Latest Odisha News

ମା’ ମୁହଁରେ ହସ ଭରିଛି ‘ମାତୃଜ୍ୟୋତି’: ଗର୍ଭାବସ୍ଥାରେ ଜଟିଳତା ଚିହ୍ନଟ କରି ମା’ ଓ ଶିଶୁଙ୍କ ଜୀବନ ରକ୍ଷାରେ ବଡ଼ ଭୂମିକା

ସୁନ୍ଦରଗଡ଼ : ଗର୍ଭାବସ୍ଥାରେ ଜଟିଳତାର ଚିହ୍ନଟ କରି ମା’ ଓ ଶିଶୁଙ୍କ ଜୀବନ ରକ୍ଷା କରିବାରେ ସହାୟକ ହେଉଛି  ‘ମାତୃଜ୍ୟୋତି’ । ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ଏହି କାର୍ଯ୍ୟକ୍ରମ ଗର୍ଭାବସ୍ଥାରେ ‘ହାଇରିସ୍କ’ ଘଟଣାର ମୁକାବିଲାରେ ବଡ଼ ଭୂମିକା ନେଇପାରିଛି ।

ଏହି ଯୋଜନା ଅଧୀନରେ ଜିଲ୍ଲାର ସମସ୍ତ ଗର୍ଭବତୀଙ୍କର ଗର୍ଭାବସ୍ଥାରେ ମାଗଣାରେ ୪ ଥର ଅଲଟ୍ରାସାଉଣ୍ଡ୍ ଓ ଅନ୍ୟାନ୍ୟ ପରୀକ୍ଷା କରିବା ଲକ୍ଷ୍ୟ । ଏହି ଗର୍ଭାବସ୍ଥାରେ ଯତ୍ନ ବା ଏଏନସି ସେବା ଆଜି ସହରରୁ ଗାଁ ପର୍ଯ୍ୟନ୍ତ ମାତୃ ଓ ଶିଶୁ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଏକ ବଳିଷ୍ଠ ପଦକ୍ଷେପ ହୋଇପାରିଛି ।

ଅଲଟ୍ରାସାଉଣ୍ଡ ପରୀକ୍ଷା ବେଳେ କୌଣସି ଗର୍ଭବତୀଙ୍କଠାରେ କିଛି ଜଟିଳତା ଦେଖାଗଲେ ତାଙ୍କୁ ଉଚିତ ଚିକିତ୍ସା ଓ ପରାମର୍ଶ ଦିଆଯାଉଛି । ଚଳିତ ବର୍ଷ ଅଗଷ୍ଟ ମାସ ସୁଦ୍ଧା ୨୮୦ରୁ ଅଧିକ ହାଇରିସ୍କ କେସ୍ ପରିଚାଳନା କରାଯାଇ ଅନେକ କ୍ଷେତ୍ରରେ ମା’ ଓ ଶିଶୁଙ୍କ ଜୀବନ ରକ୍ଷା କରାଯାଇ ପାରିଛି ।ସୁନ୍ଦରଗଡ଼ ସଦର ବ୍ଲକ ପତ୍ରାପଡ଼ାର ପାର୍ବତୀ ସାହୁଙ୍କ କହିଛନ୍ତି, ଗର୍ଭବତୀ ଥିବା ବେଳେ ଆଶା ଓ ଅଙ୍ଗନବାଡ଼ି ଦିଦି ତାଙ୍କୁ ଘରୁ ନେଇ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ଅଧୀନରେ ମାଗଣାରେ ଅଲଟ୍ରାସାଉଣ୍ଡ ଓ ଅନ୍ୟାନ୍ୟ ପରୀକ୍ଷା କରାଇଥିଲେ । ଉଚ୍ଚ ରକ୍ତଚାପ ଥିବା ଜଣାପଡ଼ିବାରୁ ପ୍ରସବ ବେଳେ ଏହା ବିପଦ ହୋଇପାରେ ବୋଲି ଡାକ୍ତର କହିଥିଲେ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେ ନିୟମିତ ଔଷଧ ଖାଇ ରକ୍ତଚାପକୁ ନିୟନ୍ତ୍ରଣ କରିଥିଲେ । ଫଳରେ ସୁସ୍ଥ ଶିଶୁଟିଏ ଜନ୍ମ ଦେଇପାରିଛନ୍ତି ବୋଲି କହିଛନ୍ତି ପାର୍ବତୀ ସାହୁ ।
ସେହିପରି ବାଲିଶଙ୍କରା ବ୍ଲକ୍ କିଞ୍ଜିରିକେଲାର ପିଙ୍କି ନାଏକ ମାତୃଜ୍ୟୋତି ଅଧୀନରେ ଅଲଟ୍ରାସାଉଣ୍ଡ ପରୀକ୍ଷା କରିବା ବେଳେ ତାଙ୍କ ଗର୍ଭାଶୟରେ ପାଣି କମି ଯାଇଥିବା ଜଣାପଡ଼ିଥିଲା । ପ୍ରସବ ପାଇଁ ଏହା ବିପଦ ହୋଇପାରେ ଭାବି ଘରେ ସମସ୍ତେ ବ୍ୟସ୍ତ ହୋଇଥିଲେ । ଉଚିତ ସମୟରେ ଡାକ୍ତରଙ୍କ ଚିକିତ୍ସା ଓ ପରାମର୍ଶ ଯୋଗୁଁ ସେ ସୁରକ୍ଷିତ ମାତୃତ୍ୱ ଲାଭ କରିପାରିଛି ।

ପାର୍ବତୀ ଏବଂ ପିଙ୍କିଙ୍କ ଭଳି ସୁନ୍ଦରଗଡ଼ ଜିଲ୍ଲାର ଅନେକ ଗର୍ଭବତୀ ମହିଳା ଗର୍ଭାବସ୍ଥାରେ ଏଭଳି ଜଟିଳତାର ମୁକାବିଲା କରିଥିଲେ ମଧ୍ୟ ଠିକଣା ସମୟରେ ଡାକ୍ତରୀ ଚିକିତ୍ସା ଓ ପରାମର୍ଶ ଯୋଗୁଁ ନିରାପଦ ମାତୃତ୍ୱ ପାଇ ପାରିଛନ୍ତି । ଏହା ପଛରେ ରହିଛି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଥିବା ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମର ପ୍ରଭାବ ।
ଗର୍ଭାବସ୍ଥାରେ ଅଲଟ୍ରାସାଉଣ୍ଡ ପରୀକ୍ଷା କରିବା ଦ୍ୱାରା ଗର୍ଭବତୀ ମା’ ଏବଂ ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ସମ୍ପର୍କରେ ସଠିକ୍ ଚିତ୍ର ଜଣାପଡୁଛି। ଗର୍ଭାବସ୍ଥାରେ ଯଦି କୌଣସି ମା’ଙ୍କର କିଛି ଜଟିଳତା ଥିଲେ ଠିକଣା ଚିକିତ୍ସା ବାବଦରେ ବିଶେଷ ଧ୍ୟାନ ଦିଆଯାଉଛି । ଫଳରେ ସୁନ୍ଦରଗଡ଼ ଜିଲ୍ଲାରେ ଆଗାମୀ ଦିନରେ ମା’ ଓ ଶିଶୁ ମୃତ୍ୟୁ ହାରକୁ ଅଧିକ ନିୟନ୍ତ୍ରଣ କରିବା କ୍ଷେତ୍ରରେ ମାତୃଜ୍ୟୋତି କାର୍ଯ୍ୟକ୍ରମ ବିଶେଷ ଫଳପ୍ରଦ ହେବାକୁ ଯାଉଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର କହିଛନ୍ତି ।
୨୦୨୦ ନଭେମ୍ବର ୯ ତାରିଖରୁ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାର ଗର୍ଭବତୀ ମହିଳାମାନଙ୍କର ଅଲଟ୍ରାସାଉଣ୍ଡ ସହିତ ହିମୋଗ୍ଲୋବିନ ଏବଂ ସୁଗାର ଆଦି ପରୀକ୍ଷା ମାଗଣାରେ କରାଯାଉଛି । ବାର୍ଷିକ ୩୦ ହଜାରରୁ ଅଧିକ ମା’ଙ୍କୁ ଏହି ସେବା ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖିଛି ପ୍ରଶାସନ । ୨୦୨୧ ଅଗଷ୍ଟ ମାସ ସୁଦ୍ଧା ୨୨ ହଜାର ୫୬୪ରୁ ଅଧିକ ଅଲଟ୍ରାସାଉଣ୍ଡ ପରୀକ୍ଷା କରାଯାଇଛି । ଏହି କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବର୍ତ୍ତମାନ ୮ଟି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ୪୫ଟି ଘରୋଇ ଅଲଟ୍ରାସାଉଣ୍ଡ କ୍ଲିନିକକୁ ଅନୁବନ୍ଧିତ କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏହି ସେବା ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦେଉଛି ।

ନିଖିଲ ପବନ କଲ୍ୟାଣ, ସୁନ୍ଦରଗଡ଼ ଜିଲ୍ଲାପାଳ

‘ସୁନ୍ଦରଗଡ଼ ଜିଲ୍ଲାରେ ସୁରକ୍ଷିତ ମାତୃତ୍ୱକୁ ସୁନିଶ୍ଚିତ କରିବା ଦିଗରେ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ପରିଚାଳନା କରାଯାଉଛି । ଗତ କିଛି ମାସ ମଧ୍ୟରେ ଏହାର ସୁଫଳ ଦେଖିବାକୁ ମିଳିଛି । ଆଗାମୀ ଦିନରେ ଅଧିକରୁ ଅଧିକ ହିତାଧିକାରୀ କିଭଳି ଏହି ସେବାରୁ ଫାଇଦା ପାଇପାରିବେ ସେଥିପାଇଁ ପଦକ୍ଷେପ ନିଆଯାଉଥିବା କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ।

‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ଲାଗୁ ହେବାର ପ୍ରଥମ ୬ ମାସ ମଧ୍ୟରେ ଜିଲ୍ଲାରେ ମାତୃ ମୃତ୍ୟୁହାର ତଳକୁ ଖସିଥିବା ଲକ୍ଷ୍ୟ କରାଯାଉଛି । ସୁନ୍ଦରଗଡ଼ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଲାଗୁ ପୂର୍ବରୁ ୨୦୨୦ ମେ’ରୁ ଅକ୍ଟୋବର ଭିତରେ ମାତୃ ମୃତ୍ୟୁସଂଖ୍ୟା ୧୯ ଥିଲା । ୨୦୨୦ ନଭେମ୍ବରରୁ ୨୦୨୧ ଏପ୍ରିଲ ଭିତରେ ଏହି ସଂଖ୍ୟା ୯କୁ ଖସିଛି । ୨୦୨୧ ଜାନୁଆରୀ ଓ ମାର୍ଚ୍ଚ ଏହି ଦୁଇ ମାସରେ ମାତୃ ମୃତ୍ୟୁସଂଖ୍ୟା ଶୂନ ।
ସୁନ୍ଦରଗଡ଼ ଜିଲ୍ଲାରେ ମାତୃ ଓ ଶିଶୁ ମଙ୍ଗଳ କାର୍ଯ୍ୟକ୍ରମ ‘ମାତୃଜ୍ୟୋତି’ ସଫଳ ହେବା ପଛରେ ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କର ବଡ଼ ଭୂମିକା ରହିଛି । ସେମାନେ ଗର୍ଭବତୀ ମହିଳାଙ୍କୁ ଠିକଣା ସମୟରେ ଘରୁ ନିକଟସ୍ଥ ଅନୁବନ୍ଧିତ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଅଲଟ୍ରାସାଉଣ୍ଡ ଓ ଅନ୍ୟନ୍ୟ ପରୀକ୍ଷା କରାଉଛନ୍ତି ।
ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ଏହା ହେଉଛି ଏକ ଅଭିନବ ପଦକ୍ଷେପ। ଆଗରୁ ଅଲଟ୍ରାସାଉଣ୍ଡ ପରୀକ୍ଷା ପାଇଁ ମା’ମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଥିଲା । ଦୁର୍ଗମ ଅଞ୍ଚଳରେ ରହୁଥିବା ଅନେକ ଗର୍ଭବତୀ ବାହାରକୁ ଆସି ଏହି ପରୀକ୍ଷା କରିପାରୁ ନଥିଲେ । ‘ମାତୃଜ୍ୟୋତି’ ପାଇଁ ଏହା ସମ୍ଭବପର ହୋଇପାରିଛି ।

Leave A Reply

Your email address will not be published.