Latest Odisha News

BREAKING NEWS

ମନ୍ତ୍ରୀଙ୍କୁ ଫେଲ ହେବା ଡର ! କହିଲେ ମୋତେ ପାସ କରେଇଦିଅ

ଭୁବନେଶ୍ୱର: ରାଜସ୍ଥାନରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଲଢେ଼ଇ ତୀଵ୍ର ହେବାରେ ଲାଗିଛି। ବିଶେଷ କରି କ୍ଷମତାସୀନ କଂଗ୍ରେସ ଓ ବିଜେପି ମଧ୍ୟରେ ବାକଯୁଦ୍ଧ ତୀଵ୍ର ହେବାରେ ଲାଗିଛି।

ସେପଟେ ନିର୍ବାଚନରେ ପ୍ରମୁଖ ନେତାମାନେ କିଭଳି ନିର୍ବାଚନ ଜିତିବେ ସେ ନେଇ ପ୍ରାଣପଣେ ଉଦ୍ୟମ କରୁଛନ୍ତି। ଏହି କ୍ରମରେ ରାଜସ୍ଥାନର ମହିଳା ଓ ଶିଶୁବିକାଶ ମନ୍ତ୍ରୀଙ୍କ ଏକ ବୟାନକୁ ନେଇ ଚର୍ଚ୍ଚା ହେଉଛି।

ଦୌସାର ସିକରାୟରେ ଆୟୋଜିତ ମହିଳା ମାନଙ୍କର ଶ୍ରାବଣ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ମମତା ଭୁପେଶ ତାଙ୍କୁ ନିର୍ବାଚନରେ ପାସ କରାଇଦେବାକୁ ନିବେଦନ କରିଛନ୍ତି।

ମହିଳାଙ୍କ ଶ୍ରାବଣ ଉତ୍ସବ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସେହି କାର୍ଯ୍ୟକ୍ରମରେ ସମ୍ବୋଧିତ କରିବା ଅବସରରେ ମନ୍ତ୍ରୀ ତାଙ୍କୁ ପାସ କରାଇଦେବାକୁ କହିଛନ୍ତି। ପୂର୍ବପରି ତାଙ୍କ ଉପରେ ଆଶୀର୍ବାଦ ରଖିବାକୁ ସେ ନିବେଦନ କରିଛନ୍ତି।

ଏପରିକି ମନ୍ତ୍ରୀଙ୍କର ଆଉ କିଛି ମନ୍ତବ୍ୟକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ସରକାରୀ କର୍ମଚାରୀ ଥରେ ଚାକିରୀ କଲେ ୬୦ ବର୍ଷ ପର୍ଯ୍ୟନ୍ତ ଆଉ ପାସ ଫେଲ ହେବାର ଭୟ ନ ଥାଏ କିନ୍ତୁ ତାଙ୍କର ପ୍ରତି ପାଞ୍ଚ ବର୍ଷରେ ପରୀକ୍ଷା ହୋଇଥାଏ ବୋଲି ମନ୍ତ୍ରୀ କହିଛନ୍ତି।

ଏପରିକି ଆଗାମୀ ପରୀକ୍ଷାରେ ପାସ ହେବେକି ଫେଲ ସେ କଥା ଜଣାନାହିଁ ବୋଲି ସେ କହିଛନ୍ତି। ନିର୍ବାଚନ ପରେ ଏହି ଏ କଥା ଜଣାପଡିବ। ରାଜସ୍ଥାନ ବିଧାନସଭା ନିର୍ବାଚନରେ ଏଥର କଡା ଟକ୍କର ଦେଖିବାକୁ ମିଳିବ ବୋଲି କୁହାଯାଉଛି।

ସେଥିପାଇଁ ପ୍ରମୁଖ ଦଳ କଂଗ୍ରେସ ଓ ବିଜେପିର ନେତାମାନେ ଲୋକଙ୍କୁ ଆକର୍ଷିତ କରିବାକୁ ନିଜ ନିଜ ସ୍ତରରେ ଉଦ୍ୟମ ଜୋରଦାର କରୁଛନ୍ତି। ଏଭଳି ସ୍ଥିତିରେ ମହିଳା ଶିଶୁ ବିକାଶ ମନ୍ତ୍ରୀ ମମତା ଭୁପେଶଙ୍କ ଏଭଳି ନିବେଦନ ଚର୍ଚାର ପ୍ରସଙ୍ଗ ପାଲଟିଛି।

Leave A Reply

Your email address will not be published.