Latest Odisha News

ପାକିସ୍ତାନରେ ଆର୍ଥିକ ସଂକଟ: ରାତିରେ ବାହାଘର ବନ୍ଦ; ଭୋଜିରେ ଗୋଟିଏ ଆଇଟମ୍

ଇସଲାମାବାଦ: ପାକିସ୍ତାନରେ ଆରମ୍ଭ ହେଲାଣି ଆର୍ଥିକ ସଂକଟ । ୨୦୧୯ରୁ ଏହି ସମସ୍ୟା ଦେଖା ଦେଇଥିଲେ ବି ଯେନତେନ ପ୍ରକାରେ ଏହା ଚଳି ଯାଉଥିଲା । କିନ୍ତୁ ଏବେ ଉଭୟ ରାଜନୈତିକ ଓ ଆର୍ଥିକ ଅବସ୍ଥା ଖରାପ ହେବାରେ ଲାଗିଛି । ତୈଳ ଇନ୍ଧନ, ବିଦ୍ୟୁତ୍ ଆଦି ଅତ୍ୟାବଶ୍ୟକ ଜିନିଷର ଅଭାବ ଦେଖାଗଲାଣି । ଗତ ମାସରେ ଭାରତ ସରକାର ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ପ୍ରାୟ ୭ରୁ ୮ ଟଙ୍କା କମାଇଥିବା ବେଳେ ପାକିସ୍ତାନରେ ଲିଟର ପିଛା ୩୦ ଟଙ୍କା ବଢ଼ିଥିଲା ।

ଏବେ ବିଦ୍ୟୁତ୍ ସଂକଟ ସମ୍ବନ୍ଧୀୟ କିଛି ଭିନ୍ନ ଖବର ଆସିଛି । ଇସଲାମାବାଦରେ ବିଦ୍ୟୁତ୍ ସଂଚୟ ପାଇଁ ବିବାହ କାର୍ଯ୍ୟ ଉପରେ କିଛି ପ୍ରତିବନ୍ଧକ ଲାଗିଛି । ରାତି ୧୦ ଟା ପରେ ବିବାହ କାର୍ଯ୍ୟକ୍ରମ ବନ୍ଦ ରହିବ ବୋଲି ପାକିସ୍ତାନ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ଶହବାଜ ଶରିଫ୍ ନିଜେ ନେଇଥିବା ଜଣାପଡ଼ିଛି ।

ପାକିସ୍ତାନରେ ଏବେ ଘୋର ବିଜୁଳି ସଂକଟ ଦେଖାଦେଇଛି । ଯାହାକୁ ନେଇ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଲଗାଇ କିଛି ବିଜୁଳି ସଂଚୟ କରିବାକୁ ଚେଷ୍ଟା କରାଯାଉଛି । ବିବାହ ପ୍ରତିବନ୍ଧକକୁ ଅତି ଗୁରୁତ୍ୱର ସହ ନିଆଯାଇଛି ବୋଲି ‘ଜିଓ ନ୍ୟୁଜ୍’ରେ ଖବର ପ୍ରକାଶ ପାଇଛି । ଯଦି ଏହି ନିୟମ ଉଲଂଘନ ହୁଏ, ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ ଦେଶର ବିଭିନ୍ନ ତେଲ ଟାଙ୍କିରେ ଅସ୍ୱାଭାବିକ ଭିଡ଼ ଦେଖିବାକୁ ମିଳୁଛି । ଥରେ ୩୦ ଟଙ୍କା ତେଳ ଦର ବଢ଼ିବା ପରେ ପୁଣି ବଢ଼ିବା ଭୟରେ ଟାଙ୍କି ଗୁଡ଼ିକରେ ଭିଡ଼ ହେଉଛି । ଯାହାକୁ ନେଇ ପାକିସ୍ତାନ ଅର୍ଥମନ୍ତ୍ରୀ ମିଫତା ଇସମାଇଲ ସ୍ପଷ୍ଟୀକରଣ ରଖିବାକୁ ବାଧ୍ୟ ହୋଇଛନ୍ତି ଯେ- ଆଉ ତେଲ ଦର ବଢ଼ିବନି ।

ସେପଟେ ଆଗକୁ ବିବାହରେ ମାତ୍ର ଗୋଟିଏ ପ୍ରକାର ଖାଦ୍ୟ ପରଷିବାକୁ ନିୟମ ଆସିପାରେ ବୋଲି ବିଭିନ୍ନ ପାକିସ୍ତାନୀ ଗଣମାଧ୍ୟରେ ଖବର ପ୍ରକାଶ ପାଇଛି । ଆଇଏମଏଫକୁ ୬ ବିଲିଅନ ଡଲାର୍ ଆର୍ଥିକ ସହାୟତା ମାଗିଥିବା ବେଳେ ଅଧା ଅର୍ଥ ମିଳିଛି । ଆଉ ୧ ବିଲିଅନ ଡଲାର୍ ମିଳିବା ଆଶାରେ ଅଛି ପାକିସ୍ତାନ । ସବସିଡି ହଟାଇଲେ ଆର୍ଥିକ ସହାୟତା ମିଳିବ ବୋଲି ଆଇଏମଏଫ କହିଥିବା ବେଳେ ପାକିସ୍ତାନ ଦେଶରେ ତେଲ ଦର ବଢ଼ାଇବାକୁ ବାଧ୍ୟ ହୋଇଥିଲା ।

Leave A Reply

Your email address will not be published.