‘ବାର୍ଥ ଡେ ପାର୍ଟିରେ ଦୁଷ୍କର୍ମ ହୋଇନି, କେବଳ ଧମକାଇଥିଲେ ଓ ପିଟିଥିଲେ’
ଗଣଦୁଷ୍କର୍ମ ଶବ୍ଦକୁ ରେକ୍ଟିଫାଏ କରିବାକୁ କହିଛନ୍ତି ଜୋନ୍-୫ ଏସିପି ସଞ୍ଜୀବ ଶତପଥୀ
ଭୁବନେଶ୍ୱର : ମଞ୍ଚେଶ୍ୱର ଥାନା ପାତ୍ରସାହି ବସ୍ତିରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣାରେ ଟ୍ୱିଷ୍ଟ । ମହିଳାଙ୍କୁ ଗଣଦୁଷ୍କର୍ମ ହୋଇନି । ବାର୍ଥ ଡେ ପାର୍ଟିରେ ବିଳମ୍ୱିତ ରାତି ଯାଏଁ ଜୋର୍ ପାଟିତୁଣ୍ଡ କରିବାରୁ ବାରଣ କରିଥିଲେ ପୀଡ଼ିତା । ଅଭିଯୁକ୍ତ ଜଣକ ପୀଡ଼ିତାଙ୍କ ଘର ଭିତରକୁ ପଶି ତାଙ୍କୁ ପିଟାମରା କରିଥିଲେ, କିନ୍ତୁ ଦୁଷ୍କର୍ମ କରିନାହାଁନ୍ତି ବୋଲି କହିଛନ୍ତି ଖୋଦ୍ ପୀଡ଼ିତା ।
ଦୁଷ୍କର୍ମ ଅଭିଯୋଗରେ ମଞ୍ଚେଶ୍ୱର ପୋଲିସ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏବେ ପୀଡ଼ିତା କହୁଛନ୍ତି, ଆମେ କମ୍ପ୍ରମାଇଜ୍ କରିବୁ । ସେମାନେ ମୋତେ ଦୁଷ୍କର୍ମ କରିନାହାଁନ୍ତି । ଦୁଷ୍କର୍ମ କରିବାକୁ ଧମକ ଦେଇଥିଲେ । ଅଶ୍ଳିଳ ଭାଷା କହି ବାଡ଼େଇଥିଲେ । ଘରର ଜିନିଷ ଫୋପାଡି ଦେଇଥିଲେ । ତେଣୁ ଏଫଆଇଆର୍ ଦେଇଥିଲି ବୋଲି ପୀଡ଼ିତା କହିଛନ୍ତି । ଅଭିଯୁକ୍ତ ଥାନାରେ ମୋତେ କ୍ଷମା ମାଗିସାରିଛନ୍ତି । ସେମାନଙ୍କୁ ଜେଲ୍ ନହେଉ ବୋଲି ପୀଡିତା କ୍ୟାମେରା ଆଗରେ କହିଛନ୍ତି ।
ତାଙ୍କ ସ୍ୱାମୀ ଘଟଣା ଦିନ ଘରେ ନଥିଲେ, ତେବେ ଅଭିଯୁକ୍ତଙ୍କ ସହିତ ଆପୋଷ ବୁଝାମଣା କରିବାକୁ ପ୍ରସ୍ତୁତ ଥିବା କଥା ମଧ୍ୟ ସେ କହିଛନ୍ତି । ପୀଡିତାଙ୍କ ଏପରି ବୟାନ ପରେ ଜୋନ୍ ଫାଇଭ୍ ଏସିପି ସଞ୍ଜୀବ ଶତପଥୀ ପ୍ରେସ ବିବୃତ୍ତି ଜାରି କରିଛନ୍ତି । ଗଣଦୁଷ୍କର୍ମ ଶବ୍ଦକୁ ରେକ୍ଟିଫାଏ କରିବାକୁ କହିଛନ୍ତି ।
Comments are closed.