Latest Odisha News

କୋଷ୍ଟାଲ ହାଇଓ୍ବେ ପ୍ରକଳ୍ପକୁ ତ୍ବରାନ୍ବିତ କରିବାକୁ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ମିଶନର କୋଷ୍ଟାଲ ହାଇଓ୍ବେ ପ୍ରକଳ୍ପକୁ ତ୍ବରାନ୍ବିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ ସରକାର । ଗୋପାଳପୁରରୁ ସାତପଡ଼ା ପାଇଁ ପ୍ରକଳ୍ପର କାମ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବା ସହ ଅନୁମତି ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ବିଶେଷକରି ଭାରତମାଳା ପରିଯୋଜନାରେ ଦୀଘା-ଗୋପାଳପୁର ଉପକୂଳ ରାଜପଥ ପ୍ରକଳ୍ପ କାମକୁ ତ୍ବରାନ୍ବିତ କରିବା ଦିଗରେ ଆଲୋଚନା ହୋଇଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପର୍ଯ୍ୟଟନ ଶିଳ୍ପକୁ ତ୍ବରାନ୍ବିତ କରିବା ସହ ମତ୍ସ୍ୟ ଚାଷ, ଖାଦ୍ୟ ପ୍ରକ୍ରିୟାକରଣ, ପର୍ୟଗାର ପରିବହନରେ ବିଶେଷ ଭାବେ ସହାୟକ ହେବ । ସେହିପରି ବୈଠକରେ ଭୁବନେଶ୍ୱର ରିଙ୍ଗ ରୋଡ୍‌ ପ୍ରକଳ୍ପ ନେଇ ଆଲୋଚନା ହୋଇଥିଲା।

ଏହା ସହ ଏହି ବୈଠକରେ ପାରାଦୀପ ଠାରୁ ବଡ଼ବିଲ ମଧ୍ୟରେ ପ୍ରସ୍ତାବିତ ୮ ଲେନ ବିଶିଷ୍ଟ ୩୦୦ କିମି ଲମ୍ୱ ଅର୍ଥନୈତିକ କରିଡ଼ର ଉପରେ ଆଲୋଚନା ହୋଇଛି । ଏହି ରାସ୍ତା ପାରାଦୀପରୁ ଆରମ୍ଭ ହୋଇ ଚଣ୍ଡିଖୋଲ-ଡ଼ୁବୁରି- କେନ୍ଦୁଝର-ରିମୁଳି-ବଡରସାହୀ ଦେଇ ବଡବିଲରେ ଶେଷ ହେବ । ଏହି ପ୍ରସ୍ତାବିତ ଅର୍ଥନୈତିକ କରିଡ଼ର ଚଣ୍ଡିଖୋଲ ସମେତ ଦେଶର ସବୁଠୁ ବଡ଼ କଳିଙ୍ଗନଗର ଇସ୍ପାତ କ୍ଲଷ୍ଟରର ବିକାଶ କରିବାରେ ବଡ଼ ଭୂମିକା ଗ୍ରହଣ କରିବ। ଏହି ରାଜପଥ ଡ଼ୁବୁରି ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ତଥା ଇସ୍ପାତ, କୋଇଲା, ଲୁହା ଓ ଆଲୁମିନିୟମ୍‌ କ୍ଷେତ୍ର ପାଇଁ ମଧ୍ୟ ଅନେକ ସମ୍ଭାବନାର ସମ୍ଭାର ଆଣିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଏହି ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.