ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ‘ଅନନ୍ୟ ଶଙ୍ଖକ୍ଷେତ୍ର’
ସ୍ନାନ ପୂର୍ଣ୍ଣମୀଠାରୁ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ଅଣସର କାଳ ଦୀର୍ଘ ତେର ଦିନର ଭକ୍ତ ଓ ଭଗବାନଙ୍କ ବିଚ୍ଛେଦର ଅନ୍ତ ଘଟେ । ଉଭା ଅମାବାସ୍ୟାରେ ସେ ରଥାରୂଢ଼ ହେବା ପାଇଁ ପ୍ରସ୍ତୁତ ବୋଲି ସଙ୍କେତ ଦିଅନ୍ତି । ତା’ପରେ ସେନାପଟା ଲାଗି ହୋଇ ଶ୍ରୀଗୁଣ୍ଡିଚା ଦିନ ଭାଇ ଭଉଣୀଙ୍କ ସହିତ ତିନି ରଥରେ ଚଢ଼ି ବାହାରନ୍ତିି ଜନ୍ମବେଦୀକୁ ।
ଧନ୍ୟ ସେ ବ୍ରହ୍ମାଣ୍ଡନାଥଙ୍କ ଭ୍ରମଣ ଲୀଳା! ଶ୍ରୀଗୁଣ୍ଡିଚା, ରଥଯାତ୍ରା, ଘୋଷଯାତ୍ରା, ଦଶାବତାର ଯାତ୍ରା, ପତିତପାବନ ଯାତ୍ରା, ଏପରି କେତେ ନାମରେ ଉଚ୍ଚାରିତ । ଜ୍ଞାତି ପରିଜନଙ୍କ ମେଳରେ ଘଣ୍ଟମାଦଳ, ଖୋଳ, କାହାଳୀ ନାଦର ତାଳେ ତାଳେ ମସ୍ତକରେ ଦିବ୍ୟଟାହିଆ ନଚାଇ, ଝୁଲିଝୁଲି ଧାଡ଼ି ପହଣ୍ଡିରେ ଆସି ଚତୁର୍ଦ୍ଧା ମୂର୍ତ୍ତି ରଥାରୂଢ଼ ହୁଅନ୍ତି । ହରିବୋଲ ହୁଳହୁଳିର ଧ୍ୱନୀରେ ପ୍ରକମ୍ପିତ ହୁଏ ଗଗନପବନ । ସଦ୍ୟ ମୁଖଶିଙ୍ଗାରଜନିତ ତିର୍ଯ୍ୟକ ଚାହାଣୀରେ ଝଟକୁଥାଏ ସର୍ବଦ୍ରଷ୍ଟାଙ୍କର ଚକାଆଖି ଯୁଗଳ, ଲୋହିତ ଅଧରରେ ଚମକୁଥାଏ ଧାରେ କୁଟିଳ ହସ । ସିଂହଦ୍ୱାର ଗୁମୁଟ ଭିତରୁ ବାହାରି ବଡ଼ଦାଣ୍ଡକୁ ଆସିବା ବେଳକୁ ସହସ୍ର ସଂଖ୍ୟାରେ ଭକ୍ତମାନେ ଚରମ ଉତ୍କଣ୍ଠାରେ ଅପେକ୍ଷା କରିଥାଆନ୍ତି । କଳାବଦନର ଦିବ୍ୟଦର୍ଶନରେ ବିମୋହିତ ହୁଅନ୍ତି । ଭାବ ସମୁଦ୍ରରେ ସୃଷ୍ଟିହୁଏ ଉତ୍ତାଳ ପ୍ରଭଞ୍ଜନ । ସମ୍ମିଳତ ‘ଜୟ ଜଗନ୍ନାଥ‘ ଡାକରେ ଫାଟିପଡ଼େ ଚତୁର୍ଦ୍ଦିଗ । ଚକାଆଖି ଦ୍ୱୟର ଦୁର୍ଲ୍ଲଭ ଆକର୍ଷଣରେ ସମ୍ମୋହିତ ହୁଅନ୍ତି ଭକ୍ତଗଣ । ସେ ଦିବ୍ୟଦୃଷ୍ଟିର ପ୍ରଭାବରେ ଆକ୍ରାନ୍ତ ହୁଅନ୍ତି, ଆହ୍ଲାଦିତ ହୁଅନ୍ତି ।
ଦେଉଳ ପୁରୋହିତଙ୍କ ଦ୍ୱାରା ପାରମ୍ପରିକ ରୀତିରେ ପ୍ରତିଷ୍ଠିତ ତିନିଗୋଟି ସୁସଜ୍ଜିତ ରଥ ଦାରୁବିଗ୍ରହଙ୍କ ପାଇଁ ପ୍ରସ୍ତୁତ ରହିଥାଏ । କ୍ରମାନ୍ୱୟରେ ଶ୍ରୀସୁଦର୍ଶନ-ଦେବଦଳନରେ,ଶ୍ରୀବଳଭଦ୍ର-ତାଳଧ୍ୱଜରେ,ମା’ସୁଭଦ୍ରା –
ଦେବଦଳନରେ ଓ ଶ୍ରୀଜଗନ୍ନାଥ ନନ୍ଦିଘୋଷରେ ସିଂହାସନର ଚକା ଉପରେ ବିରାଜମାନ କରି ଚିତ୍ରିିତ ପ୍ରଭାପଟା ସହିତ ରୁନ୍ଧା ହୁଅନ୍ତି । ମହାପ୍ରଭୁଙ୍କ ସହିତ ରହିଥାଆନ୍ତି ବିଜେ ପ୍ରତିମା ଶ୍ରୀରାମକୃଷ୍ଣ ଓ ଶ୍ରୀମଦନମୋହନ । ଅଚଳ ମହାମେରୁ କାଳିଆ ସାଆନ୍ତେ ଚାରମାଳ ଦେଇ ରଥ ଉପରକୁ ବିଜେ କଲାବେଳେ ଲାଗେ ସତେ ଅବା ସେ ସ୍ୱୟଂ ଚଢ଼ି ଚଢ଼ି ଯାଉଛନ୍ତି । ହଁ ତା’ ନୁହେଁ ତ ଆଉ କ’ଣ? ଯିଏ ସର୍ବଶକ୍ତିମାନ ତାଙ୍କୁ ପୁଣି କିଏ ବଳ କଷି ସ୍ଥାନାନ୍ତରିତ କରିପାରିବ? ତାଙ୍କର ଇଛା ନହେଲେ ସେ କଦାପି ରଥ ଉପରକୁ ଯିବେ ନାହିଁ । ସେମିତି ଚାର ମଝିରେ ଅଟକିଥିବେ ଘଣ୍ଟା ଘଣ୍ଟା ଧରି । ଅତୀତରେ ଘଟିଥିବା ଘଟଣା ତା’ର ପ୍ରମାଣ ମାତ୍ର । ସେବକେ ନାମକୁ ମାତ୍ର ତାଙ୍କ ଅଣ୍ଟାରେ ପାଟଡୋର ବାନ୍ଧି ଉପରକୁ ଟାଣୁଥାଆନ୍ତି ଆଉ କେତେଜଣ ଦୁଇ କାନ୍ଧ ଆଉ ପଶ୍ଚାତ ଭାଗରେ ରହି ପିଠିରେ ପିଠି ମିଶାଇ ଓଗାଳୁ ଥାଆନ୍ତି । ଆଗକୁ ପଛକୁ ଝୁଙ୍କି ଚାର ଉପରେ ଗୋଟିକ ପରେ ଗୋଟିଏ ତାଳଗଡ଼ ଅତିକ୍ରମ କରି ରଥ ଉପରକୁ ଚଳନ୍ତି ମହାପ୍ରଭୁ । ସମତାଳରେ ଝୁଲୁଥାଏ ତୁଳସୀ ଦୟଣା ଖଚିତ ଅପୂର୍ବ ଟାହିଆ ।
ଏହି ପ୍ରକ୍ରିୟାକୁ ଅବଲୋକନ କରି ବ୍ରିଟିଶ ଶାସନ କାଳରେ ହୁଏତ କେହି ମୂଢ଼ ବିଦେଶୀ ବୁଦ୍ଧିଜୀବୀ ଆମ ଦାରୁଦିଅଁଙ୍କୁ ‘ଜୀଉ’ ବୋଲି ସମ୍ବୋଧନ କରିବା ଆରମ୍ଭ କରିଥିଲେ । ଆମ ଶାସ୍ତ୍ର ପୁରାଣରେ କୁତ୍ରାପି ଏହି ‘ଜୀଉ’ ଶବ୍ଦ ମିଳେ ନାହିଁ । ଇଂରେଜୀ ଶବ୍ଦକୋଷରେ ଏହାର ଅର୍ଥ ଭିନ୍ନ, ଅସମ୍ମାନସୂଚକ । ପରିତାପର ବିଷୟ ଆମ ଗଣମାଧ୍ୟମ ଏହି ଭ୍ରଷ୍ଟ ଶବ୍ଦ ପୂର୍ବରୁ ‘ଶ୍ରୀ’ ଲଗାଇ ‘ଶ୍ରୀଜୀଉ’ ବୋଲି ବ୍ୟବହାର କରୁଛନ୍ତି । ଏହା ପରିବେର୍ତ୍ତ ମହାପ୍ରଭୁ, ଦାରୁଦିଁଅ, ଶ୍ରୀବିଗ୍ରହ, ଶ୍ରୀଠାକୁର ଇତ୍ୟାଦି ସମ୍ବୋଧନ ଅଧିକ ଭକ୍ତିଭାବ ଉଦ୍ରେକ କରିବ । ପହଣ୍ଡି ଲୀଳା ସରିବା ବେଳକୁ ଗଜପତି ମହାରାଜା ଶ୍ରୀ ନହରରେ ଅପେକ୍ଷା କରିରହିଥାଆନ୍ତି । ସାଧାରଣ ରାଜକୀୟ ବେଶରେ ତାମଯାନ ଯୋଗେ ବଡ଼ଦାଣ୍ଡର ଜନଗହଳିକୁ ଦୁଇ ଭାଗକରି ରଥ ନିକଟକୁ ଆସିଯାଆନ୍ତି । ଆରମ୍ଭ ହୁଏ କ୍ରମାନ୍ୱୟରେ ତିନି ରଥରେ ଛେରାଁପହଁରା । ସୁନାବେଣ୍ଟଯୁକ୍ତ ଖଡ଼ିକା ଝାଡ଼ୁ ଧରି ପ୍ରତୀକାତ୍ମକ ଭାବରେ ଏହି ସେବା । ସିଂହାସନର ଚାରିପାଖରେ ଭଣ୍ଡାର ମେକାପଙ୍କ ଦ୍ୱାରା ପ୍ରକ୍ଷେପିତ ଶୁକ୍ଳ ପୁଷ୍ପସବୁକୁ ଝାଡ଼ୁ ମାରିବା ସହିତ ଚନ୍ଦନ କର୍ପୂର ଇତ୍ୟାଦିର ମିଶ୍ରଣରେ ରାଜଗୁରୁଙ୍କ ଦ୍ୱାରା ଅଭିମନ୍ତ୍ରିତ ଜଳ ସିଞ୍ଚନ କରାଯାଏ । ଗଜପତିଙ୍କ ସାଙ୍ଗରେ ଥାଆନ୍ତି ରାଜଗୁରୁ, ଦେଉଳକରଣ ଓ ମେକାପ ଆଦି ସେବକ । ଏହି ସେବା ଗଜପତି ସାମ୍ରାଜ୍ୟର ରଜାମାନଙ୍କର ପାରମ୍ପରିକ ଅଧିକାର । ମହାପ୍ରଭୁଙ୍କ ପ୍ରଥମ ସେବକ ଭାବେ ଚତୁର୍ଦ୍ଧାମୂତ୍ତିଙ୍କ ପ୍ରତି ଆନୁଗତ୍ୟର ପ୍ରତୀକ । ଏହି ସେବାକୁ ନେଇ ଇତିହାସରେ କେତେ ବର୍ଣ୍ଣନ । ଅନ୍ୟ ସାମ୍ରାଜ୍ୟର ରଜାମାନଙ୍କ ଦୃଷ୍ଟିରେ ଝାଡ଼ୁଦାର ଭାବେ ନିକୃଷ୍ଟ ପରିଚୟ । ପୁଣି ମହାପ୍ରଭୁଙ୍କଠାରେ ଭକ୍ତି ତଥା ସମର୍ପଣ ଭାବର ନିଚ୍ଛକ ପ୍ରଦର୍ଶନ । ଇତିହାସ କହେ ୧୪୪ ଜଣ ରଜା ଏପର୍ଯ୍ୟନ୍ତ ରଥ ଉପରେ ଛେରାପହଁରା କରିବାର ସୌଭାଗ୍ୟ ଲାଭ କରିଛନ୍ତି ।
ଏହି ଅବସରରେ ନିଜ ପଦବୀର ଅଧିକାର ସାବ୍ୟସ୍ତ କରିବା ପାଇଁ ପରିକର ମଣ୍ଡଳୀ ସହିତ ଆସନ୍ତି ଗୋବର୍ଦ୍ଧନ ପୀଠାଧିଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ । ସଦଳବଳେ ରଥ ଉପରେ ଚଢ଼ି ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରନ୍ତି । ସାଙ୍ଗରେ ଥିବା ପରିକରମାନଙ୍କ ସଂଖ୍ୟା ଓ ସଂପୃକ୍ତିକୁ ନେଇ ଦ୍ୱନ୍ଦ୍ୱ ଉପୁଜେ, ସମାଲୋଚନା ହୁଏ ତଥାପି ପରମ୍ପରା ଅକ୍ଷୁର୍ଣ୍ଣ ରହେ । ଅଧିକ ବିଳମ୍ବକୁ ପ୍ରଶୟ ନଦେଇ କୋଠସୁଆଁସିଆମାନଙ୍କ ଦ୍ୱାରା ପ୍ରଥମେ ତାଳଧ୍ୱଜର ଚାରମାଳ ଖୋଲାଯାଇ ସମ୍ମୁଖ ଭାଗରେ ଚାରିଗୋଟି ଘୋଡ଼ା ଲଗାଯାଏ । ପୂର୍ବରୁ ସିଂହାସନର ବାମ ପାଶ୍ୱର୍ରେ କାଷ୍ଠନିର୍ମିତ, ସଂପୃକ୍ତ ରଥର ରଙ୍ଗ ଅନୁସାରେ ରଙ୍ଗୀନ ପୋଷାକ ପରିହିତ ସୁଦୃଶ୍ୟ ସାରଥି ମୂର୍ତ୍ତି ବସାଯାଇଥାଏ । ଏହା ପରେ ରଥର ଦଉଡ଼ି଼ି ଲଗାଯାଇ ଡାହୁକ ଡାକିବା ପରେ ବିଜେ କାହାଳୀ ବାଜିବା ମାତ୍ରେ ବହୁପ୍ରତୀକ୍ଷିତ ରଥଚଳା ଆରମ୍ଭ ହୁଏ । ଅନ୍ୟ ଦୁଇଟି ରଥ ମଧ୍ୟ ଏହିପରି ସଜହୋଇ ମଝିରେ ଦର୍ପଦଳନ ଓ ଶେଷରେ ନନ୍ଦିଘୋଷ ଚଳିବା ଆରମ୍ଭ ହୁଏ ।
ରଥଚଳା ସମଗ୍ର ମହାନାଟକର ଚରମ ଗୁୁରୁତ୍ୱପୂର୍ଣ୍ଣ ଆକର୍ଷଣ । ପ୍ରଶସ୍ତ ବଡ଼ଦାଣ୍ଡରେ ଦରଜୀ ସେବକଙ୍କ ଦ୍ୱାରା ଆକର୍ଷଣୀୟ ମଣ୍ଡଣିରେ ସଜ୍ଜିତ ତିନିଗୋଟି ସୁଉଚ୍ଚ ଦେବଯାନ ଘର୍ଘର ନାଦରେ ଗଡ଼ିବା ବେଳେ ଭକ୍ତ ମାନସରେ ଅପୂର୍ବ ଆଧ୍ୟାତ୍ମିକ ଭାବ ଜାଗ୍ରତ କରାଏ । ପ୍ରତି ରଥରେ ଚାରୋଟି ଘୋଡ଼ାଙ୍କ ଉଦ୍ୟତ ଶୈଳୀ ଯୋଗୁଁ ରଥଗୁଡ଼ିକ ଆକାଶ ମାର୍ଗରେ ଭାସମାନ ଅବସ୍ଥାର ଭ୍ରମ ସୃଷ୍ଟି କରେ । ଚଳନ୍ତା ରଥ ଦଉଡ଼ିରେ ହାତ ଲଗାଇ ଦିବ୍ୟସ୍ପର୍ଶ ଲାଭ କରନ୍ତି ଭକ୍ତଜନ, ରଥ ଉପରେ ଦାରୁବ୍ରହ୍ମଙ୍କୁ ବାମନ ରୂପରେ ଦର୍ଶନ କରି ପୂର୍ନଜନ୍ମରୁ ବଞ୍ôଚତ ହେବା ବିଶ୍ୱାସରେ ଗଭୀର ଆତ୍ମସନ୍ତୋଷ ନେଇ କୃତାର୍ଥ ହୁଅନ୍ତି ।
ଧରାପୃଷ୍ଠରେ ଧର୍ମୀୟ ପାରମ୍ପରିକତାର ଅନ୍ୟତମ ଶ୍ରେଷ୍ଠ ନିଦର୍ଶନ ପୁରୀର ଏହି ରଥଯାତ୍ରା । ଶହଶହ ବର୍ଷ ଧରି ସମୟର ବଡ଼ଦାଣ୍ଡରେ ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଗଡ଼ିଚାଲିଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ଦିବ୍ୟ ରଥତ୍ରୟ । ବିଡ଼ମ୍ବନା ହୋଇଛି ମାତ୍ର କେତୋଟି ବର୍ଷ ଯେତେବେଳେ ଯବନ ଓ ମରହଟ୍ଟାଙ୍କ ଦାଉରୁ ରକ୍ଷା କରିବା ପାଇଁ ଶ୍ରୀବିଗ୍ରହମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି ବିଭିନ୍ନ ଗୋପନ ସ୍ଥଳକୁ । ବାଲିମାଟି କାଦୁଆରେ ବଡ଼ ଦାଣ୍ଡ ଏବେ ପାଲଟିଛି କଂକ୍ରିଟ ଓ ପିଚୁ ନିର୍ମିିତ ମସୃଣ ସଡ଼କରେ । ଆଉ ହାତୀ ନାହାନ୍ତି ରଥ ପଛରେ ମୁଣ୍ଡ ଲଗାଇ ବାଲିରେ ପୋତି ହୋଇଥିବା ଚକ ଉଠାଇ ରଥ ଗଡ଼଼ିବାରେ ସାହାଯ୍ୟ କରିବା ପାଇଁ । ଆଉ ନାହିଁ ସେ ମାଳିନୀ ନଦୀ ଯେଉଁଠାରେ ଶ୍ରୀବିଗ୍ରହମାନଙ୍କୁ ରଥରୁ ଓହ୍ଲାଇ ଭେଳାରେ ନେଇ ପୁନଃ ଶଗଡ଼ି ସାହାଯ୍ୟରେ ଗୁଣ୍ଡିଚା ଘରେ ପହଞ୍ଚଇବା ପାଇଁ । ବଡ଼ଦାଣ୍ଡ ଏବେ ସମତଳ, ରଥ ଚକ ଗଡ଼ିବା ପାଇଁ ସହଜ, ଏକାନ୍ତ ଉପଯୋଗୀ । ତେବେ ରଥର ରୂପ , ଆକାର କିଛି ବି ବଦଳିନି । ଉଚ୍ଚତା, ମଣ୍ଡଣୀ, ରଙ୍ଗ, ଅଳଙ୍କରଣ ଓ ସାମଗ୍ରିକ ସୌନ୍ଦର୍ଯ୍ୟରେ ବିଶେଷ କୌଣସି ପରିବର୍ତ୍ତନ ହୋଇନାହିଁ । ବରଂ ରଥଗୁଡ଼ିକୁ ଅଧିକ ଆକର୍ଷଣୀୟ
କରିବା ପାଇଁ ଓ ରଥ ନିର୍ମାତା କାରିଗରମାନଙ୍କ ଶ୍ରମ ଲାଘବ କରିବା ପାଇଁ ଅନେକ ବିକଳ୍ପ ବ୍ୟବସ୍ଥା କରାଯାଇଛି । ସେଥିପାଇଁ ହୁଏତ ରଥ କାର୍ଯ୍ୟର ବିଭିନ୍ନ ପର୍ଯ୍ୟାୟ, ପୂର୍ବ ନିର୍ଦ୍ଦିଷ୍ଟ କଣ୍ଟ ପୂର୍ବରୁ ସମ୍ପୂର୍ଣ୍ଣ ହେବା ସହଜ ହେଉଛି ।
ଏହି ଭ୍ରମଣ ଲୀଳା ପର୍ଯ୍ୟାୟରେ, ମହାପ୍ରଭୁ ଭୁଲିଯାଆନ୍ତି ନବବିବାହିତା ପତ୍ନୀଙ୍କ କଥା । ବିବାହ ବେଳର ଗଇଣ୍ଠାଳ ମଧ୍ୟ ଫିଟିନଥାଏ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ । ତେଣୁ ଆହ୍ଲାଦିନୀ ଶକ୍ତି ସ୍ୱରୂପିଣୀ ମହାଲକ୍ଷ୍ମୀ , ଦାମ୍ପତ୍ୟର ସ୍ୱାଭିମାନ ବଜାୟ ରଖି ନଟବର ନାଗରଙ୍କ ଗତିବିଧି ଉପରେ ନଜର ରଖନ୍ତି, ମନରେ ରହିଥାଏ ପର୍ଯ୍ୟାପ୍ତ ଅଭିମାନ । କି ବିଚିତ୍ର ଲୀଳା ରଚନା ସତେ, ମହାପ୍ରଭୁଙ୍କର! ମା’ ଲକ୍ଷ୍ମୀ ଗୁପ୍ତ ଭାବରେ ହେରା ପଞ୍ଚମୀ ଦିନ ଗୁଣ୍ଡିଚା ଘର ପର୍ଯ୍ୟନ୍ତ ଯାଇ ମହାପ୍ରଭୁଙ୍କ ଦର୍ଶନ ନପାଇ ନିଜକୁ ସାଙ୍ଗରେ ନଆଣିଥିବାର ଗ୍ଳାନିରେ ଜର୍ଜରିତ ହେଇ ଶରଧା ବାଲିରେ ନନ୍ଦିଘୋଷର କ୍ଷୁଦ୍ର ଅଂଶ ଭାଙ୍ଗିଦିଅନ୍ତି ଏବଂ ହେରାଗୋହିରୀ ଦେଇ ଶ୍ରୀମନ୍ଦିରକୁ ଫେରିଆସନ୍ତି । କିମ୍ବଦନ୍ତୀ କହେ ପୂର୍ବେ ଯେବେ ଶ୍ରୀମନ୍ଦିରରେ ମାହାରିମାନଙ୍କ ସଂଖ୍ୟା ଅଧିକ ଥିଲା ସେତେବେଳେ କେତେଜଣ ମାହାରି ମହାଲକ୍ଷ୍ମୀଙ୍କ ଦାସୀ ଭାବରେ ପଟୁଆରରେ ଯାଇ ଗୁଣ୍ଡିଚା ଘରେ ସେବକମାନଙ୍କ ସହିତ ବଚସା କରୁଥିଲେ । ସେମାନଙ୍କ ଠାକୁରାଣୀଙ୍କୁ ସାଙ୍ଗରେ ଆଣି ନଥିବାରୁ ମହାପ୍ରଭୁଙ୍କୁ ଧିକ୍କାର କରୁଥିଲେ । ଏହି ଲୀଳା ପରେ ମହାପ୍ରଭୁ ଆଜ୍ଞାମାଳ ପଠାଇ ରଥସବୁକୁ ଶ୍ରୀମନ୍ଦିରକୁ ଫେରିବା ଉଦ୍ଦେଶ୍ୟରେ ଦକ୍ଷିଣମୋଡ଼ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତି । ତା’ପରେ ଦଶମୀ ତିଥିରେ ଆରମ୍ଭ ହୁଏ ବାହୁଡ଼ା ଯାତ୍ରା ।
ସକଳ ଅନୁରୂପ ଆଡ଼ମ୍ବରରେ ବାହୁଡ଼ା ଯାତ୍ରାରେ ତିନିରଥରେ ଚତୁର୍ଦ୍ଧାମୂର୍ତ୍ତି ଆଡ଼ପ ମଣ୍ଡପରୁ ବାହୁଡ଼ନ୍ତି ତାଙ୍କ ନିତ୍ୟ ଆବାସ ଶ୍ରୀବତ୍ସଖଣ୍ଡଶାଳ ପ୍ରାସାଦ ତଥା ଶ୍ରୀମନ୍ଦିରକୁ । ବାଟରେ ମାଉସୀମା ବା ଅର୍ଦ୍ଧାସିନୀ ଠାକୁରାଣୀଙ୍କ ମନ୍ଦିରରେ ପୋଡ଼ପିଠା ଭୋଗ ଲାଗେ । ତାଳଧ୍ୱଜ, ଦର୍ପଦଳନ ଟଣାହୋଇ ସିଂହଦ୍ୱାରରେ ଲାଗିଯିବା ପରେ ନନ୍ଦିଘୋଷ ଆସି ରଜା ନଅର ନିକଟରେ ଅଟକିଯାଏ । ଏଣେ ମହାଲକ୍ଷ୍ମୀ ଆସ୍ଥାନରୁ ଆସି ପ୍ରଥମେ ଚାହାଣି ମଣ୍ଡପରେ ରଥର ଆଗମନକୁ ଅନୁଧ୍ୟାନ କରି ସତରେ ପ୍ରଭୁ ଫେରିଛନ୍ତି ବୋଲି ପ୍ରତ୍ୟକ୍ଷ କରିବା ପାଇଁ ରଜାନଅର ପର୍ଯ୍ୟନ୍ତ ବିମାନରେ ଯାଆନ୍ତି । ସେଠାରେ ଗଜପତି ପୁରୋଧା ଭାବରେ ତାଙ୍କ ସହିତ ମହାପ୍ରଭୁଙ୍କ ଭେଟ କରାନ୍ତି । ଏହି ଲୀଳା ଲୋକମୁଖରେ ଲକ୍ଷ୍ମୀ ନାରାୟଣ ଭେଟ ଭାବରେ ଜଣାଗଲେ ମଧ୍ୟ ଏଥିରେ ପ୍ରକୃତରେ ଶ୍ରୀଦେବୀଙ୍କର ଶ୍ରୀଜଗନ୍ନାଥଙ୍କ ସହିତ ଭେଟ ହୋଇଥାଏ । ଠାକୁରାଣୀ, ମହାପ୍ରଭୁ
ଫେରି ଆସିଲେ ବୋଲି ଆଶ୍ୱସ୍ତ ହୁଅନ୍ତି ଏବଂ ଶ୍ରୀମନ୍ଦିରକୁ ବାହୁଡ଼ନ୍ତିି । ପୁଣି ଅପେକ୍ଷା ରହେ ନୀଳାଦ୍ରିବିଜେକୁ । ଶ୍ରୀମନ୍ଦିରରେ ଶ୍ରୀଦେବୀଙ୍କ ବିଗ୍ରହ ରତ୍ନସିଂହାସନରେ ମହାଲକ୍ଷ୍ମୀଙ୍କ ପ୍ରତିନିଧି ଭାବେ ପୂଜିତା । ସେ ମଧ୍ୟ ରୁକ୍ମଣୀ ରୂପରେ ମହାପ୍ରଭୁଙ୍କ ଲୀଳାବିଗ୍ରହ ମଦନମୋହନଙ୍କୁ ବିବାହ କରିଥାନ୍ତି । ଷୋଳକଳାରେ ବିଭୂଷିତ କଳା ଠାକୁରଙ୍କ ବୈଚିତ୍ର୍ୟମୟ ଲୀଳାର ଅନ୍ତ ନାହିଁ ।
କ୍ରମଶଃ…
କୁଣ୍ଢେଇବେଣ୍ଟ ସାହି,
ପୁରୀ , ମୋ: ୯୪୩୭୧୬୬୩୬୯
Comments are closed.