ଚାଇନାର ଉହାନ ସହରରୁ ବାହାରି ଆଜି କରୋନା ସାରା ବିଶ୍ୱକୁ ବ୍ୟାପିଛି । ଏଯାବତ ୨୧୨ ଦେଶକୁ ଗ୍ରାସ କରି ଏକ ମହାବିପତ୍ତିର ରୂପ ଧାରଣ କରିଛି । ଭାରତ ମଧ୍ୟ ଏହି ମହାମାରୀ କବଳରୁ ବଞ୍ଚିପାରି ନାହିଁ । ସଂକ୍ରମଣ ରୋକିବାକୁ ଯାଇ ସରକାରଙ୍କ ଲକ୍ଡ଼ାଉନ ଫର୍ମୁଲା ଆଜି ଅର୍ଥନୀତି ପାଇଁ ବୁମେରାଂ ସାବ୍ୟସ୍ତ ହୋଇଅଛି । ଲକ୍ଡ଼ାଉନ ଯୋଗୁ ଆଜି କ୍ଷତିଗ୍ରସ୍ତ ହୋଇଛି ଭାରତୀୟ ଶିଳ୍ପ ସାମ୍ରାଜ୍ୟ, ସେ ବୃହତ ଶିଳ୍ପ ହେଉ, ମଧ୍ୟମ ଶିଳ୍ପ ହେଉ ଅବା କ୍ଷୁଦ୍ର ଶିଳ୍ପ, ଏଥିରେ ସର୍ବାଧିକ ପ୍ରଭାବିତ ଆମ ଶ୍ରମିକ ସମାଜ ।
ବଜାରରେ ଚାହିଦା କମିବାରୁ କଳକାରଖାନା ଠାରୁ ଆରମ୍ଭ କରି ନିର୍ମାଣ କାର୍ଯ୍ୟ ସବୁ ଠପ୍ ହୋଇ ପଡ଼ିଛି । କଳକାରଖାନା ଶବ୍ଦରେ ଦିନରାତି ପ୍ରକମ୍ପିତ ହେଉଥିବା ଶିିଳ୍ପାଞ୍ଚଳରେ ନିଶବ୍ଦତାର ମାହୋଲ । ରାସ୍ତାଘାଟ ଶୂନଶାନ ଓ ଚାରିଆଡେ କରୋନାର ହାହାକାର । ଏହି ପରିସ୍ଥିତି ରେ ନିଜ ଗାଁ ଭିଟାମାଟି ଛାଡି଼ ଅନ୍ୟ ରାଜ୍ୟକୁ କାମ ଖୋଜିବାକୁ ଯାଇଥିବା ଶ୍ରମିକଙ୍କ ଅବସ୍ଥା କହିଲେ ନ ସରେ । ନା ଅଛି ରୋଜଗାର ନା ଅଛି ପରିବାର ପୋଷଣର ଅନ୍ୟ କିଛି ଉପାୟ । ବିନା ପୂର୍ବ ପ୍ରସ୍ତୁତିରେ ଘୋଷିତ ଏହି ଲକ ଡ଼ାଉନ, ଯଦି କାହାର ସର୍ବାଧିକ କ୍ଷତି କରିଛି ତ ସିଏ ହେଉଛି ସେଇ ପ୍ରବାସୀ ଶ୍ରମିକ ।
ଅଧିକ ପଢନ୍ତୁ: କରୋନା ପରବର୍ତ୍ତୀ ସମୟରେ ବେକାରୀ ସମସ୍ୟା
ଆଜି ସେ ଦିଗହରା । ନିଜେ ଭୋଟ ଦେଇ ଗଢିଥିବା ସରକାର ଉପରୁ ଭି ଆଜି ସେ ଆସ୍ଥା ହାରିସାରିଛି । ଜନତା ଜନାର୍ଦ୍ଦନର ନାରା ଦେଉଥିବା ନେତା ଆଜି ପୁଞ୍ଜିପତିଙ୍କୁ ଆପଣାର କରିନେଇ ଯେପରି ସାଧାରଣ ଜନତାଙ୍କୁ ପର କରିଦେଇଛି, ସେଥିପାଇଁ ରୋଗରେ ମରିବା ଆଗରୁ, ଭୋକରେ ମରିଯିବାର କୋହ ଆଜି ତାକୁ ନିଜ ଘରମୁହାଁ ହେବାକୁ ବାଧ୍ୟ କରିଛି । ହଜାର ହଜାର କିଲୋମିଟର ରାସ୍ତାକୁ ପାଦରେ ଚାଲି ପାରି କରିବାକୁ ମଧ୍ୟ ସେ ପଛାଇ ନାହିଁ । ଏହି ନଜାରା ସତେ ଦେଶ ବିଭାଜନ ସମୟର ବିସ୍ଥାପନର ଦୃଶ୍ୟ ମନେ ପକାଇ ଦଉଛି ।
ଗତ ଦିନଗୁଡ଼ାକରେ ଘଟିଥିବା ଦୁର୍ଘଟଣା ସବୁ ଯେ ଏତେ ଲୋମ ଟାଙ୍କୁରା, ତାହା ଦେଖି ମନେ ହୁଏ ଯେପରି ପ୍ରାଣ ହରାଇଥିବା ଶ୍ରମିକଙ୍କ ଜୀବନର ମୂଲ୍ୟ ବହୁତ ଶସ୍ତା । ସେ ଔରଙ୍ଗାବାଦ ହେଉ ଅବା ଅଉରେୟିଆର ଘଟଣା ହେଉ ଅଥବା ବିହାର ଷ୍ଟେସନର ଘଟଣା ହେଉ । ବର୍ଷ ତମାମ ଖରା ବର୍ଷାକୁ ଖାତିର ନ କରି ଆମ ମାନଙ୍କ ସେବା ରେ ଅନବରତ ଲାଗି ପଡ଼ିଥିବା ସେଇ ଯୋଦ୍ଧା ଆଜି ଭୋକର ଯୁଦ୍ଧରେ ହାରି ଯାଇଛି ।
ସରକାରଙ୍କୁ ଅବା ପ୍ରଶ୍ନ ପଚାରିବାର ସାହସ କାହାର କେବେ ଥିଲା ନା ଅଛି । ରାଜନୀତିର ପଶାପାଲି ରେ ଦାଓ ପଡିବା ପାଇଁ ଏବେ ଶ୍ରମିକ ର ବେଳ ଆସିଛି । ଦିନେ ଭୋକ ପାଇଁ ଘର ଛାଡିଥିବା ଶ୍ରମିକ, ସେଇ ଭୋକ ଦାଉରୁ ରକ୍ଷା ପାଇବା ପାଇଁ ଆଜି ଘର ମୁହାଁ ହେଇଛି । ଆଉ ସେଥିରେ ବୋଝ ଉପରେ ନଳିତା ବିଡା ସଦୃଶ୍ୟ ହୋଇଛି ସରକାର ଓ ପୋଲିସ ର ବର୍ବରତା । କେଉଁଠି କୀଟନାଶକ ଛିଞ୍ଚନ କରାଯାଉଛି ତ କେଉଁଠି ଲାଠି ମାଡ, କେଉଁଠି ଦୁଇ ମୁଠାଏ ଖାଇବାକୁ ମିଳୁନି ତ କେଉଁଠି ଅସରାଏ ପାଣି ପାଇଁ ଶ୍ରମିକ ଜୀବନ ହାରୁଛି । ଶ୍ରମିକଙ୍କୁ ଘରେ ପହଞ୍ଚାଇବା ଠାରୁ ସରକାର ଙ୍କୁ ସତ୍ତା ସୁରକ୍ଷା ର ନିଶା ଘାରିଛି । ସରକାର-ବିରୋଧୀ ଛକାପଞ୍ଝା ଖେଳ ରେ ଆଜି ସେ ସର୍ବସ୍ୱାନ୍ତ ହୋଇଯାଇଛି ।
ନୀରିହ ଶ୍ରମିକ ମାନଙ୍କୁ ହଜାର ହଜାର କୋଟି ଟଙ୍କା ର ପ୍ୟାକେଜ ପ୍ରଲୋଭନ ଦେଖାଇ ସରକାର ଭୁତାଉଥିବା ବେଳେ, ବଦଳାଯାଉଥିବା ଶ୍ରମିକ ଆଇନ ତା ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ଚାଲିଛି ।
ଶିଳ୍ପାୟନର ବାର୍ତ୍ତା ଦେଇ, ପ୍ରଥମେ କୃଷିକାର୍ଯ୍ୟକୁ ଅବହେଳା କରି ଯୁବ ଗୋଷ୍ଠୀ ଙ୍କୁ ସହର ମୁହାଁ କରେଇବା ଓ ପରବର୍ତ୍ତୀ ସମୟରେ ସେମାନଙ୍କର ନାନା ବିଧ ଶୋଷଣ କରିବା ଆଜିକାଲି ଏକ ଟ୍ରେଣ୍ଡ ହୋଇଗଲାଣି ।
ଶୀତତାପ ନିୟନ୍ତ୍ରୀତ କୋଠରୀ ରେ ବସି ଶ୍ରମିକ ଙ୍କୁ କରା ଯାଉଥିବା ଭତ୍ସର୍ନା ଯେ ଆମ ଅସମ୍ବେଦନଶୀଳତା ଓ ଅମାନବିକତାର ପରିଚୟ ବୋଲି ଆମେ ଭୁଲି ଯାଉଅଛେ ।
ତେଣୁ ଯେ ପର୍ଯ୍ୟନ୍ତ ଶ୍ରମିକଙ୍କ ସମସ୍ୟାର ମୂଳୋତ୍ପାଟନ ନ ହୋଇପାରିଛି, ସେବେ ପର୍ଯ୍ୟନ୍ତ ଆମର ସେଇ “ଆତ୍ମନିର୍ଭର ଭାରତ” ଭି ବ୍ୟର୍ଥ ଆଉ “ସବକା ସାଥ,ସବକା ବିକାଶ” ନାରା ଭି ବ୍ୟର୍ଥ… ଆମର ସେଇ “୫ ଟଙ୍କିଆ ଆହାର” ଭି ବ୍ୟର୍ଥ ଓ “୧ ଟଙ୍କିଆ ଚାଉଳ” ଭି ବ୍ୟର୍ଥ ।
ଆଦର୍ଶ ବିହାର, ପଟିଆ, ଭୁବନେଶ୍ୱର ମୋ- ୮୯୧୭୫୮୨୨୯୪
(ଲେଖକ ସାମ୍ବାଦିକତା ବିଭାଗର ଛାତ୍ର)
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।
Comments are closed.