Latest Odisha News

ଡାକ୍ତର, ମେଡିକାଲ କର୍ମଚାରୀଙ୍କ ସୁରକ୍ଷା ନେଇ ରାଜ୍ୟଗୁଡିକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ସଂକ୍ରମିତଙ୍କ ଚିକିତ୍ସା ଓ ସେବାରେ ନିୟୋଜିତ ଚିକିତ୍ସକ, ସ୍ୱାସ୍ଥ୍ୟ କର୍ମୀ, ବିଶେଷଜ୍ଞ ଓ ଅନ୍ୟସମସ୍ତ ଆଗଧାଡିର କର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଦୃଢ ତଥା ସୁନିଶ୍ଚିତ କରିବାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶକ୍ରମେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସବୁ ରାଜ୍ୟ ସରକାରମାନଙ୍କୁ ପୁଣି ଥରେ ନିର୍ଦ୍ଦେଶ ଦେଇଛନ୍ତି । ଏସବୁ ପେସାଦାର ବ୍ୟକ୍ତି ବିଶେଷଙ୍କ ବିରୋଧରେ ହିଂସାତ୍ମକ କାର୍ଯ୍ୟ ଓ ଆକ୍ରମଣ ହେଉଥିବାରୁ ସେମାନଙ୍କୁ ସଂପୂର୍ଣ୍ଣ ସୁରକ୍ଷିତ କରିବା ସହ ଆକ୍ରମଣକାରୀଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏହି ନିର୍ଦ୍ଦେଶରେ କୁହାଯାଇଛି ।

ଆହୁରି ମଧ୍ୟ କର୍ତ୍ତବ୍ୟ ସଂପାଦନ ସମୟରେ ଏହି ଚିକିତ୍ସକ ଓ ପେସାଦାର ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ କେହି ଯଦି ସଂକ୍ରମିତ ହୋଇ ପ୍ରାଣ ହରାନ୍ତି ତେବେ ସେମାନଙ୍କ ଶେଷକୃତ୍ୟ କେହି ରୋକି ପାରିବେ ନାହିଁ । ଯିଏ ଏହାକୁ ବିରୋଧ କରିବ ତା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଚିକିତ୍ସକ ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହା ପୂର୍ବରୁ ୨୪ ମାର୍ଚ୍ଚ, ୪ ଓ ୧୧ ଏପ୍ରିଲରେ ମାର୍ଗଦର୍ଶିକା ରାଜ୍ୟମାନଙ୍କ ପାଇଁ ଜାରି ହୋଇଥିଲା । ଏହା ସତ୍ୱେ କେତେକ ସ୍ଥାନରେ ଚିକିତ୍ସକ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ ଘଟଣା ଘଟିଛି । ଏଭଳି ଘଟଣା ଏହି ସମୟରେ ସବୁ ଚିକିତ୍ସକ, ଚିକିତ୍ସା କର୍ମଚାରୀ ଓ ଆଗଧାଡିର କର୍ମୀଙ୍କ ମଧ୍ୟରେ ଏକ ଅସୁରକ୍ଷାର ଭାବନା ସୃଷ୍ଟି କରିବାର ସମ୍ଭାବନା ରହିଛି । ତେଣୁ ରାଜ୍ୟ ସରକାରମାନେ ସେମାନଙ୍କ ସୁରକ୍ଷା ଓ ନିରାପତ୍ତାକୁ ସୁନିଶ୍ଚିତ କରିବା ଆବଶ୍ୟକ ବୋଲି ନୂଆ ମାର୍ଗ ଦର୍ଶିକାରେ କୁହାଯାଇଛି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ତଥା ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଅନୁସାରେ ସବୁ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳ ସରକାର ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚିକିତ୍ସକ, ଚିକିତ୍ସା କର୍ମଚାରୀଙ୍କୁ ଆକ୍ରମଣ କରୁଥିବା ବା ନିୟମ ମାନୁନଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ।

ଆହୁରି ମଧ୍ୟ ସ୍ୱାସ୍ଥ୍ୟ ସେବାର ଚିକିତ୍ସକ ଓ କର୍ମଚାରୀଙ୍କ ନିରାପତ୍ତା ଆଦି କଥା ବୁଝି ତୁରନ୍ତ ପଦକ୍ଷେପ ନେବାକୁ ରାଜ୍ୟ ଓ ଜିଲ୍ଲାସ୍ତରରେ ନୋଡାଲ ଅଫିସର ତୁରନ୍ତ ନିଯୁକ୍ତି କରି ୨୪ ଘଣ୍ଟିଆ ସୁରକ୍ଷା ସେବା ଯୋଗାଇ ଦେବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ନୋଡାଲ ଅଫିସର ନିଯୁକ୍ତି, ତାଙ୍କର ଠିକଣା, ଡାକ୍ତରଙ୍କ ପାଇଁ ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ଆଦି ସଂପର୍କରେ ଯଥେଷ୍ଟ ପ୍ରଚାର ଓ ପ୍ରସାର ଦିଗରେ କାମ କରିବାକୁ ରାଜ୍ୟମାନଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.