Latest Odisha News

BREAKING NEWS

ଭୁବନେଶ୍ବର ମେୟରଙ୍କୁ ଅସମ୍ମାନ !

ଭୁବନେଶ୍ବର: ନିମନ୍ତ୍ରଣ କଲେ, ବସିବାକୁ ଚେୟାର ଦେଲେନି । ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସରେ ଭୁବନେଶ୍ବର ମେୟର ସୁଲୋଚନା ଦାସଙ୍କୁ ବିଜେପି ସରକାର ଅସମ୍ମାନ କରିଥିବା ଅଭିଯୋଗ ହୋଇଛି । କାର୍ଯ୍ୟକ୍ରମକୁ ମେୟରଙ୍କୁ ନିମନ୍ତ୍ରଣ କରି ଚେୟାର ଦିଆଯାଇନଥିବା ସୁଲୋଚନା ଦାସ କହିଛନ୍ତି । ସେମାନେ ଜନପ୍ରତିନିଧିଙ୍କୁ ଅପମାନ କରିବା ସହ ଗଣତନ୍ତ୍ରକୁ ଅସମ୍ମାନ କରିଥିବା ଅଭିଯୋଗ କରିଛନ୍ତି । ସେପଟେ କାର୍ଯ୍ୟକ୍ରମ ବିଭାଗୀୟ ଅଧିକାରୀମାନେ ଆୟୋଜନ କରିଥିଲେ । ବିଏମସିରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହେଉଥିବା ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବର ମେୟରଙ୍କୁ ଅସମ୍ମାନ !

ଲୋକସେବା ଭବନରେ ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଭୁବନେଶ୍ବର ମେୟର ସୁଲୋଚନା ଦାସଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ତାଙ୍କୁ ବସିବା ପାଇଁ ଚେୟାର ଦିଆଯାଇନଥିବା ସେ ଅଭିଯୋଗ କରିଛନ୍ତି। ଜନପ୍ରତିନିଧିଙ୍କୁ ନିର୍ବାଚନରେ ଭୋଟ୍ ଦେଇ ପଠେଇଛନ୍ତି ଲୋକେ । କାର୍ଯ୍ୟକ୍ରମକୁ ଡାକି ଅପମାନିତ କରିଥିବା ସୁଲୋଚନା କହିଛନ୍ତି। ଯେଉଁଠି ମେୟରଙ୍କୁ ସମ୍ମାନ ନାହିଁ ସେଠି କର୍ପୋରେଟରଙ୍କୁ କି ସମ୍ମାନ ମିଳିବ । ଭୁବନେଶ୍ବରର ପ୍ରଥମ ନାଗରିକଙ୍କ ପାଇଁ ଚେୟାର ନାହିଁ । ବିଜେପି ସରକାର ଗଣତନ୍ତ୍ରକୁ ସମ୍ମାନ ଦେଇ ଜାଣିନଥିବା ମେୟର ସୁଲୋଚନା ଦାସ କହିଛନ୍ତି ।

କ’ଣ କହିଲେ ମନ୍ତ୍ରୀ?

କୌଣସି ଜନପ୍ରତିନିଧିଙ୍କୁ ଡାକି ଚେୟାର ଦିଆନଯିବା ଓଡିଶା ଇତିହାସରେ ପ୍ରଥମ ବୋଲି ମେୟର କହିଛନ୍ତି । ତାଙ୍କୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଅସମ୍ମାନ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ସେପଟେ ସ୍ବାୟତ୍ତ ଶାସନ ଦିବସ କାର୍ଯ୍ୟକ୍ରମ ବିଭାଗୀୟ ଅଧିକାରୀମାନେ ଆୟୋଜନ କରିଛନ୍ତି । ରାଜ୍ୟର ସମସ୍ତ ପୌର ପରିଷଦ ଓ ମହାନଗର ନିଗମରେ କାର୍ଯ୍ୟକ୍ରମ ପାଳନ ହେଉଛି । ବିଏମସିରେ ମଧ୍ୟ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ମେୟର ଉପସ୍ଥିତ ରହିବା ସମ୍ଭବ ହୋଇପାରିନଥାନ୍ତା ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି।

ମେୟରଙ୍କୁ ଅସମ୍ମାନ କାହିଁକି?

ପ୍ରତିଟି ସ୍ତରର ଶାସନ ବ୍ୟବସ୍ଥାକୁ ଗୁରୁତ୍ବ ଦେଇ ସ୍ବାୟତ୍ତ ଶାସନ ଦିବସ ପାଳନ ହେଉଛି । ହେଲେ ଏଭଳି ଦିନରେ ବି ମେୟରଙ୍କୁ ଅସମ୍ମାନ କରାଯିବା ଦୁର୍ଭାଗ୍ୟଜନକ ବୋଲି କର୍ପୋରେଟର କହିଛନ୍ତି । ସରକାର ବଦଳିଲେ ରାଜ୍ୟର ନୀତି ନିୟମ ବଦଳିବା ଉଚିତ୍ ନୁହେଁ । ମହିଳା ସଶକ୍ତିକରଣ କଥା କହୁଥିବା ବିଜେପି ସରକାର ମହିଳା ମେୟରଙ୍କୁ ଇଏ କେଉଁଭଳି ସମ୍ମାନ ଦେଉଛନ୍ତି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ବିଏମସି କର୍ପୋରେଟରମାନେ ବର୍ଜନ କରିଛନ୍ତି ।

ଅପରାଜିତା ପ୍ରକାଶ କରିଥିଲେ କ୍ଷୋଭ

ପୂର୍ବରୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଭୁବନେଶ୍ବର ପ୍ରତିଷ୍ଠା ଦିବସକୁ ନଡାକିବା ନେଇ ସେତେବେଳେ ସରଗରମ ହୋଇଥିଲା ରାଜଧାନୀ ରାଜନୀତି । ପ୍ରଥମ ଥର ପାଇଁ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ସାଂସଦଙ୍କୁ ନିମନ୍ତ୍ରଣ କରାଯାଇନଥିଲା । ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିମନ୍ତ୍ରଣ କାର୍ଯ୍ୟସୂଚୀରେ ନାଁ ନଥିବା ନେଇ ଅସନ୍ତୋଷ ଝାଡିଥିଲେ ଅପରାଜିତା । ଆଉ ଏବେ ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସକୁ ଡାକି ଚେୟାର ନଦେବା ନେଇ ଅଭିଯୋଗ କରିଛନ୍ତି ଭୁବନେଶ୍ବର ମେୟର ।

Comments are closed.