Latest Odisha News

BREAKING NEWS

ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୨୮ତମ ବାର୍ଷିକ ଉତ୍ସବ ତଥା କୁମାରସ୍ବାମୀ ମହୋତ୍ସବ ଉଦଯାପିତ

ଭବାନୀପାଟଣା: କଳାହାଣ୍ଡି କଳା ସଂସ୍କୃତି, ଐତିହ୍ୟ, ପରମ୍ପରା, ସାହିତ୍ୟ, ଲୋକଗୀତ, ଲୋକନୃତ୍ୟର ବାର୍ତ୍ତାବହ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୨୮ତମ ବାର୍ଷିକ ଉତ୍ସବ ତଥା କୁମାରସ୍ବାମୀ ମହୋତ୍ସବ ଉଦଯାପିତ ହୋଇଯାଇଛି। ନର୍ଲା ବ୍ଲକ ବୁଢ଼ୀପଦରଠାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ କୁମାରସ୍ବାମୀ ଓ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରାଯାଇଥିଲା।

କରୋନା ସଂକଟ ଯୋଗୁଁ ଏବର୍ଷ ଦେବଗିରି ସମ୍ମାନ, ସାମ୍ବାଦିକତା ସମ୍ମାନ, ଦେଶସେବା ସମ୍ମାନ, ସମାଜସେବା ସମ୍ମାନ ସମେତ କୃଷି, ଶିଳ୍ପୀ, କଳା, ଲୋକଗୀତ, ଲୋକନୃତ୍ୟ ଆଦି ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି (ମୁନ୍ନା) ଯୋଗଦେଇ ଦେବଗିରିର କଳା ସଂସ୍କୃତି ଓ ଅତୀତ ଗୌରବ ଗାଥା ଉପରେ ଆଲୋକପାତ କରିଥିଲେ।

ପ୍ରାଚୀନ ମହାକାନ୍ତାର ସଭ୍ୟତାର ରାଜଧାନୀ ଅସୁରଗଡର ପ୍ରତିରକ୍ଷା ଘାଟି ଭାବେ ଦେବଗିରି ସୁପରିଚିତ। ହଜାର ହଜାର ବର୍ଷ ପରେ ମଧ୍ୟ ଦେବଗିରି ଅଞ୍ଚଳରେ ପ୍ରାଚୀନ କଳା ସଂସ୍କୃତି ଅମଳିନ ଭାବେ ବଞ୍ଚିରହିଛି। କଳାହାଣ୍ଡିର କଳା ସଂସ୍କୃତିର ସଂରକ୍ଷଣ ଦିଗରେ ଦେବଗିରିର ଭୂମିକା ଅତୁଳନୀୟ। ତେଣୁ ପରବର୍ତ୍ତୀ ପିଢି ମଧ୍ୟ ଏହାର ସଂରକ୍ଷଣ ପାଇଁ ବ୍ରତୀ ହେବା ଉଚିତ ବୋଲି ସମାରୋହରେ ମତ ପ୍ରକାଶ ପାଇଥିଲା।

ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ, ମୁଖ୍ୟ ଉପଦେଷ୍ଟା ବିଜୟ କୁମାର ଧଙ୍ଗଡ଼ାମାଝୀ କୋଷାଧ୍ୟକ୍ଷ ଜୟଦ୍ରଥ ଜାଲ ଏବଂ ଉପସଭାପତି ନେତ୍ରାନନ୍ଦ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

ଅନୁଷ୍ଠାନର ଯୁଗ୍ମସଂପାଦକ ତଥା ଯୁବଲେଖକ ସୁଧୀର କୁମାର ଧଙ୍ଗଡ଼ାମାଝୀ ମଞ୍ଚ ପରିଚାଳନା କରିଥିବାବେଳେ ସାଂସ୍କୃତିକ ସଂପାଦକ ସଲିଲ କୁମାର ଧଙ୍ଗଡ଼ାମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସୋନପୁର, ବଲାଙ୍ଗିର, କଳାହାଣ୍ଡି ଓ ସମ୍ବଲପୁର ଜିଲ୍ଲାର କଳାକାରମାନଙ୍କୁ ସମ୍ମାନିତ କରାଯାଇଥିଲା। ସଂପୂର୍ଣ୍ଣ ଭାବେ କୋଭିଡ୍ ନିୟମ ପରିପାଳନ କରି ଉତ୍ସବ ପରିଚାଳିତ ହୋଇଥିଲା।

Leave A Reply

Your email address will not be published.