Latest Odisha News

ଝାଞ୍ଜି ଖରାରେ ମହାପ୍ରଭୁ ପିଇଲେ ମାଣିକ ଦହି…

ଦୃଢ ବିଶ୍ୱାସ ଓ ଭକ୍ତି ଭାବନାରେ ବନ୍ଧା ସେହି ଦାରୁବ୍ରହ୍ମ ରୂପୀ ପରଂବ୍ରହ୍ମ ଶ୍ରୀଜଗନ୍ନାଥ । ଭକ୍ତର ସରଳ, ନିଷ୍କପଟ ହୃଦୟରେ ମହାପ୍ରଭୁ ବାନ୍ଧି ହୋଇଯାଆନ୍ତି ଚିରକାଳ । ଭକ୍ତ ଚାହିଁଲେ ସ୍ୱହୃଦୟରେ ତା’ର ଅନ୍ତର୍ଯ୍ୟାମୀ ପରମାତ୍ମାଙ୍କୁ ଜ୍ଞାନଚକ୍ଷୁରେ ଦର୍ଶନ କରିପାରିବ । ଏଥିଲାଗି ଦରକାର ଅଚଳାଚଳ ଭକ୍ତି ଭାବନା । ଭଗବାନଙ୍କଠାରେ ଦୃଢ ବିଶ୍ୱାସ ତଥା ଅମାୟିକ ସରଳ ସ୍ୱଚ୍ଛ ହୃଦୟର ଭକ୍ତି ଭାବନାରେ ସେ ଭକ୍ତଠାରେ ବାନ୍ଧି ହୋଇପଡ଼ିଥାନ୍ତି । ସେହିପରି ଶ୍ରୀଜଗନ୍ନାଥଙ୍କ ଠାରେ ଅତୁଟ ବିଶ୍ୱାସ ରଖିଥିବା ଉକ୍ରଳର ଗଜପତି ମହାରାଜା ଥିଲେ ପୁରୁଷୋତ୍ତମ ଦେବ । ସେହିପରି ମାଣିକ ଗଉଡୁଣୀର ପ୍ରେମ, ସ୍ନେହ ଓ ସଦିଚ୍ଛାରେ ମହାପ୍ରଭୁ ତା’ର ଭକ୍ତ ପ୍ରତି ପ୍ରେମାତୁର ହୋଇପଡ଼ିଥିଲେ । ସେ ଚାହାନ୍ତି ଭକ୍ତ ହୃଦୟରେ ନିରନ୍ତର ସରଳତା, ପ୍ରେମ ଭାବନା ଓ ଶ୍ରଦ୍ଧାଯୁକ୍ତ ସମ୍ପର୍କ । ସେ ଅନ୍ତର୍ଯ୍ୟାମୀ ମହାପ୍ରଭୁ କରୁଣାର କୃପାସିନ୍ଧୁ ସେ ଭାବ ବିନୋଦିଆ ଭାବଗ୍ରାହୀ । ଭକ୍ତର ଭାବରେ ସେ ବନ୍ଧା । ପୁରୁଷୋତ୍ତମ ହୁଅନ୍ତୁ କି ମାଣିକ ପାଟଣାର ଦହି ବିକୁଥିବା ମାଣିକ ଗଉଡୁଣୀ ସେମାନଙ୍କର ଭଗବାନଙ୍କ ପ୍ରତି ଭକ୍ତି ଭାବନାର ପଟ୍ଟାନ୍ତର ନାହିଁ ।

ଉତ୍କଳର ମହାରାଜା ପୁରୁଷୋତ୍ତମ ଦେବ ଯେବେ ଦାକ୍ଷିଣାତ୍ୟର କାଞ୍ଚି ଯାଇଥିଲେ ସେଇଠି ସୁନ୍ଦରୀ ରାଜକୁମାରୀ ପଦ୍ମାବତୀଙ୍କ ସହିତ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା । ଗଜପତି ରାଜା ପୁରୁଷୋତ୍ତମ ଦେବ କାଞ୍ଚିର ରାଜକନ୍ୟା ପଦ୍ମାବତୀଙ୍କୁ ବିବାହ କରିବାକୁ ମନସ୍ଥ କରିଥିଲେ । ପୁରୀ ରାଜା ରଥଯାତ୍ରାରେ ଛେରା ପହଁରା କରୁଥିବାରୁ କାଞ୍ଚିରାଜା ବିବାହ କରିବାକୁ ଅମଙ୍ଗ ହେଲେ, ଏବଂ ଯୁଦ୍ଧର ପ୍ରସ୍ତାବ ଦେଲେ । ପ୍ରଥମେ ପୁରୀ ରାଜା ଯୁଦ୍ଧରେ ପରାସ୍ତ ହେବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଗଜପତିଙ୍କୁ ପୁନର୍ବାର ଯୁଦ୍ଧ କରି ବିଜୟୀ ହେବାର ଆଶୀର୍ବାଦ କଲେ ।

ଅବଶ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ୱୟଂ ଏହି ଯୁଦ୍ଧରେ ଲଢି ପୁରୀ ରାଜାଙ୍କୁ ବିଜୟୀ କରିବାକୁ ସ୍ୱପ୍ନରେ ପ୍ରତିଶ୍ରୁତି ଦେଇଥିଲେ । ଯୁଦ୍ଧର ଘନଘଟାରେ ଉକ୍ରଳର ଗଜପତି ରାଜା ସହସ୍ରାଧିକ ସୈନ୍ୟ-ସାମନ୍ତଙ୍କ ସହିତ କାଞ୍ଚି ଯିବାକୁ ପ୍ରସ୍ତୁତ ହେଲେ । ବୈଶାଖ ମାସର ଝାଞ୍ଜିର ପ୍ରକୋପ ବଢି ଚାଲିଥାଏ । ଚିଲିକା କୂଳରେ ମାଣିକ ନାମକ ଗଉଡୁଣୀଟିଏ ବସି ଦହି ବିକୁଥାଏ । ସେହିବାଟ ଦେଇ ଯାଉଥିବା ପଥଚାରୀଙ୍କୁ ଦହି ବିକି ଏକ ରକମ ଚଳି ଯାଉଥାଏ । କିଛି ସମୟ ପରେ ଧଳା ଘୋଡ଼ା ଓ କଳା ଘୋଡ଼ାରେ ଦୁଇଜଣ ରାଜପୁତ୍ର ପରି ଦିଶୁଥିବା ଯୁବକ ଦ୍ୱୟ ମାଣିକ ଗଉଡୁଣୀ ନିକଟରେ ଅଟକିଲେ । ଘୋଡ଼ା ରଖି ଦୁଇଜଣ ମାଣିକ ନିକଟକୁ ଦହି ପିଇବାକୁ ଗଲେ । ବୈଶାଖର ମୁଣ୍ଡଫଟା ଖରାରେ ତୃଷାର୍ତ୍ତ ଥିବା ଜଣାଇ ମାଣିକକୁ ଦହି ମାଗିଲେ । ଦୁଇଜଣଙ୍କୁ ଦହି ଦେବାବେଳେ ମାଣିକ ତାଙ୍କ ଦୁହିଁଙ୍କ ମୁହଁକୁ ଅପଲକ ନୟନରେ ଚାହିଁ ରହିଥାଏ । ମାଣିକ ଦହି ଦେଇ ଚାଲିଥାଏ ତ ଯୁବକ ଦୁହେଁ ଶୋଷରେ ଘୋଳଦହି ପିଇ ଚାଲିଥାନ୍ତି । ଦହି ପିଇଲା ପରେ କଳା ରଙ୍ଗର ଯୁବକଟି ମାଣିକକୁ କହିଲେ, ତୋ ଦହି ପ୍ରକୃତରେ ଅମୃତପରି ଥିଲା, ଏତେ ଖରାରେ ଆମେ ତମ ସୁସ୍ୱାଦୁ ଦହି ପିଇ ଟିକେ ସାଷ୍ଟାଙ୍ଗ ହେଲୁ । ଅନେକ ଦୂର ଯିବାକୁ ଅଛି । ଆମ ପାଖରେ କିଛି ବି ମୁଦ୍ରା କି କଉଡ଼ିଟେ ବି ନାହିଁ ତୁମ ଦହି ଦାମ ଦେବାକୁ । ଏଇ ରତ୍ନ ମୁଦ୍ରିକାଟି ନିଅ, ଆମ ରାଜା ପଛରେ ଆସୁଛନ୍ତି । ତାଙ୍କୁ କହିବ ଆମେ ଦୁଇଜଣ ଆଗେ ଆଗେ କାଞ୍ଚି ଯାଉଛୁ । ତାଙ୍କୁ ଏହି ମୁଦିଟି ଦେଖାଇଦେଲେ ସେ ତୁମକୁ ତୁମ ଦହିର ମୂଲ୍ୟ ଦେଇଦେବେ । ଏତିକି କହି କଳାଘୋଡ଼ା ଓ ଧଳାଘୋଡ଼ାରେ ଯୁବକ ଦୁହେଁ ଚାଲିଗଲେ ।

କିଛି ସମୟ ପରେ ସେହି ପଥରେ ମନ୍ତ୍ରୀ, କଟୁଆଳ, ସୈନ୍ୟ-ସାମନ୍ତଙ୍କ ସହ ରାଜା ଆସିଲେ । ମାଣିକ ଗଉଡୁଣୀ ରାଜାଙ୍କୁ ଅଟକାଇ ସେହି ଦୁଇ ଯୁବକ କାଞ୍ଚି ଅଭିମୁଖେ ଯିବାର ବୃତ୍ତାନ୍ତ କହିଲେ, ଏବଂ ଯୁବକ ଦୁହେଁ ଦେଇ ଯାଇଥିବା ରତ୍ନ ମୁଦ୍ରିକାଟିକୁ ରାଜାଙ୍କୁ ପ୍ରଦାନ କଲା । ରାଜା କିଛି ସମୟ ସେହି ମୁଦ୍ରିକାଟିକୁ ଦେଖି ତାହା ମହାପ୍ରଭୁଙ୍କ ରତ୍ନ ସିଂହାସନରେ ଥିବା ଶ୍ରୀଜଗନ୍ନାଥଙ୍କ ହିରା ଖଚିତ ମୁଦ୍ରିକାକୁ ଚିହ୍ନି ପାରିଲେ । ଗଉଡୁଣୀ ରାଜାଙ୍କୁ ବଲବଲ କରି ଚାହିଁ ରହିଥାଏ । ରାଜା ଆଶ୍ଚର୍ଯ୍ୟ ତଥା ଗଦ୍ଗଦ୍ ହୋଇ ଗଉଡୁଣୀକୁ କହିଲେ, ଆଲୋ ମାଣିକ ! ଯେଉଁ ଦୁଇଜଣ ଯୁବକଙ୍କୁ ତୁ ତୋ ନିଜ ହାତରେ ଦହି ପିଆଇଲୁ ସେ ଆଉ କେହି ନୁହଁନ୍ତି ଲୋ, ସେ ଦୁହେଁ ସ୍ୱୟଂ ଆମ ଶ୍ରୀଜଗନ୍ନାଥ ମହାପ୍ରଭୁ ଓ ତାଙ୍କ ବଡ଼ଭାଇ ଶ୍ରୀବଳଭଦ୍ର । ତୁ ବଡ଼ ଭାଗ୍ୟବତୀ ମାଣିକ । ରାଜା ମାଣିକର ଗାଁର ନାମ ମାଣିକପାଟଣା ସେହିଦିନୁ ଘୋଷଣା କରିବା ସହିତ ୫ଟି ଗାଁର ଜମିଦାରୀ ମାଣିକ ଗଉଡୁଣୀକୁ ପ୍ରଦାନ କଲେ ।

ପ୍ରକୃତରେ ଭକ୍ତ ଓ ଭଗବାନଙ୍କ ସମ୍ପର୍କ ସ୍ୱର୍ଗୀୟ, ଅନାବିଳ ଏବଂ ଏହି ମଧୁମୟ ସମ୍ପର୍କର ଅନୁଭବ କେବଳ ଅନୁଭୂତି ହାସଲ କରିଥିବା ଭକ୍ତଟିଏ ହିଁ ଜାଣିପାରେ । ଯୁଗେ ଯୁଗେ ଭକ୍ତର ଭକ୍ତି ଭାବରେ ହିଁ ବନ୍ଧା ସେହି ଭଗବାନ ପରମ ପ୍ରେମମୟ ପୁରୁଷୋତ୍ତମ ଦାରୁବ୍ରହ୍ମରୂପୀ ମହାପ୍ରଭୁ ଶ୍ରୀଜଗନ୍ନାଥ ।

Leave A Reply

Your email address will not be published.