Latest Odisha News

BREAKING NEWS

ବିଜେଡିରେ ମିଶିଲେ ଲାଞ୍ଜିଗଡ଼ ଓ ନର୍ଲା ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି ଓ କଂଗ୍ରେସ ନେତା

ଭୁବନେଶ୍ୱର: ବିଜେଡ଼ିରେ ଯୋଗଦେଲେ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଲାଞ୍ଜିଗଡ଼ ଓ ନର୍ଲା ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ । ଆଜି ଶଙ୍ଖଭବନ ଠାରେ ଧର୍ମଶାଳା ବିଧାୟକ ତଥା କଳାହାଣ୍ଡି ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ ଓ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ।

ଦଳରେ ସାମିଲ୍ ହୋଇଥିବା ସମସ୍ତ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଶ୍ରୀ ବଳବନ୍ତରାୟ ଓ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ବିଜେପି ଓ କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ଲାଞ୍ଜିଗଡ଼ ଓ ନର୍ଲା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ବଳବନ୍ତରାୟ ଓ ଡକ୍ଟର ପାତ୍ର କହିଛନ୍ତି ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ସମସ୍ତ ବିଜେପି ଓ କଂଗ୍ରେସ ନେତାମାନେ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ । ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ । ଦଳରେ ଆମକୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।

ଏହି ମିଶ୍ରଣ ପର୍ବରେ ବିଜେପିର ବରିଷ୍ଠ ନେତା ଚାଞ୍ଚେର ମାଝୀ, ହରିହର କୁମାର, ରାଜେନ୍ଦ୍ର ମାଳୀ, ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ତ୍ରିଲୋଚନ ପାଣିଗ୍ରାହୀ, ରାଜ୍ୟ କଂଗ୍ରେସ ସାଧାରଣ ସମ୍ପାଦକ ପରମାନନ୍ଦ ମାଝୀ, ଆଦିବାସୀ ସଂଘ ଉପସଭାପତି ଧନସିଂ ମାଝୀ, ସାଧାରଣ ସମ୍ପାଦକ ଦାଶରଥୀ ମାଝୀ, ଆଦିବାସୀ ସଂଘ ସଦସ୍ୟ ଗୌର ଚନ୍ଦ୍ର ମାଝୀ, ଯୋଗେନ୍ଦ୍ର ମାଝୀଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.