି ଘରକୁ ଆଣିବା ଆଗରୁ ତା’ର ଘରଣୀ ଏଥିରୁ ଧଳାଧାନର ଶିଶା ବାଛି ବାହାର କରିଥାଏ। ଏହି ଧାନର ଶିଶାରେ ବେଣୀ ବାନ୍ଧି ମେଣ୍ଟି ବା ମେଣ୍ଟା ପ୍ରସ୍ତୁତ କରି ଏହାକୁ ଶୁଖାଇ ଅତି ଯତ୍ନ ଓ ଆଦରରେ ରଖିଥାଏ ।

ଗୁରୁବାର ଓଷାର ପୂର୍ବଦିନରୁ ଘର ଦ୍ୱାର ଅଗଣା ଓ ଘର ଚାରିପାଖ ଗୋବର ମାଟିରେ ଲିପା ପୋଛା କରି ପରିଷ୍କାର କରିଥାଏ । ଅମଳ ପରେ ଖଳାରେ ସେହି ସ୍ତୁପୀକୃତ ଧାନକୁ ଅନ୍ନ ଓ ଧନର ଦେବୀ ଲକ୍ଷ୍ମୀଙ୍କର ଆଶିଷ ବୋଲି ମାନି ଏହି ଓଷା ପାଳନ କରାଯାଇଥାଏ ।

ମାଣବସା ଗୁରୁବାର ଓଷା ପୂର୍ବଦିନ ରାତିରେ ଗୃହିଣୀମାନେ ଘରଦ୍ୱାର ଲିପାପୋଛା କରି ଝୋଟିଚିତା ପକାଇଥାନ୍ତି । ଗୁରୁବାର ଦିନ ବଡ଼ିଭୋରରୁ ଉଠି ନାରୀମାନେ ସ୍ନାନାଦି କାର୍ଯ୍ୟ ସାରି ଲକ୍ଷ୍ମୀଙ୍କ ପୂଜା ଆରମ୍ଭ କରିଥାନ୍ତି । ଗାଁମାନଙ୍କରେ ମହିଳାମାନେ ମାଟିଘରକୁ ଗୋବରରେ ଲିପାପୋଛା କରି ନୂତନ ଚାଉଳର ପିଠଉରେ ଝୋଟି ଏବଂ ଲକ୍ଷ୍ମୀପାଦରେ ଆଙ୍କନ୍ତି । ଘରର ପ୍ରତ୍ୟକ ଦୁଆର ଅଗଣା କାନ୍ଥ ଓ ଚାରିପାଖ ଝୋଟି ଚିତାଦ୍ୱାରା ସଜାଯାଇଥାଏ ।

ମାଣ ଖଟୁଲି ଉପରେ ଏକ ନୂଆ ମାଣରେ ଧଳାଧାନ ଭରି ରଖାଯାଏ । ହଳଦୀ ଓ ଗୁଗୁଳ ବାଟି ମାଣର ଉପରପାଶ୍ୱର୍ରେ ଲେପ ଦିଆଯାଏ ଯାହା ଏକ ମୁହଁର ରୂପ ନେଇଥାଏ । ସେଥିରେ କଉଡିକୁ ଆଖିଭାବେ ବ୍ୟବାରକରି ନିଜର ସୃଜନ ଶୈଳିଦ୍ୱାରା ମାଣକୁ ଏକ ସୁନ୍ଦର ମୁହଁର ରୂପ ଦେଇ ଖଟୁଲିରେ ରଖି ତା ଉପରେ ଧାନର ମେଣ୍ଟାକୁ ରଖାଯାଏ । ନାଲିଛିଟ ଓ ସୁନ୍ଦର ପାଟକନାରେ ଓଢଣୀ ଦେଇ ଏହାକୁ ଏକ ନବ ବଧୂର ରୂପ ସଦୃଶ କରାଯାଏ ।

ମା’ଲକ୍ଷ୍ମୀଙ୍କର ଖଟୁଲି ବା ଆସ୍ଥାନ ଚାରିପଟେ ଷୋଳ ପାଖୁଡା ବିଶିଷ୍ଟ ଦିବ୍ୟ, ପଦ୍ମ ଅଙ୍କନ କରାଯାଇଥାଏ । ଘରର ଚତୁଃପାଶ୍ୱର୍ରୁ ମା’ଙ୍କର ପଦ୍ମ ପାଦର ଚିତା ଆସ୍ଥାନ ପର୍ଯ୍ୟନ୍ତ ଅଙ୍କାଯାଏ । କେହି କେହି ଗବପତ୍ର, ଗୟାତୁଳସୀ, କଳାପାତି, ସିନ୍ଦର ଫରୁଆ, ପିତ୍ତଳମୂର୍ତ୍ତି ଇତ୍ୟାଦି ମଧ୍ୟ ରଖିଥାନ୍ତି ।

ଧାନଖଳାକୁ ମଧ୍ୟ ସେଦିନ ଝୋଟିଚିତାରେ ଚିତ୍ରିତ କରାଯାଇଥାଏ । ଲକ୍ଷ୍ମୀଙ୍କର ସ୍ଥାପନା ପାଇଁ ଠାକୁରଘରର ଏକ ସ୍ୱତନ୍ତ୍ର ସ୍ଥାନ ନିରୂପଣ କରାଯାଏ । ପୂଜାସ୍ଥାନରେ ପିଠଉରେ କୋଠି କରି ଷୋହଳ ପାଖୁଡା ପଦ୍ମଫୁଲ ଅଙ୍କାଯାଏ । ପୂଜା ପାଇଁ ପୂର୍ବରୁ ପ୍ରସ୍ତୁତ କରି ରଖାଯାଇଥାଏ ଅମଳ ହୋଇଥିବା ଶୁକ୍ଳଧାନ , ମାଣ, ଗୁଆ, କଉଡି, ନଡିଆ, ଦୁବ, ବରକୋଳି ପତ୍ର, ସିନ୍ଦୂର, ଧୂପଦୀପ ଓ ନୈବେଦ୍ୟ । ମାଣ ବସାଇବା ପୂର୍ବରୁ ସେହିମାଣକୁ ହଳଦୀ ପାଣିରେ ଧୋଇ ଖରାରେ ଶୁଖିଯିବା ପରେ ସିନ୍ଦୂର ବୋଳାଯାଏ ।

ପ୍ରଥମେ ଏକ ଖଟୁଲିରେ କିଛି ନୂଆଧାନ ରଖାଯାଏ । ସିନ୍ଦୂର ବୋଳାଯାଇଥିବା ମାଣ ବା ଗଉଣୀକୁ ଲକ୍ଷ୍ମୀ ଦେବୀଙ୍କର ପ୍ରତୀକ ସ୍ୱରୂପ ନୂଆ ଧଳାଧାନରେ ପୂର୍ଣ୍ଣକରି ତା’ ଉପରେ ଗୁଆ ରଖାଯାଏ । ସେହି ମାଣକୁ ଖଟୁଲି ଉପରେ ବସାଇ ତା’ଉପରେ ଧାନବେଣୀ ରଖି ନୂତନ ପାଟଲୁଗାର ଓଢ଼ଣୀ ଢଙ୍କାଯାଏ । ଲକ୍ଷ୍ମୀଙ୍କୁ ଏକ ନବବଧୂ ବେଶରେ ସଜାଯାଇ ଚନ୍ଦନ ସିନ୍ଦୂର ଆଦି ଦେଇ ସ୍ଥାପନା କରାଯାଏ । ବିଧି ଅନୁଯାୟୀ ଖଟୁଲି ଉପରେ ଲକ୍ଷ୍ମୀଙ୍କର କାଠରେ ନିର୍ମିତ ପ୍ରତିମା, ପାନିଆଁ, ଆଇନା, କଜ୍ଜଳ ଏବଂ ଖଟୁଲି ପାଖରେ ଆଖୁ, ମୂଳା ନିକଟରେ ରଖାଯାଇଥାଏ ।

ଭୋଗ:

ପୂଜା କାଳରେ ଧୂପ, ଦୀପ ଓ ନୈବେଦ୍ୟ ଆଦି ଅର୍ପଣ କରାଯାଏ ଲକ୍ଷ୍ମୀଙ୍କ ପାଖରେ । ପିଠାପଣା ଓ ଫଳମୂଳ ଭୋଗ (କଦଳୀ, ଛେନା, ନଡ଼ିଆ, ଗୁଡ଼, ଗୋଲମରିଚ ଓ ଅନ୍ୟାନ୍ୟ ଫଳ ) ଲକ୍ଷ୍ମୀଙ୍କ ପାଖରେ ଲଗାଯାଏ ।

ଏଥି ସହିତ ମଣ୍ଡା ପିଠା ତିଆରି କରାଯାଇ ଭୋଗ ଦିଆଯାଇଥାଏ । ବିଭିନ୍ନ ପାଳିରେ ଭିନ୍ନ ଭିନ୍ନ ପିଠାପଣା ପ୍ରସ୍ତୁତ କରି ଲକ୍ଷ୍ମୀଙ୍କୁ ପାଖରେ ଲାଗି କରାଯାଇଥାଏ । ଲକ୍ଷ୍ମୀଙ୍କୁ ଧୂପ, ଦୀପ, ନେବେଦ୍ୟ ସହ ବାଳଭୋଗରେ ଛୋନା, ଗୁଡ଼, ନଡ଼ିଆ, କଦଳୀକୁ ଚକଟି ଭୋଗ ଲଗାଯାଏ ।

୩ ଧୂପ ମଧ୍ୟରୁ ଏହାକୁ ବାଳଧୂପ କୁହାଯାଏ । ଏହାପରେ ମଧ୍ୟାହ୍ନ ଧୂପପାଇଁ ପ୍ରସ୍ତୁତି ଆରମ୍ଭ ହୁଏ । ମଧ୍ୟାହ୍ନରେ ଶଙ୍କୁଡ଼ି ଧୂପରେ ଲାଗିହେବା ପାଇଁ ଖିରି ବା ତରଣ, ଚକୁଳିପିଠା, ତରକାରି ଇତ୍ୟାଦି ପ୍ରସ୍ତୁତ କରାଯାଇ ଶ୍ରଦ୍ଧାର ସହ ଭୋଗ ଲଗାଯାଏ । ମଧ୍ୟାହ୍ନ ଭୋଗପରେ ମା’ଙ୍କ ସମ୍ମୁଖରେ ଲକ୍ଷ୍ମୀ ପୁରାଣ ବୋଲାଯାଏ ।

ଏହି ଭୋଗ ଘରର ପ୍ରତ୍ୟେକ ସଦସ୍ୟ ଖାଇଥାନ୍ତି । ଏହିଭୋଗକୁ ପରିବାର ଛଡ଼ା ଅନ୍ୟ କାହାକୁ ନଦେବାର ନିୟମ ଅଛି । ଗୋଧୂଳି ସମୟରେ ସନ୍ଧ୍ୟା ଧୂପରେ ଆଉଥରେ ବାଳଧୂପପରି ଭୋଗ ଲଗାଯାଇ ସଧ୍ୟା ପୂଜା କରାଯାଏ ।

୨ୟ ଗୁରୁବାରରେ ଚିତଉପିଠା, ଦହିକାଲୁଆ, ୩ୟରେ ଖେଚୁଡ଼ି-ଡାଲମା ଏବଂ ୪ର୍ଥରେ ମଣ୍ଡା ପିଠା ଭୋଗ ଲାଗି ହୋଇଥାଏ।

ମାର୍ଗଶିର ମାସର ଶେଷ ଗୁରୁବାର ଦିନ ବ୍ରତ ସାରି ଉଜୁଆ ଯାଏ । ଏହି ଦିନ ପୂର୍ବଭଳି ସମସ୍ତ ନୀତିରେ ମାଣ ବସାଇ ମଣ୍ଡା ପିଠା ଓ ଖିରି ଭୋଗ କରାଯାଏ । ସଞ୍ଜ ଭୋଗ ପରେ ସେହି ମାଣରେ ଥିବା ଧାନକୁ ଆଉ ଏକ ଜାଗାରେ ଅଜାଡ଼ି ରଖାଯାଏ । ପୂଜାର ଅନ୍ୟ ସମସ୍ତ ସଜକୁ ସହକାରେ ନେଇ ପୋଖରୀ ଆଦି ଜଳାଶୟରେ ବିସର୍ଜନ କରାଯାଏ ।

ପୂଜାରେ ବ୍ୟବହୃତ ଧାନକୁ କୁଟି ସେହି ଚାଉଳରେ ଖିରି ବା ଜାଉ ରାନ୍ଧି କେବଳ ଘର ଲୋକଙ୍କ ମଧ୍ୟରେ ଖିଆଯାଏ । ଏହିପରି ଲକ୍ଷ୍ମୀଙ୍କୁ ଆବାହନ କରିବାଠାରୁ ବିସର୍ଜନ କରାଯିବା ପର୍ଯ୍ୟନ୍ତ ସମସ୍ତ ବିଧି ବିଧାନକୁ ପାଳନ କରି ଘରର ବିବିଧ ଉନ୍ନତି କାମନା କରାଯାଏ

Leave A Reply

Your email address will not be published.