Latest Odisha News

ମୟୂରଭଞ୍ଜ ଲୋକସଭା ସାଂସଦଙ୍କ ହାତପାଣ୍ଠି ଜାଲିଆତି ଅଭିଯୋଗ; ୨ ଗିରଫ

ବାରିପଦା: ସାଂସଦଙ୍କ ଦସ୍ତଖତ ଜାଲ କରିବା ଓ  ହାତପାଣ୍ଠି  କାମରେ ଅନିୟମିତତା ଅଭିଯୋଗରେ ଦୁଇ ଗିରଫ । ମୟୂରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁଙ୍କ ଅଭିଯୋଗ କ୍ରମେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ତାଙ୍କ ଅଗୋଚରରେ ହାତପାଣ୍ଠିରୁ କାମ ଆବଣ୍ଟନ ହେଉଥିବା ସାଂସଦ କହିଛନ୍ତି ।

ସାଂସଦଙ୍କ ଦସ୍ତଖତ ଜାଲ କରି ଏମିତି ହେଉଥିଲା ବୋଲି ଖୋଦ ସାଂସଦ ଅଭିଯୋଗ କରିଛନ୍ତି । ଏଥିରେ ଆଇଟିଡିଏ ବାରିପଦାରେ ୨ଟି ପ୍ରୋଜେକ୍ଟ ଓ ମୋରଡ଼ା ପଞ୍ଚାୟତର ଗୋଟିଏ କାମ ରହିଛି । ବାରିପଦା ଟାଉନ୍ ୨୨ ନମ୍ବର ୱାର୍ଡରେ ହୋଇଥିବା ପ୍ରକଳ୍ପ ଠିକ୍ ସ୍ଥାନରେ ହୋଇନଥିବା ବେଳେ ମୋରଡ଼ା ବ୍ଲକରେ ଛଉ ପେଣ୍ଡାଲ କାର୍ଯ୍ୟରେ ଜେ.ଇ ଓ ଏ.ଇ ସନ୍ଦେହ ପ୍ରକାଶ କରିଥିଲେ । ଏସବୁ ପ୍ରକଳ୍ପ ସାଂସଦଙ୍କ ଅଗୋଚରରେ ଜାଲ୍ ଦସ୍ତାବିଜ୍ ଦେଇ ହୋଇଥିବା ସାଂସଦ ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ଅନୁସାରେ ସାଂସଦଙ୍କ ଅଫିସରେ କାର୍ଯ୍ୟରତ ହେମନ୍ତ ସୋରେନ ଏସବୁର ମାଷ୍ଟର ମାଇଣ୍ଡ୍ ବୋଲି ଜଣାପଡିଛି। ହେମନ୍ତ ମୋରଡ଼ା ପଞ୍ଚାୟତ ସମିତି ସଭ୍ୟ ଅଛନ୍ତି । ସେ ହାତପାଣ୍ଠିରୁ କାମ ଦେବା ନାମରେ ଲୋକଙ୍କଠାରୁ ଟଙ୍କା ନେଉଥିଲେ ଓ ତାଙ୍କ  ଡ୍ରାଇଭରଙ୍କ ସହ ଅନ୍ୟ କର୍ମଚାରୀଙ୍କ  ଦରମା ମଧ୍ୟ ଦେଉନଥିଲେ ବୋଲି ସାଂସଦ ଅଭିଯୋଗ କରିଥିଲେ । ପୋଲିସ ସମସ୍ତ ଅଭିଯୋଗର ତଦନ୍ତ କରି ସମିତି ସଭ୍ୟ ହେମନ୍ତ ସୋରେନ ଓ କମ୍ପ୍ୟୁଟର ଅପରେଟର ଶୈଳେସ ଗିରିଙ୍କୁ ଗିରଫ କରିଛି ।

Leave A Reply

Your email address will not be published.