Latest Odisha News

ସୁବର୍ଣ୍ଣପୁର ଜିଲ୍ଲାର ସ୍ନେକ୍ ମ୍ୟାନ୍ ପ୍ରମୋଦ: ପୋଲିସ ବିଭାଗରେ ଚାକିରି, ନିଶା ସାପ ଧରିବା

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାର ସ୍ନେକ୍ ମ୍ୟାନ୍ ପ୍ରମୋଦ ଦାସିଆ । ଡୁଙ୍ଗୁରିପାଲି ବ୍ଲକ ରାମପୁରରେ ଘର । ପୋଲିସ ବିଭାଗରେ ହାବିଲଦାର ଭାବରେ କାର୍ୟ୍ୟରତ ଅଛନ୍ତି । କିନ୍ତୁ ତାଙ୍କର ନିଶା ହେଲା ସାପ ଧରିବା । କେଉଁଠି କାହା ଘରେ ସାପ ପଶିଥିଲେ କି ରାସ୍ତାରେ ବୁଲୁଥିଲେ ଖବର ପାଇ ଚଟାପଟ ବାହାରି ଯାଆନ୍ତି ପ୍ରମୋଦ । ବେଶ ସତର୍କତାର ସହ ବିଷଧର ସାପକୁ ଧରି ଥାଆନ୍ତି । ବିଷଧର ନାଗ ହେଉକି ଢମଣା ଅବା ଗୋଖର ବିଭିନ୍ନ ପ୍ରଜାତିର ସାପଙ୍କୁ ଧରି ସୁରକ୍ଷିତ ସ୍ଥାନରେ ଛାଡ଼ନ୍ତି ପ୍ରମୋଦ ।

କେଉଁଠି ସାପ ବାହାରିଲେ ଖୋଜା ପଡ଼ନ୍ତି ପ୍ରମୋଦ । ତାଙ୍କ ମୋବାଇଲ୍ ନମ୍ବର ସମସ୍ତଙ୍କ ପାଖରେ ଅଛି । ଘରେ ଥାଆନ୍ତୁ କି ବାହାରେ । ୟୁନିଫର୍ମରେ ଅଫିସରେ ଥିଲେ ବି ଫୋନ୍ କଲଟିଏ ପାଇଲେ ଧାଇଁ ଯାଆନ୍ତି ପ୍ରମୋଦ । ସାପ ଥିବା ସ୍ଥାନରେ ନିଜ ସରଞ୍ଜାମ ଧରି ପହଞ୍ଚି ଯାଆନ୍ତି । ଅନାଶୟରେ ସାପଙ୍କୁ ଧରି ଥାଆନ୍ତି ।

ପ୍ରମୋଦ କହିଛନ୍ତି, ବିଶେଷ କରି ବର୍ଷା ଦିନେ ଖାଦ୍ୟ ଅନ୍ୱେଷଣରେ ଏଣେତେଣେ ବୁଲନ୍ତି ସାପ । ସେମାନଙ୍କୁ ଦେଖିଲେ ଭୟଭୀତ ନହୋଇ ସ୍ନେକ ହେଲ୍ପ ଲାଇନକୁ ଖବର ଦିଅନ୍ତୁ । ସାପଙ୍କ କୌଣସି ଅନିଷ୍ଟ ନକରିବା ପାଇଁ ଅନୁରୋଧ କରିଛନ୍ତି ପ୍ରମୋଦ । ୩୦ ବର୍ଷ ହେବ ପ୍ରଶିକ୍ଷଣ ନେଇ ସାପ ଧରି ଆସୁଛନ୍ତି ପ୍ରମୋଦ କୁମାର ଦାସିଆ ।

ସୁବର୍ଣ୍ଣପୁର ସମେତ ବୌଦ୍ଧ, ବରଗଡ, ସମ୍ବଲପୁର ଜିଲ୍ଲାର ବିଭିନ୍ନ ଜାଗାରେ ଶହ ଶହ ସାପ ଧରି ସାରିଲେଣି । ସାପ ଧରିବା ବେଳେ ଚମଡା ଗ୍ଲୋବସ୍ ପିନ୍ଧିବା ସହ ସ୍ୱତନ୍ତ୍ର ଷ୍ଟିକ୍ ଓ ଅନ୍ୟାନ ଜିନିଷ ବ୍ୟବହାର କରନ୍ତି । ପ୍ରମୋଦଙ୍କ ଏଭଳି କାର୍ୟ୍ୟକୁ ଲୋକ ଭୂୟଶୀ ପ୍ରଶଂସା କରିଛନ୍ତି । ଜଣେ ପୋଲିସ କର୍ମଚାରୀ ହୋଇବି ଲୋକସେବାରେ ଲାଗିଛନ୍ତି । ସରୀସୃପଙ୍କ ପ୍ରତି ତାଙ୍କର ଏଭଳି ଭଲପାଇବା ବିଭିନ୍ନ ମହଲରୁ ତାରିଫ ମିଳୁଛି ।

Leave A Reply

Your email address will not be published.