Latest Odisha News

BREAKING NEWS

ବରଗଡ଼ରେ ମାଓବାଦୀ କ୍ୟାମ୍ପ ବିଧ୍ୱସ୍ତ, ଗୁଳି ବିନିମୟରେ ୨ ନକ୍ସଲ ଆହତ

ସମ୍ବଲପୁର: ବରଗଡ଼ ଜିଲ୍ଲାରେ ନିରାପତ୍ତା ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହେବା ଯୋଗୁଁ ଏକ ମାଓବାଦୀ କ୍ୟାମ୍ପ ଧ୍ୱସ୍ତ ବିଧ୍ୱସ୍ତ ହେବା ସହିତ ବରଗଡ଼-ବଲାଙ୍ଗୀର ମହାସମୁନ୍ଦ ଡ଼ିଭିଜନ କମିଟି ମୁଖ୍ୟ ରବିନ୍ଦ୍ର ସମେତ ୨ଜଣ ସଶସ୍ତ୍ର ମାଓବାଦୀ ପୋଲିସ ଗୁଳିରେ ଗୁରୁତର ଆହତ ହୋଇଥିବା କଥା ବୁଧବାର ଦିନ ସୂଚନା ଦେଇଛନ୍ତି ଜଣେ ବରିଷ୍ଠ ପୋଲିସ ଅଧିକାରୀ ।

ସମ୍ବଲପୁର ସହରଠାରୁ ପ୍ରାୟ ୧୮୦ କିମି ଦୂର ଗନ୍ଧମାର୍ଦ୍ଦନ ପାହାଡ଼ରେ ମାଓବାଦୀ-ନିରାପତ୍ତା ଯବାନଙ୍କ ମଧ୍ୟରେ ବୁଧବାର ବିଳମ୍ବିତ ରାତିରୁ ଏହି ଗୁଳି ବିନିମୟ ହେବା ଯୋଗୁଁ ଗୋଟିଏ ମାଓବାଦୀ କ୍ୟାମ୍ପ ସମ୍ପୂର୍ଣ୍ଣ ରୂପେ ବିଧ୍ୱସ୍ତ ହୋଇଛି ।

“ଗନ୍ଧମାର୍ଦ୍ଦନ ପାହାଡ଼ରେ ମାଓବାଦୀ କ୍ୟାମ୍ପ ଚାଲିଥିବାର ଆମେ ସୂଚନା ପାଇଥିଲୁ । ସୂଚନା ମିଳିବା ମାତ୍ରେ ଗନ୍ଧମାର୍ଦ୍ଦନ ପାହାଡ଼କୁ ଏକ ପୋଲିସ ଟିମକୁ ପଠାଯାଇଥିଲା । ପୋଲିସ ସେଠାରୁ ଫେରୁଥିବା ବେଳେ ମାଓବାଦୀଙ୍କ ଉପସ୍ଥିତି ସେଠାରେ ଦେଖିବାକୁ ପାଇଥିଲେ । ପୋଲିସକୁ ଦେଖି ସେଠାରୁ ଖସିଯିବାକୁ ମାଓବାଦୀମାନେ ନିରାପତ୍ତା ଯବାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ପୋଲିସ ମଧ୍ୟ ପାଲଟା ଜବାବ ଦେଇଥିଲେ । ଘଟଣାସ୍ଥଳରୁ କୌଶଳକ୍ରମେ ମାଓବାଦୀମାନେ ଖସିଯାଇଛନ୍ତି,”ବୋଲି ବରଗଡ଼ ଏସପି ମୁକେଶ କେ ଭାମୋ ଗଣମାଧ୍ୟମକୁ କହିଛନ୍ତି ।

ଏସମ୍ପର୍କରେ ପୋଲିସ ଏସପି ଆହୁରି ମଧ୍ୟ କହିଛନ୍ତି ଯେ, ଜଙ୍ଗଲ ମଧ୍ୟରେ ୧୦-୧୨ ଜଣ ମାଓବାଦୀଙ୍କ ନିକଟତର ହେବାରୁ ହଠାତ୍ ସେମାନେ ପୋଲିସ ଉପରକୁ ପ୍ରଥମେ ଆଖିବୁଜା ଗୁଳିଚାଳନା କରିଥିଲେ ।

ଏହି ଗୁଳିବିନିମୟ ପ୍ରାୟ ୧୫ ମିନିଟ ଧରି ଚାଲିଥିଲା । ଉଭୟ ପଟରୁ ପ୍ରାୟ ୧୫ ରାଉଣ୍ଡ ଗୁଳି ଚାଳନା ହୋଇଥିଲା । ତେବେ ରାତ୍ରୀକାଳୀନ ଅନ୍ଧାରର ସୁଯୋଗ ନେଇ ମାଓବାଦୀମାନେ ଘଟଣାସ୍ଥଳରୁ ଖସି ଚାଲିଯିବାକୁ ସକ୍ଷମ ହୋଇଥିଲେ ବୋଲି ବରଗଡ଼ ଏସପି କହିଛନ୍ତି ।

Leave A Reply

Your email address will not be published.