Latest Odisha News

ଏମିତି ସହର, ଯାହା ଚିଲି ସିଟି ନାମରେ ବେଶ୍ ପରିଚିତ, ଏଠାକାର ଲଙ୍କାର ଚାହିଦା ବିଦେଶରେ ଅଧିକ

ଆନ୍ଧ୍ରପ୍ରଦେଶ: ଭାରତର ପ୍ରତ୍ୟେକ ସହର ନିଜର କିଛି ସ୍ୱତନ୍ତ୍ର କାରଣକୁ ନେଇ ପ୍ରସିଦ୍ଧ ହୋଇଥାଏ । ଉତ୍ତରରେ କାଶ୍ମୀରରୁ ଦକ୍ଷିଣରେ ମୁନ୍ନାର, ପୂର୍ବରେ ଶିଲୋଙ୍ଗ ଠାରୁ ପଶ୍ଚିମରେ ଚାନ୍ଦାଲା ପର୍ଯ୍ୟନ୍ତ ପ୍ରତ୍ୟେକ ସହରର ନିଜସ୍ୱ ସୌନ୍ଦର୍ଯ୍ୟ ରହିଛି । ପ୍ରତ୍ୟେକ ସହରର ନିଜସ୍ୱ ବିଶେଷତା ଅଛି, ଯାହା ବିଷୟରେ ଲୋକମାନେ ଜାଣିବାକୁ ଆଗ୍ରହୀ ଅଟନ୍ତି । କିନ୍ତୁ ଆପଣ ଜାଣନ୍ତି କି ଚିଲି ସିଟି ଅଫ୍ ଇଣ୍ଡିଆ ସହର ବିଷୟରେ ? କାହିଁକି ଏହି ସହରର ନାମ ଚିଲି ସିଟି ରଖାଗଲା ଆସନ୍ତୁ ଜାଣିବା ।

ଭାରତର ପ୍ରାୟ ପ୍ରତ୍ୟେକ ଅଞ୍ଚଳରେ ଲଙ୍କା ଚାଷ କରାଯାଇଥାଏ । ବିଶେଷକରି ଉତ୍ତର ଭାରତରେ ଅଧିକାଂଶ ଚାଷୀ ଏହାକୁ ଚାଷ କରିଥାନ୍ତି । ଆମେ ଯେଉଁ ସହର ବିଷୟରେ କହୁଛୁ ତାହା ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଅଛି । ଗୁଣ୍ଟୁର ସହରକୁ ଚିଲି ସିଟି କୁହାଯାଏ, କାରଣ ଏଠାରେ ଅନେକ ପ୍ରକାରର ଲଙ୍କା ଚାଷ କରାଯାଏ । ଏମିତି କି ଏଠାରେ ଚାଷ କରାଯାଉଥିବା ବିଭିନ୍ନ କିଷମର ଲଙ୍କା ଆପଣ ଦେଶର ଅନ୍ୟକୌଣସି ସ୍ଥାନରେ ଦେଖିବାକୁ ପାଇବେ ନାହିଁ । ଏଠାରେ ଚାଷ କରାଯାଉଥିବା ବିଭିନ୍ନ କିଷମ ଲଙ୍କାର ଖୁବ୍ ଆଦର ରହିଛି । କିନ୍ତୁ ସେ ଭିତରୁ ‘୩୩୪’ କିଷମର ଚିଲି ପ୍ରିମିୟମ ଗୁଣବତ୍ତା ଏବଂ ସମଗ୍ର ବିଶ୍ୱରେ ଏହା ରପ୍ତାନି ହୋଇଥାଏ ।

ଗୁଣ୍ଟୁରରେ ଚାଷ ହେଉଥିବା ଲଙ୍କାକୁ ଗୁଣ୍ଟୁୁର ଲଙ୍କା ଭାବରେ ପ୍ରସିଦ୍ଧ । କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଏହାର ଚାହିଦା ରହିଛି । ଏପରିକି ଚୀନ୍‌ର ଲୋକମାନେ ଭାରତୀୟ ଲଙ୍କାକୁ ନିଜ ଲଙ୍କା ଅପେକ୍ଷା ଅଧିକ ପସନ୍ଦ କରିଥାନ୍ତି । ଏଠାକାର ଲଙ୍କା ଆପଣଙ୍କ ଖାଦ୍ୟକୁ ଉତ୍କୃଷ୍ଟ ସ୍ୱାଦ ଦେଇଥାଏ । ବାସ୍ତବରେ, ଏଥିରେ କ୍ୟାପସାଇସିନ୍ ପ୍ରଚୁର ପରିମାଣରେ ମିଳିଥାଏ, ଯେଉଁଥିପାଇଁ ଗୁଣ୍ଟୁର ଲଙ୍କାର ରଙ୍ଗ ଅତ୍ୟଧିକ ଲାଲ ହେବା ସହ ଅତ୍ୟଧିକ ରାଗ ହୋଇଥାଏ । ସାଧାରଣ ଲଙ୍କାଠାରୁ ଏହାର ରାଗ ୧୦ ଗୁଣ ଅଧିକ ହୋଇଥାଏ ।

ମସଲା ବିଷୟରେ କହିବାକୁ ଗଲେ ଭାରତ ଆଜି ବିଶ୍ୱର ସର୍ବବୃହତ ଲଙ୍କା ଉତ୍ପାଦନକାରୀ ଏବଂ ରପ୍ତାନୀକାରୀ ରାଷ୍ଟ ଭାବେ ପରିଗଣିତ ହୋଇଆସିଛି । ଏଠାରେ ପ୍ରାୟ ଦୁଇ ଡଜନ କିସମର ଲଙ୍କା ଚାଷ କରାଯାଏ । କେବଳ ଆନ୍ଧ୍ରପ୍ରଦେଶରେ ୪୦ ପ୍ରତିଶତ ଲଙ୍କା ଉତ୍ପାଦନ କରାଯାଏ । ୨୦୨୦-୨୧ ମସିହାରେ କେବଳ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରୁ ପ୍ରାୟ ୮,୪୩୦ କୋଟି ଟଙ୍କା ମୂଲ୍ୟର ଲଙ୍କା ରପ୍ତାନି ହୋଇଥିଲା, ଯାହା ଭାରତର ମୋଟ ରପ୍ତାନୀର ଅଧାରୁ ଅଧିକ ଥିଲା । ଏବେ ରାଜ୍ୟର ସମସ୍ତ ଜିଲ୍ଲାରେ ଗୁଣ୍ଟୁର ଲଙ୍କା ଚାଷ କରାଯାଉଛି ।

Leave A Reply

Your email address will not be published.