Latest Odisha News

ମନ୍ତ୍ରୀ ରାଜା ସ୍ୱାଇଁଙ୍କ ପୁତୁରାଙ୍କ ଜାମିନ୍ ଖାରଜ, ୩୦ରୁ ଜେଲରେ କଟୁଛି ଦିନ

କଟକ: ବିଚ ରାସ୍ତାରେ ବସର ଦୁଇ କର୍ମଚାରୀଙ୍କୁ ଆଣ୍ଠେଇ ମାଡ ମାରିବା ଘଟଣାରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପୁତୁରା ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ଅମରେନ୍ଦ୍ର ସ୍ୱାଇଁଙ୍କ ଜାମିନ୍ ଆବେଦନ ଖାରଜ। କଟକର ଜେଏମଏଫସି କୋର୍ଟ ବୁଧବାର ଜାମିନ ଆବେଦନ ଖାରଜ କରିଦେଇଛନ୍ତି। ଜାମିନ୍ ମିଳିଲେ ପ୍ରମାଣ ନଷ୍ଟ କରିପାରନ୍ତି ଶାସକ ଦଳର ଏହି ନେତା। ତେଣୁ କୋର୍ଟ ପ୍ରମାଣ ନଷ୍ଟ ହେବା ଆଶଙ୍କରା ଜାମିନ୍ ଖାରଜ କରିଛନ୍ତି।

କୋର୍ଟରେ ଜାମିନ୍ ଆବେଦନର ଶୁଣାଣି ବେଳେ ପୋଲିସ ଅମରେନ୍ଦ୍ରଙ୍କ ବିରୋଧରେ ଥିବା ମାମଲାର ଷ୍ଟାଟସ ରିପୋର୍ଟ ଦାଖଲ କରିଥିଲା। ମୋଟ୍ ୬ଟି କେସ ରହିଛି ଅମରେନ୍ଦ୍ର ଓରଫ ଭିକିଙ୍କ ନାଁରେ। ହେଲେ ପୂର୍ବରୁ ୨ଟି ମାମଲାରେ ଶାସକ ଦଳର ଏହି ନେତା ନିର୍ଦ୍ଦୋଷରେ ଖଲାସ ହୋଇସାରିଛନ୍ତି। ସେହିପରି ରାସ୍ତାରେ ଆଣ୍ଠେଇ ମାରିବା ଘଟଣାରେ ଷ୍ଟାଟସ ରିପୋର୍ଟ ମଧ୍ୟ ପୁଲିସ ଦାଖଲ କରିଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଲେ ବଡ ବଡ ଅପରାଧୀଙ୍କୁ ସାବାଡ କରି ଲୋକଙ୍କ ଆସ୍ଥାଭାଜନ ହୋଇଥିବା କମିଶନରେଟ ପୋଲିସ ଭିକିଙ୍କର ଅନ୍ୟ ସାଙ୍ଗକୁ ଖୋଜିବାରେ ବିଫଳ ହୋଇଛି। ରାସ୍ତାରେ ଆଣ୍ଠେଇ ମାଡ ମାରିବା ବେଳେ ଭିକିଙ୍କ ସହିତ ତାଙ୍କର ଅନେକ ସହଯୋଗୀ ଥିଲେ। କିନ୍ତୁ ଏହି ମାମଲାରେ ପୋଲିସ ଭିକିକୁ ଗିରଫ କରିବା ପରେ ସହଯୋଗୀ ଏରିଆ ଛାଡି ଚମ୍ପଟ ମାରିଥିବା ଜଣାପଡିଛି। ସେମାନଙ୍କ ନମ୍ବର ସୁଇଚ ଅଫ୍ ଥିବାରୁ ପୋଲିସ ସେମାନଙ୍କୁ ଖୋଜି ବାହାର କରିବାରେ ସମର୍ଥ ହୋଇନଥିବା ସୂଚନା ରହିଛି।

ସେପଟେ ଅମରେନ୍ଦ୍ର ଗିରଫ ହେବା ପରେ ତାଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ମହିଳାଙ୍କୁ ଅଶାଳୀନ ବ୍ୟବହାର କରିବା ସହିତ ଧମକ ଦେଉଥିବାର ଦେଖିବାକୁ ମିଳିଛି। ପୋଲିସ ଏହି ଭିଡିଓକୁ ନେଇ ତଦନ୍ତ କରୁଥିବା ଜଣାପଡିଛି। ସଂପୃକ୍ତ ମହିଳାଙ୍କ ନିକଟରେ ପୋଲିସ ପହଞ୍ଚିଛି। ହେଲେ ସେଦିନ ଭିକିର ଆତଙ୍କ ଦେଖି ଏବେ ସେ ଶାସକ ଦଳର ଏହି ନେତାଙ୍କ ବିରୋଧରେ ଏତଲା ଦେବାକୁ ଭୟ କରୁଥିବା କହିଛନ୍ତି। ଉଲ୍ଲେଖଯୋଗ୍ଯ, ନଭେମ୍ବର ୩୦ରୁ ଅମରେନ୍ଦ୍ର ଗିରଫ ହୋଇ ଚୌଦ୍ୱାର ଜେଲରେ ରହିଛନ୍ତି।

Leave A Reply

Your email address will not be published.