ପିଲାଦିନେ ଆମେ ସମସ୍ତେ ପଣିକିଆ ବା ଗୁଣନଖନ୍ଦା ବଡ଼ କଷ୍ଟରେ ମନେ ରଖିଥାଉ । ଯେତେବେଳେ ଗୁଣନ ପ୍ରକ୍ରିୟା ସଂପର୍କରେ ଜାଣୁ, ଅବଶ୍ୟ ସେତେବେଳେ ଆଉ ବଡ଼ ସଂଖ୍ୟାର ଗୁଣନଖନ୍ଦା ମନେ ରଖିବା ଦରକାର ପଡେନି । ଏଥିପାଇଁ ଆମେ ମନେ ମନେ ବା କାଗଜ କଲମ ସାହାଯ୍ୟରେ ଦୁଇ ସଂଖ୍ୟାକୁ ଗୁଣି ଗୁଣଫଳ କହିପାରେ । କିନ୍ତୁ ୧୦x୧୦ ପର୍ଯ୍ୟନ୍ତ ପଣିକିଆ ମନେ ରଖିବା ଜରୁରୀ, କାରଣ ବଡ଼ ସଂଖ୍ୟା ଗୁଣନ କରିବା ବେଳେ ବି ଏହା କାମରେ ଆସେ ।
ଗୁଣନଖନ୍ଦାକୁ ବୁଝିବା ପାଇଁ ସହଜ ଉପାୟ ରହିଛି । ଏଥିପାଇଁ ଆମେ ଗୋଟିଏ ଗଣିତ ଖେଳ କରିବା । ନିଜେ କରି ଶିଖିବା ଏହି ପଣିକିଆର ଗୁମର । ଦୁଇଟି ସଂଖ୍ୟାର ଗୁଣନ ଅର୍ଥ ହେଉଛି, ଏହି ଦୁଇ ସଂଖ୍ୟାର ବାରମ୍ବାର ମିଶାଣ । ଯେମିତି ୩ x୨ କହିଲେ, ତିନିକୁ ଦୁଇ ଥର ମିଶାଇବା । ଠିକ ସେମିତି ୬x୩ କହିଲେ, ଛଅକୁ ତିନି ଥର ମିଶାଇବା । ତେବେ ଦୁଇଟି ସଂଖ୍ୟାର ଗୁଣନକୁ କେବଳ ଗାଣିତିକ ଭାଷାରେ ନବୁଝି ଚିତ୍ର ମାଧ୍ୟମରେ ଦେଖି ପାରିବା । ପଣିକିଆକୁ ଚିତ୍ର ଏବଂ ଖେଳ ମାଧ୍ୟମରେ ମନେ ରଖିଲେ ପିଲାଏ ସହଜରେ ବୁଝିପାରିବେ ଆଉ ସହଜରେ ମନେ ବି ରହିଯିବ ।
ଆମେ ଯେଉଁ ଦୁଇ ସଂଖ୍ୟାକୁ ଗୁଣିବାକୁ ଚାହୁଁଛେ, ସେତିକି ସଂଖ୍ୟାରେ କାଠି ବା ଖଡିକା ନିଅ ।
୨x୧
ଦୁଇଟି ଖଡିକା ବା କାଠିକୁ ସିଧା ରଖ । ଆଡ ବାଗରେ ତା ଉପରେ ଗୋଟିଏ କାଠି ରଖ । ଦେଖ, ଦୁଇଟି ଛେଦ ବିନ୍ଦୁ ଦେଖା ଯାଉଛି । ତେଣୁ ଗୁଣଫଳ ହେଉଛି ୨ ।
୨x୩
୩ଟି କାଠି ଉପରେ ୨କାଠିକୁ ଆଡ ବାଗରେ ରଖ । ଦେଖ ୬ଟି ଛେଦ ବିନ୍ଦୁ ମିଳୁଛି । ତେଣୁ ୨x୩ = ୬
୬x୩
୩ଟି କାଠି ଉପରେ ୬ କାଠିକୁ ଆଡ ବାଗରେ ରଖ । ଗଣି ଦେଖ ୧୮ଟି ଛେଦ ବିନ୍ଦୁ ମିଳୁଛି । ତେଣୁ ୬x୩ = ୧୮
ଯେକୌଣସି ଦୁଇ ସଂଖ୍ୟା ପରିମାଣର କାଠି ନେଇ ଖେଳ ଏବଂ ଗୁଣନଖନ୍ଦା ତିଆରି କର । ଏହି ଖେଳରେ ପିଲାଏ ଗଣନା ଶିଖିବେ ଆଉ ତା ସହ ଗୁଣନ ଖନ୍ଦାକୁ ଦେଖିପାରିବେ ।
Comments are closed.