ନୂଆଦିଲ୍ଲୀ: ବାଂଲାଦେଶରେ ବିରୋଧ କଲେ ଆକ୍ସନ୍ । ମୁହଁ ଖୋଲିଲେ ଯିବେ ଜେଲ୍ । ସରକାର ସହିବେନି ସମାଲୋଚନା । ୟୁନୁସ ସରକାରଙ୍କ ଅପରେସନ୍ ଡେଭିଲ୍ ହଣ୍ଟ । ବାଂଲାଦେଶରେ ଏବେ ମହମ୍ମଦ ୟୁନୁସ ସରକାର ସ୍ବାଧୀନ ମତବ୍ୟକ୍ତ ଅଧିକାରକୁ ପାଦରେ ଦଳି ଦେଇଛନ୍ତି । ନିକଟରେ ସରକାରର ସମାଲୋଚନା କରିବାରୁ ଦେଶର ଦୁଇ ଚର୍ଚ୍ଚିତ ଅଭିନେତ୍ରୀ ମେହର ଅଫରୋଜ୍ ଓ ସୋହନା ସବାଙ୍କୁ ଉଠାଇ ନେଇଥିଲା ପୋଲିସ । ଏପରିକି ଅସହମତିର ସ୍ବର ଦବାଇବାକୁ ୟୁନୁସ ସରକାର ଅପରେସନ୍ ଡେଭିଲ୍ ହଣ୍ଟ ଆରମ୍ଭ କରିଥିବା କୁହାଯାଉଛି । ଏଥିରେ ରାଜନୈତିକ ବିରୋଧୀଙ୍କୁ ଟାର୍ଗେଟ୍ କରାଯାଉଛି । ଏପର୍ଯ୍ୟନ୍ତ ପ୍ରାୟ ୧୫ଶହ ଲୋକଙ୍କୁ ଗିରଫ କରାଯାଇଥିବା କୁହାଯାଉଛି ।
ମୁହଁ ଖୋଲିଲେ ଦେଶଦ୍ରୋହ !
ମେହର ଅଫରୋଜ ଶନ୍ ବାଂଲାଦେଶର ଜଣାଶୁଣା ଅଭିନେତ୍ରୀ, ନିର୍ଦ୍ଦେଶିକା ଓ କଣ୍ଠଶିଳ୍ପୀ । ତାଙ୍କ ବାପା ମହମ୍ମଦ ଅଲ୍ଲୀ ଆଓ୍ବାମୀ ଲିଗର ପୂର୍ବତନ ପରାମର୍ଶଦାତା ପରିଷଦର ସଦସ୍ୟ ଥିଲେ । ମେହରଙ୍କ ମାଆ ତାହୁରା ଅଲ୍ଲୀ ଶେଖ ହାସିନାଙ୍କ ଆଓ୍ବାମୀ ଲିଗରୁ ଦୁଇ ଦୁଇ ଥର ସାଂସଦ ରହିଛନ୍ତି। ପ୍ରସିଦ୍ଧ ଲେଖକ ହୁମାୟୁନ ଅହମ୍ମଦଙ୍କୁ ବିବାହ କରିଥିଲେ ମେହର । ତେବେ ହୁମାୟୁନଙ୍କ ପରଲୋକ ହୋଇସାରିଛି । ମେହର ଅଫରୋଜ ସୋସିଆଲ୍ ମିଡିଆରେ ୟୁନୁସ ସରକାର ଓ ତାଙ୍କ ପ୍ରେସ ପରାମର୍ଶଦାତାଙ୍କୁ ସମାଲୋଚନା କରିଆସୁଥିଲେ । ଏହାପରେ ତାଙ୍କୁ ବାଂଲାଦେଶର ଡିଟେକ୍ଟିଭ ବ୍ରାଞ୍ଚର ଅଧିକାରୀ ମେହରଙ୍କ ଧନମଣ୍ଡି ଲେନ୍ ଘରୁ ଉଠାଇ ନେଇଥିଲେ । ଦେଶ ବିରୋଧରେ ଷଡ଼ଯନ୍ତ୍ର ରଚିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ପୂର୍ବରୁ ଜମାଲପୁରରେ ଥିବା ମେହରଙ୍କ ପୈତୃକ ଘର ଜାଳି ଦେଇଥିଲେ ଦଙ୍ଗାକାରୀ ।
ଟାର୍ଗେଟରେ ସୋହନା ସବା
ମେହର ଅଫରୋଜଙ୍କ ଭଳି ଅଭିନେତ୍ରୀ ସୋହନା ସବାଙ୍କୁ ବି ଉଠାଇ ନେଇଛି ବାଂଲାଦେଶ ପୋଲିସ । ସୋହନା ନିଜ ଫେସବୁକ୍ ପେଜରେ ୟୁନୁସ ସରକାରଙ୍କ ନୀତିକୁ ଖୋଲାଖୋଲି ସମାଲୋଚନା କରିଥିଲେ । ଦେଶଦ୍ରୋହ ଅଭିଯୋଗରେ ପୋଲିସ ତାଙ୍କୁ ହିରାସତରେ ନେଇଥିଲା । ତେବେ ତାଙ୍କୁ ପଚରାଉଚରା ପରେ ଛାଡି ଦିଆଯାଇଛି ନା ଗିରଫ କରାଯାଇଛି, ସେନେଇ ସ୍ପଷ୍ଟ ହୋଇନି। ପୂର୍ବରୁ ମଧ୍ୟ ସୋହନା ସୋସିଆଲ୍ ମିଡିଆରେ କଟ୍ଟରପନ୍ଥୀଙ୍କ ନିଶାନାରେ ରହିଥିଲେ । ନିକଟରେ ଜୟପୁର ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବକୁ ଆମନ୍ତ୍ରଣ କରିଥିବାରୁ ଭାରତକୁ ଧନ୍ୟବାଦ ଜଣାଇଥିଲେ ସୋହନା । ବାଂଲାଦେଶର ଜଣାଶୁଣା ଅଭିନେତ୍ରୀ ସୋହନା ସବା ନିଜ ଫିଲ୍ମ ବୃହନ୍ନଳା ପାଇଁ ଜୟପୁର ଫିଲ୍ମ ମହୋତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଜିତିଛନ୍ତି ।
ଅପରେସନ୍ ଡେଭିଲ୍ ହଣ୍ଟ କଣ?
କେବଳ ମେହର ଅଫରୋଜ କି ସୋହନା ସବା ନୁହନ୍ତି ବାଂଲାଦେଶରେ ସରକାର ବିରୋଧରେ ସ୍ବର ଉଠାଇଲେ ଗିରଫ କରାଯାଉଛି। ଏଥିପାଇଁ ଅନ୍ତରୀଣ ସରକାର ଅପରେସନ୍ ଡେଭିଲ୍ ହଣ୍ଟ ଆରମ୍ଭ କରିଛନ୍ତି । ଆଇନ ଶୃଙ୍ଖଳା ଉଲ୍ଲଂଘନକାରୀଙ୍କୁ ଗିରଫ କରାଯାଉଥିବା କୁହାଯାଉଛି । ତେବେ ରାଜନୈତିକ ବିରୋଧୀ ହିଁ ଟାର୍ଗେଟରେ ରହିଛନ୍ତି । ବାଂଲାଦେଶ ସରକାର ଶେଖ ହସିନାଙ୍କ ଦଳର ନେତାଙ୍କ ଘର ଜାଳିଥିବା ଦଙ୍ଗାକାରୀଙ୍କ ପ୍ରତି ନରମ ମନୋଭାବ ଦେଖାଉଛନ୍ତି । ନିକଟରେ ଦଙ୍ଗାକାରୀ ବଙ୍ଗବନ୍ଧୁ ମୁଜିବୁର ରେହମାନଙ୍କ ଆବାସ ଜାଳୁଥିବା ବେଳେ ସେଠାରେ ପୋଲିସର ଦେଖା ମିଳିନଥିଲା । ହେଲେ ସରକାରଙ୍କୁ ସମାଲୋଚନା କଲେ ରାତି ଅଧରେ ବି ଜଣାଶୁଣା ଅଭିନେତ୍ରୀଙ୍କୁ ଉଠାଇ ନେଉଛି ପୋଲିସ ।
ଦେଶରେ ଅସ୍ଥିରତା ସୃଷ୍ଟି କରୁଥିବା ଲୋକଙ୍କୁ ଅପରେସନ୍ ଡେଭିଲ ହଣ୍ଟରେ ଟାର୍ଗେଟ୍ କରାଯିବ । ସମସ୍ତ ଡେଭିଲଙ୍କୁ ଶେଷ କରିବା ପର୍ଯ୍ୟନ୍ତ ଏହା ଚାଲିବ ବୋଲି ଲେଫ୍ଟେନାଣ୍ଟ ଜେନେରାଲ ଜାହାଙ୍ଗୀର ଆଲମ ଚୌଧୁରୀ କହିଛନ୍ତି । ଅପରେସନରେ ପୋଲିସ ସହ ତିନି ସେନା, ବାଂଲାଦେଶ ବର୍ଡର ଗାର୍ଡ ଓ ତଟରକ୍ଷୀ ବଳ ମଧ୍ୟ ସାମିଲ ହୋଇଛନ୍ତି । ତେବେ ଗିରଫ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଅଧିକାଂଶ ଆଓ୍ବାମୀ ଲିଗର ସଦସ୍ୟ ତଥା ସମର୍ଥକ ରହିଛନ୍ତି ।
Comments are closed.