Latest Odisha News

BREAKING NEWS

ଘର ଫେରୁଛନ୍ତି ପ୍ରବାସୀ, ବସଷ୍ଟାଣ୍ଡ ଓ ଷ୍ଟେସନରେ ପ୍ରବଳ ଭିଡ଼

ନୂଆଦିଲ୍ଲୀ: ଦିଲ୍ଲୀରେ ସୋମବାର ରାତି ୧୦ଟାରୁ ଆସନ୍ତା ସୋମବାର ଅର୍ଥାତ୍ ଏପ୍ରିଲ୍ ୨୬ ସକାଳ ୫ଟା ଯାଏ ଲକଡାଉନ୍ ଲାଗୁ ହୋଇଛି । ଦିଲ୍ଲୀରେ ଲଗାତାର ବଢ଼ୁଥିବା କୋଭିଡ୍ ମାମଲାକୁ ଦେଖି ଲକଡାଉନ୍ ଲାଗୁ କରିଛନ୍ତି ଦିଲ୍ଲୀ ସରକାର । ଲକଡାଉନ୍ ଆରମ୍ଭ ହୋଇଯାଇଥିବା ବେଳେ ସୋମବାର ଦିଲ୍ଲୀର ଆନନ୍ଦବିହାର, କୌଶାମ୍ବି ବସ୍ ଟର୍ମିନାଲରେ ୟୁପି, ବିହାର ଶ୍ରମିକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ୨୦୨୦ ମାର୍ଚ୍ଚରେ ଲକଡାଉନ୍ ପରେ ଯେଭଳି ଚିତ୍ର ଦେଖିବାକୁ ମିଳିଥିଲା ଠିକ୍ ସେହିଭଳି ଭିଟାମାଟିକୁ ଫେରିବାକୁ ଲାଗିଥିଲା ପ୍ରବାସୀଙ୍କ ଭିଡ଼ ।

ଆନନ୍ଦବିହାର ଷ୍ଟେସନରେ ବି ହଜାର ହଜାର ପ୍ରବାସୀଙ୍କ ଭିଡ଼ ଲାଗି ରହିଥିଲା । ସୋମବାର ଦିନ ଯାକ ଦେଖିବାକୁ ମିଳିଥିଲା ଏପରି ଦୃଶ୍ୟ । ପ୍ରବାସୀଙ୍କ କହିବା କଥା କରୋନା ସଂକ୍ରମଣ ଅନିୟନ୍ତ୍ରିତ ଭାବେ ବଢ଼ିଚାଲିଛି । ସ୍ଥିତି ଆହୁରି ଖରାପ ହେଲେ ଲକଡାଉନ୍ ଅବଧି ବଢିପାରେ । ଏମିତି ହେଲେ ସେମାନଙ୍କ ଲାଗି ପରିବାର ଚଳାଇବା କଷ୍ଟକର ହୋଇପଡ଼ିବ । ସେଥିପାଇଁ ସେମାନେ ଭିଟାମାଟିକୁ ଫେରି ଯାଉଛନ୍ତି ।

ସୋମବାର ଲକଡାଉନ୍ ଘୋଷଣା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ ପ୍ରବାସୀଙ୍କୁ ସମ୍ବୋଧିତ କରି କହିଥିଲେ- ଭରସା ଦେଉଛି ସରକାର ଆପଣମାନଙ୍କ କଥା ବୁଝିବେ, ଦିଲ୍ଲୀରେ ରୁହନ୍ତୁ । ନିବେଦନ କରୁଛି ଏହା ଏକ ଛୋଟ ଲକଡାଉନ୍, ୬ ଦିନର । ଦିଲ୍ଲୀ ଛାଡ଼ି କରି ଯାଆନ୍ତୁ ନାହିଁ । କିନ୍ତୁ କେଜ୍ରିୱାଲଙ୍କ ଏହି ନିବେଦନ ପ୍ରବାସୀଙ୍କୁ ପ୍ରଭାବିତ କରିପାରିନାହିଁ । କୌଣସି ବି ପ୍ରକାରେ ଘର ବାହୁଡ଼ିବାକୁ ପ୍ରୟାସ କରୁଛନ୍ତି ପ୍ରବାସୀ ଶ୍ରମିକ ।

ଆନନ୍ଦବିହାର ଷ୍ଟେସନରେ ଘରକୁ ଫେରିବା ଲାଗି ପ୍ରବାସୀଙ୍କ ଭିଡ଼ ଭିତରେ ସାମାଜିକ ଦୂରତା ନଥିଲା । ବସରେ ଟିକେଟ୍ ବି ମିଳୁନଥିଲା । ଅନେକ ପ୍ରବାସୀ ବସର ଛାତ ଉପରେ ବସି ଘରକୁ ଯାଉଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.