୨୦୦ ବର୍ଷ ତଳର ଅଭିଶାପ, ପୁରୁଷ ଧାରଣ କରନ୍ତି ମହିଳାଙ୍କ ବେଶ

ଓଡିଶା ସମ୍ବାଦ ବ୍ୟୁରୋ: ଗରବା ନାଚ । ଖାସ କରି ଗୁଜରାଟରେ ନବରାତ୍ରୀ ପାଳନ ସମୟରେ ଏହି ନାଚ ସାମ୍ନାକୁ ଆସିଥାଏ । ୯ଦିନ ପର୍ଯ୍ୟନ୍ତ ଗୁଜରାଟର ଲୋକେ ଗରବା ନାଚରେ ମସଗୁଲ ଥାଆନ୍ତି । ହେଲେ ନବରାତ୍ରୀର ଅଷ୍ଟମ ଦିନରେ ପୁରୁଣା ସହର ଅହମଦାବାଦରେ ପୁରୁଷ ଲୋକେ ଶାଢୀ ପିନ୍ଧି ଗରବା କରିବାରେ ଦେଖିବାକୁ ମିଳେ ।

ପୁରୁଷଙ୍କ ଗରବା ଉତ୍ସବକୁ ସେରି ଗରବା ଭାବେ ନାମିତ କରାଯାଇଛି । ଯେଉଁଥିରେ ପୁରୁଷମାନେ ମହିଳାଙ୍କ ଶାଢୀ ପିନ୍ଧି ସଦୁମାତା ନିପୋଲରେ ଗରବା କରିଥାନ୍ତି । ପ୍ରାୟ ୨୦୦ ବର୍ଷ ପୁରୁଣା ଏହି ପରମ୍ପରା । ସଦୁବା ନାମକ ଜଣେ ମହିଳାଙ୍କ ଅଭିଶାପରୁ ମୁକ୍ତି ପାଇବା ପାଇଁ ବାରୋଟ ସମ୍ପ୍ରଦାୟର ପୁରୁଷମାନେ ମହିଳାଙ୍କ ବେଶ ଧରଣ କରିଥାନ୍ତି ।

ଲୋକକଥା ଅନୁଯାୟୀ ପ୍ରାୟ ୨୦୦ ବର୍ଷ ପୂର୍ବେ ସ୍ଥାନୀୟ ଅଂଚଳରେ ସଦୁବା ନାମକ ଜଣେ ମହିଳା ଅପମାନିତ ହୋଇଥିଲେ । ସେହି ସମୟରେ ତାଙ୍କୁ ସହାୟତା କରିବା ଲାଗି କୌଣସି ପୁରୁଷ ସାମ୍ନାକୁ ଆସିନଥିଲେ । ଅଜଣା ସ୍ଥିତିକୁ ନେଇ ସଦୁବା ଓ ତାଙ୍କ ଛୁଆକୁ ହତ୍ୟା କରାଯାଇଥିଲା । ତେବେ ତା ପୂର୍ବରୁ ସଦୁବା ସମସ୍ତ ସ୍ଥାନୀୟ ପୁରୁଷଙ୍କୁ ଅଭିଶାପ ଦେଇଥିଲେ । ସେବେଠାରୁ ସଦୁବାକୁ ଶାନ୍ତ କରିବା ସହ ଅଭିଶାପରୁ ମୁକ୍ତି ପାଇବା ପାଇଁ ସ୍ଥାନୀୟ ପୁରୁଷମାନେ ମହିଳା ବେଶରେ ସେରି ଗରବା କରିବା ସହ ସଦୁବା ମନ୍ଦିରରେ ପୂଜାର୍ଚ୍ଚନା କରିଥାନ୍ତି ।

ଅନେକ ହୁଏ ତ ଜାଣିନଥିବେ ଯେ, ଶ୍ରଦ୍ଧା କାପୁର ଓ ରାଜକୁମାରଙ୍କ ଅଭିନୀତ ବଲିଉଡ ଫିଲ୍ମ ସ୍ତ୍ରୀ ଏହି ଘଟଣା ଉପରେ ଆଧାରିତ ।