Latest Odisha News

BREAKING NEWS

କିଏ ଏହି ଆଇଆଇଟି ବାବା? ପଚାରିଲେ କହୁଛନ୍ତି, ‘ବୈରାଗୀ ସର୍ବଶ୍ରେଷ୍ଠ’

ଆହ୍ଲାବାଦ: କୁଆଡେ ବା ଯିବେ? ବୁଲି ବୁଲି ଏହି ଠିକି ହିଁ ଆସିବେ…ଯୁବ ବୟସରେ କିଛି ଏମିତି ଗଭୀର କଥା କହୁଛନ୍ତି, ମୁହଁରେ ଅନର୍ଗଳ ଇଂରାଜୀ ଆଉ ଆଧ୍ୟାତ୍ମିକତାର ପରିଭାଷା..ଯାହା ଏବେ ମହାକୁମ୍ଭ ମେଳାର ଦୃଷ୍ଟି ଟିକେ ତାଙ୍କ ଆଡକୁ ଆକର୍ଷିତ କରିଛି । ତାଙ୍କର ସେ ସରଳ ଏବଂ ସହୃଦୟ କଥା ଏବେ ସମସ୍ତଙ୍କ ମନ ଛୁଉଁଛି । ପଚାରିଲେ ମୁହଁରେ ମୁରୁକି ହସି ବଡ ବଡ ସାଧୁ ସନ୍ଥଙ୍କ ଭଳି ଗଭୀର ଗଭୀର କଥା କହୁଛନ୍ତି ।

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଏବେ ଚାଲିଥିବା ମହାକୁମ୍ଭ ମେଳା, ତ୍ରିବେଣୀ ସଙ୍ଗମର ପବିତ୍ର ଜଳରେ ଆଧ୍ୟାତ୍ମିକ ସାନ୍ତ୍ୱନା ଏବଂ ଶୁଦ୍ଧିକରଣ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କୁ ନିଜ କୋଳକୁ ଡାକୁଛି । ଏହି ଆଧ୍ୟାତ୍ମିକ ସମାବେଶରେ ଯୋଗ ଦେଇଛନ୍ତି ବିଶ୍ବର କାଇଁ କେତେ ସାଧୁ, ସନ୍ଥ, ଧାର୍ମିକ ଚେତନା ଧାରୀ ବ୍ୟକ୍ତି । ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ପରିଦର୍ଶକ ଏବଂ ଗଣମାଧ୍ୟମକୁ ସ୍ତବ୍ଧ କରିଦେଇଛନ୍ତି । ଏମିତି ନୁହେଁ ଯେ ଜୀବନରେ ସେ ଅନେକ ପରିସ୍ଥିତି ଦେଇ ଆସିବା ପରେ ଏ ପଥରେ ଆସିଛନ୍ତି । ତାଙ୍କର ପୂର୍ବ ଜୀବନ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଜୀବନ ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଥିଲା । ହେଲେ ଏ ଯୁବ ବୟସରେ ସେ ଭକ୍ତୀର ମାର୍ଗକୁ ସର୍ବଶ୍ରେଷ୍ଠ ବୋଲି ଦର୍ଶାଉଛନ୍ତି ।

ବାସ୍ତବରେ ସେ ଆଇଆଇଟି ବମ୍ବେର ଜଣେ ପୂର୍ବତନ ଏରୋସ୍ପେସ୍ ଇଞ୍ଜିନିୟର । ଯାହାଙ୍କୁ ବର୍ତ୍ତମାନ ପୂରା ଇଣ୍ଟରନେଟ୍ ‘ଆଇଆଇଟି ବାବା’ ଭାବରେ ଜାଣିଛି । ଯେଉଁଠି ଆଇଆଇଟି ସିଲେକ୍ସନ ଅନେକଙ୍କ ସ୍ବପ୍ନ ହୋଇଥାଏ ଆଉ କାଠିକର ବି, ସେଠି କିନ୍ତୁ ସେ ସଫଳତାର ଉର୍ଦ୍ଧ୍ବକୁ ଯାଇ ଈଶ୍ବର ଚେତନାରେ ମଗ୍ନ ହୋଇଛନ୍ତି । ହରିୟାଣାର ବାସିନ୍ଦା ଅଭୟ ସିଂହ, ଯିଏ ନିଜର ବୈଜ୍ଞାନିକ ସାଧନାକୁ ଆଧ୍ୟାତ୍ମିକତା ପ୍ରତି ଉତ୍ସର୍ଗୀକୃତ କରିଛନ୍ତି। ଏନେଇ ଏକ ଜାତୀୟ ଗଣମାଧ୍ୟମ ସହ ସାକ୍ଷାତକାରରେ ଅଭୟ କହିଛନ୍ତି, ଯେ ସେ କିପରି ତାଙ୍କର ଆଧ୍ୟତ୍ମିକତା ପାଇଁ ତାଙ୍କର ବିଜ୍ଞାନ ଜୀବନ ତ୍ୟାଗ କରିଛନ୍ତି । ତାଙ୍କ କହିବାନୁଯାୟୀ, ସେ ଆଇଆଇଟି ବମ୍ବେରୁ ଜଣେ ଏରୋସ୍ପେସ୍ ଇଞ୍ଜିନିୟର ଭାବେ ଡିଗ୍ରୀ ହାସଲ କରିଥିଲେ । କଲେଜରେ ପଢୁଥିବା ବେଳେ ପ୍ଲେସମେଣ୍ଟରେ କର୍ପୋରେଟର ଦୁନିଆରେ ବି ପାଦ ଥାପିଥିଲେ । ଏହାପରେ ସେ ଫଟୋଗ୍ରାଫି ଏବଂ କଳା ପ୍ରତି ନିଜର ରୁଚି ରଖି ଇଞ୍ଜିନୟର ଜୀବନରୁ ଦୁରେଇ ଯାଇଥିଲେ । ଏହାମଧ୍ୟରେ ସେ ନିଜର ଏକ କୋଚିଂ ସେଣ୍ଟର ଖୋଲି ପିଲାଙ୍କୁ ଭୌତିକ ବିଜ୍ଞାନ ମଧ୍ୟ ପଢାଇଥିଲେ ।

ହେଲେ ନିଜ କ୍ୟାରିୟରରେ ପିକରେ ଥାଇ ମଧ୍ୟ ତାଙ୍କ ଜୀବନରେ ସେ ଚାହୁଁଥିବା ପରିପୂର୍ଣ୍ଣତା ସେ ପାଇପାରିନଥିଲେ । ଆଉ ତାହା ଖୋଜି ପାଇବାରେ ତାଙ୍କୁ ସହ ଯୋଗ କରିଥିଲା ଫଟୋଗ୍ରାଫୀ । ଏହି ଫଟୋଗ୍ରାଫି ଜୀବନ ବିଷୟରେ ତାଙ୍କର ଦୃଷ୍ଟିକୋଣ ବଦଳାଇଥିଲା । ଏହାପରେ ଭକ୍ତି ମାର୍ଗରେ ଆଗେଇଥିଲେ ଅଭୟ । ଧୀରେ ଧୀରେ ତାଙ୍କର ଆଗ୍ରହ ଆଧ୍ୟାତ୍ମିକତା ଆଡ଼କୁ ସ୍ଥାନାନ୍ତରିତ ହେଲେ । ପରେ ସେ ଗଭୀର ଆଧ୍ୟାତ୍ମିକ ସତ୍ୟକୁ ବୁଝିବା ଏବଂ ଅନୁଭବ କରିବା ପାଇଁ ତାଙ୍କର ପାର୍ଥୀବ ଜୀବନକୁ ଉତ୍ସର୍ଗ କଲେ । ଆଉ ଜାଣିଲେ ବାସ୍ତବରେ ଶାନ୍ତି ବୈରାଗ୍ୟ ଭାବରେ ହିଁ ରହିଛି । ଆଉ ଏବେ ସେ ଜଣେ ଶିବ ଭକ୍ତ । ମହାଆନନ୍ଦରେ ଆଧ୍ୟାତ୍ମିକତାକୁ ଉପଭୋଗ କରୁଛନ୍ତି । ବିଜ୍ଞାନ ମାଧ୍ୟମରେ ହିଁ ଆଧ୍ୟାତ୍ମିକତାକୁ ବୁଝୁଛନ୍ତି ।

Comments are closed.