Latest Odisha News

BREAKING NEWS

ଲକ୍ଷାଧିକ ଏୟାରଟେଲ ଉପଭୋକ୍ତାଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍‌

ନୂଆଦିଲ୍ଲୀ : ସାମ୍ନାକୁ ଆସିଲା ବ୍ୟକ୍ତିଗତ ତଥ୍ୟ ଲିକ୍‌ର ଆଉ ସାଂଘାତିକ ଘଟଣା । ଏକ ୱେବ୍‌ ସାଇଟ୍‌ରେ ଲିକ୍‌ ହୋଇଛି ଲକ୍ଷାଧିକ ଏୟାରଟେଲ୍‌ ସିମ୍‌ ବ୍ୟବହାର କରୁଥିବା ମୋବାଇଲ ଉପଭୋକ୍ତାଙ୍କ ନମ୍ବର ସହ ଆଧାର ତଥ୍ୟ । ଏଥିରେ ବ୍ୟକ୍ତି ବିଶେଷମାନଙ୍କର ଠିକଣା, ସହର, ଘରର ନାଁ, ଆଧାର କାର୍ଡ ନମ୍ବର ଭଳି ତଥ୍ୟ ରହିଛି । ଏନେଇ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେରେ ଖବର ପ୍ରକାଶ ପାଇଛି ।

ଖବର ଅନୁସାରେ, ହ୍ୟାକ୍‌ରମାନେ ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ଏୟାରଟେଲ୍‌ ଉପଭୋକ୍ତାଙ୍କ ତଥ୍ୟ ସାର୍ବଜନୀନ କରିଛନ୍ତି । କିନ୍ତୁ ସେମାନେ ଭାରତରେ ଥିବା ସମସ୍ତ ଏୟାରଟେଲ ଉପଭୋକ୍ତାଙ୍କ ତଥ୍ୟ ରଖିଛନ୍ତି ଓ ଏହାକୁ ବିକ୍ରି କରିବାକୁ ଚାହୁଁଥିବା କହିଛନ୍ତି । ଏହି ସୂଚନାକୁ ଇଣ୍ଟରନେଟ୍‌ ସିକ୍ୟୁରିଟି ରିସର୍ଚ୍ଚର ରାଜଶେଖର ରାଜହରିଆ ଠାବ କରିଛନ୍ତି । ହ୍ୟାକ୍‌ରମାନେ ଏୟାରଟେଲ ନମ୍ବର ଠାବ କରିବା ପରେ କମ୍ପାନୀ ସହ ଯୋଗାଯୋଗ କରିଥିଲେ। ଏହାକୁ ରୋକିବାକୁ ହେଲେ ଏୟାରଟେଲ ସେମାନଙ୍କୁ ୩୫୦୦ ଡଲାରକୁ ବିଟକଏନ ଆକାରରେ ଦେବାକୁ ଧମକ ଦେଇଥିଲେ। ତେବେ ଏୟାରଟେଲ କର୍ତ୍ତୃପକ୍ଷ ଏଥିରେ ରାଜି ନ ହେବାରୁ ହ୍ୟାକରମାନେ ୱେବ ସାଇଟରେ ସମସ୍ତ‌ ତଥ୍ୟ ବିକ୍ରି କରିବାକୁ ବିଜ୍ଞାପନ ଦେଇଛନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା, ଏୟାରଟେଲ ସିଷ୍ଟମ କିମ୍ବା ସର୍ଭରରୁ ଏହି ତଥ୍ୟ ଲିକ ହୋଇନାହିଁ। ସୁରକ୍ଷା ପାଇଁ ସରକାର ଲୋକଙ୍କ ତଥ୍ୟ ରଖିଥାଆନ୍ତି। ସେହି ସର୍ଭରରୁ ଏହା ଲିକ୍‌ ହୋଇଥିବା ଅନୁମାନ କରାଯାଉଛି। କାରଣ ଲିକ୍‌ ହୋଇଥିବା ସମସ୍ତ ୨୫ ଲକ୍ଷ ଏୟାରଟେଲ ନମ୍ବର ଜମ୍ମୁ-କଶ୍ମୀର ଅଞ୍ଚଳର ବୋଲି ଜଣାପଡ଼ିଛି । ତଥ୍ୟ ଲିକ୍‌କୁ ନେଇ ହଇଚଇ ହେବା ପରେ ସଫେଇ ଦେଇଛି ଏୟାରଟେଲ୍ । କମ୍ପାନୀ କହିଛି, ଗ୍ରାହକଙ୍କ ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ କମ୍ପାନୀ ଚେଷ୍ଟା କରୁଛି । ତେବେ କମ୍ପାନୀ ତରଫରୁ ଗ୍ରାହକଙ୍କ ତଥ୍ୟ ଲିକ୍ କରାଯାଇନାହିଁ ବୋଲି କହିଛି ଏୟାରଟେଲ୍ ।

Leave A Reply

Your email address will not be published.