Latest Odisha News

BREAKING NEWS

ୟୁଜର୍ସଙ୍କ ଆଗରେ ମୁଣ୍ଡ ନୁଆଁଇଲା ମେଟା: ପ୍ରବଳ ବିରୋଧ ପରେ ଇନଷ୍ଟାଗ୍ରାମରୁ ହଟିଲା ବିବାଦୀୟ AI ‘ମ୍ୟୁଜ୍’ ଫିଚର

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଦୁନିଆରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ଚାଲିଥିବା ରେସ୍ ମଧ୍ୟରେ ମାର୍କ ଜୁକରବର୍ଗଙ୍କ କମ୍ପାନୀ ‘ମେଟା’କୁ ଏକ ବଡ଼ ଝଟକା ଲାଗିଛି। ଇନଷ୍ଟାଗ୍ରାମରେ ନିକଟରେ ଆରମ୍ଭ ହୋଇଥିବା ନୂଆ AI ଇମେଜ୍ ଫିଚର ‘ମ୍ୟୁଜ୍’କୁ ନେଇ ୟୁଜରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଲୋକଙ୍କ ଲଗାତାର ବିରୋଧ ଏବଂ ଆକ୍ରୋଶର ଶିକାର ହେବା ପରେ ଶେଷରେ କମ୍ପାନୀ ଏହି ଫିଚରକୁ ପ୍ଲାଟଫର୍ମରୁ ହଟାଇ ଦେବାକୁ ବାଧ୍ୟ ହୋଇଛି।

 

ମେଟା ନିଜର ଇନଷ୍ଟାଗ୍ରାମ ୟୁଜର୍ସଙ୍କୁ ଆକୃଷ୍ଟ କରିବା ପାଇଁ ‘ମ୍ୟୁଜ୍’ ନାମକ ଏକ ଅତ୍ୟାଧୁନିକ AI ଟୁଲ୍ ଜାରି କରିଥିଲା। ଏହି ଫିଚର ମାଧ୍ୟମରେ ଲୋକେ କେବଳ କିଛି ଶବ୍ଦ ଲେଖି କୃତ୍ରିମ ଫଟୋ ତିଆରି କରିପାରୁଥିଲେ କିମ୍ବା ନିଜର ପୁରୁଣା ଫଟୋକୁ ସମ୍ପୂର୍ଣ୍ଣ ଏକ ନୂଆ ରୂପ ଦେଇପାରୁଥିଲେ। ତେବେ ଲଞ୍ଚ୍ ହେବାର କିଛି ଦିନ ମଧ୍ୟରେ ଏହାକୁ ନେଇ ଅନେକ ଅଭିଯୋଗ ଆସିବା ଆରମ୍ଭ ହେଲା।

 

ଖାସ୍ କରି କଣ୍ଟେଣ୍ଟ କ୍ରିଏଟର, ଫଟୋଗ୍ରାଫର ଏବଂ ସାଧାରଣ ବ୍ୟବହାରକାରୀ ଅଭିଯୋଗ କରିଥିଲେ ଯେ: ଇନଷ୍ଟାଗ୍ରାମ ମୂଳତଃ ବାସ୍ତବିକ ଏବଂ ଅରିଜିନାଲ ଫଟୋ/ଭିଡିଓ ସେୟାର୍ କରିବାର ଏକ ପ୍ଲାଟଫର୍ମ। କିନ୍ତୁ AI ଇମେଜ୍ ଯୋଗୁଁ ଆପ୍‌ରେ ନକଲି ଫଟୋର ବନ୍ୟା ଆସିଯାଇଥିଲା।

 

ମ୍ୟୁଜ୍ ଦ୍ୱାରା ପ୍ରସ୍ତୁତ ଫଟୋଗୁଡ଼ିକ ଏତେ ଜୀବନ୍ତ ଲାଗୁଥିଲା ଯେ, ସାଧାରଣ ଲୋକଙ୍କ ପାଇଁ କେଉଁଟି ସତ ଆଉ କେଉଁଟି AI ତିଆରି, ତାହା ଜାଣିବା ମୁସ୍କିଲ ହୋଇପଡ଼ିଥିଲା। ବିନା ପରିଶ୍ରମରେ କେବଳ ଗୋଟିଏ କ୍ଲିକ୍‌ରେ ଫଟୋ ତିଆରି ହୋଇଯାଉଥିବାରୁ, ପ୍ରକୃତ ଫଟୋଗ୍ରାଫର ଏବଂ କଳାକାରମାନେ ଏହାକୁ ତୀବ୍ର ବିରୋଧ କରିଥିଲେ।

 

ସୋସିଆଲ ମିଡିଆରେ ଏହି ଟୁଲ୍‌କୁ ବଏକଟ୍ କରିବା ପାଇଁ ଅନେକ ଟ୍ରେଣ୍ଡ ଚାଲିଥିଲା। ଏପରିକି ଏକ୍ସ ଓ ରେଡିଟ୍ ଭଳି ପ୍ଲାଟଫର୍ମରେ ଇନଷ୍ଟାଗ୍ରାମକୁ ଅନଇନଷ୍ଟଲ୍ କରିବାର ଧମକ ମଧ୍ୟ ୟୁଜର୍ସ ଦେଇଥିଲେ। ପରିସ୍ଥିତି ହାତଛଡ଼ା ହେଉଥିବା ଦେଖି ମେଟା ତୁରନ୍ତ ଆକ୍ସନ ମୋଡକୁ ଆସିଥିଲା ଏବଂ ଚୁପଚାପ୍ ଏହି ଫିଚରକୁ ଆପ୍‌ରୁ ଡିସେବଲ୍ କରିଦେଇଛି।

 

ଏହି ଘଟଣା ଏହା ପ୍ରମାଣିତ କରୁଛି ଯେ, ଟେକ୍ କମ୍ପାନୀଗୁଡ଼ିକ ଯେତେ ଆଧୁନିକ ଜ୍ଞାନକୌଶଳ ଆଣିଲେ ମଧ୍ୟ, ଯଦି ତାହା ୟୁଜରଙ୍କ ମୂଳ ସ୍ୱାର୍ଥ ଓ ପ୍ଲାଟଫର୍ମର ଅରିଜିନାଲିଟିକୁ କ୍ଷୁର୍ଣ୍ଣ କରେ, ତେବେ ତାହାକୁ ଗ୍ରହଣ କରାଯିବ ନାହିଁ। ବର୍ତ୍ତମାନ ପାଇଁ ମେଟା ଏହି ‘ମ୍ୟୁଜ୍’ ଫିଚରକୁ ସବୁଦିନ ପାଇଁ ବନ୍ଦ କଲା ନା ଭବିଷ୍ୟତରେ କିଛି ପରିବର୍ତ୍ତନ ସହ ପୁଣିଥରେ ଆଣିବ, ତାହା ସ୍ପଷ୍ଟ ହୋଇନାହିଁ।

Comments are closed.