Latest Odisha News

ମଣିପୁରରେ ପୁଣି ହିଂସା, କେନ୍ଦ୍ର ମନ୍ତ୍ରୀ ଆରକେ ରଞ୍ଜନ ସିଂଙ୍କ ଘରେ ନିଆଁ ଲଗାଇଲେ ଉଗ୍ରବାଦୀ

ଇମ୍ଫାଲ: ଗୁରୁବାର ରାତିରେ ମଣିପୁରର ଇମ୍ଫାଲରେ କେନ୍ଦ୍ର ମନ୍ତ୍ରୀ ଆରକେ ରଞ୍ଜନ ସିଂଙ୍କ ଘରେ ନିଆଁ ଲଗାଇ ଦେଲେ ଉଗ୍ରବାଦୀ। ଅଧିକାରୀଙ୍କ କହିବାନୁସାରେ ଘଟଣା ସମୟରେ କେନ୍ଦ୍ର ମନ୍ତ୍ରୀ ଘରେ ନଥିଲେ। କେବଳ ଏତିକି ନୁହେଁ ନ୍ୟୁ ଚେକଅନରେ ଦୁଇଟି ଘର ମଧ୍ୟ ପୋଡି ଦେଇଛନ୍ତି ହିଂସା ସୃଷ୍ଟିକାରୀମାନେ। ଘଟଣାସ୍ଥଳରେ ଉତ୍ତେଜନା ବଢିଯିବାରୁ ସୁରକ୍ଷା ବାହିନୀ ଲୁହବୁହା ଗ୍ୟାସ ଛାଡିଥିଲେ। ଏହାପୂର୍ବରୁ ଜୁନ୍ ୧୪ ରେ ଦୁର୍ବୃତମାନେ ମିଶି ଇମ୍ଫାଲର ଲ୍ୟାମ୍ପେଲ ଅଞ୍ଚଳରେ ମହିଳା ମନ୍ତ୍ରୀ ନେମଚା କିପଜେନଙ୍କ ସରକାରୀ ବାସଭବନରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ।

ମଣିପୁରରେ ଏବେ ବି ହିଂସା ଜାରି ରହିଛି। ଜୁନ୍ ୧୩ ରେ ଉଗ୍ରବାଦୀଙ୍କ ଦ୍ୱାରା ହଠାତ୍ ଗୁଳି ବିନିମୟରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଥିଲେ। ଏହାପରେ ଉଗ୍ରବାଦୀମାନେ ଖାମେନଲୋକ ଗାଁର ଅନେକ ଘରେ ନିଆଁ ଲଗାଇ ଦେଇଥିଲେ। ତାମେଙ୍ଗଲୋଙ୍ଗ ଜିଲ୍ଲାର ଗୋବାଜଙ୍ଗରେ ମଧ୍ୟ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଏହି ସମୟରେ ମଣିପୁରର ଅବସ୍ଥା ଅତ୍ୟନ୍ତ ଉତ୍ତେଜନାମୁଳକ ରହିଛି। ରାଜ୍ୟର ୧୬ ଟି ଜିଲ୍ଲା ମଧ୍ୟରୁ ୧୧ ଟି ଜିଲ୍ଲାରେରେ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ ରହିଛି।

କେବଳ ଏତିକି ନୁହେଁ, ମୌଳିକ ଆବଶ୍ୟକତା ପାଇଁ ଲୋକମାନେ ଅତ୍ୟଧିକ ସଂଘର୍ଷ କରୁଛନ୍ତି। ମଣିପୁରରେ ଏକ ମାସରୁ ଅଧିକ ସମୟ ଧରି ହିଂସା ଜାରି ରହିଛି। ରାଜ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ନିରନ୍ତର ଉଦ୍ୟମ କରାଯାଉଛି, କିନ୍ତୁ ସମସ୍ତ ଉଦ୍ୟମ ବିଫଳ ହୋଇଥିବା ଜଣାପଡିଛି। ଏକ ମାସ ପୂର୍ବରୁ ମଣିପୁରର ମୈତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ହିଂସାରେ ୧୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ୩୧୦ ଜଣ ଆହତ ହୋଇଥିଲେ। ରାଜ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ସେନା ଏବଂ ସାମରିକ କର୍ମଚାରୀ ନିୟୋଜିତ ହୋଇଛନ୍ତି।

Comments are closed.