Latest Odisha News

BREAKING NEWS

ଭୁବନେଶ୍ୱରରେ ନାବାଳିକାଙ୍କୁ ଜାଲରେ ଫସାଇଲା ସୋସିଆଲ ମିଡିଆର ‘ରାକ୍ଷସ’!

ଭୁବନେଶ୍ୱର: ମୋବାଇଲ୍ ସ୍କ୍ରିନ୍‌ରେ ଆସିଥିବା ସେହି ଗୋଟିଏ ‘ଫ୍ରେଣ୍ଡ ରିକୁଏଷ୍ଟ’ ଏବଂ କିଛି ମିଠା ମିଠା ଚାଟିଂ ଭିତରେ ଯେ ଏଭଳି ଏକ କଳା ସତ୍ୟ ଲୁଚି ରହିଥିଲା, ତାହା ବୋଧହୁଏ କେହି ହଠାତ ବୁଝିପାରିନଥିବ। ଆଉ ଏହି ଜାଲରେ ଫସିଯାଇଛନ୍ତି ଜଣେ ନାବାଳିକା | ସ୍ମାର୍ଟଫୋନର ଭର୍ଚୁଆଲ ଦୁନିଆରେ ତିଆରି ହୋଇଥିବା ସମ୍ପର୍କର ମଲାଟ ଯେତେବେଳେ ବାସ୍ତବ ଜୀବନରେ ଖୋଲିଲା, ସେତେବେଳେ ସବୁକିଛି ଛାରଖାର ହୋଇଗଲା।

 

ରାଜଧାନୀ ଭୁବନେଶ୍ୱରରୁ ସାମ୍ନାକୁ ଆସିଛି ସୋସିଆଲ ମିଡିଆ ବନ୍ଧୁତ୍ୱର ଏକ ଅତି କଦର୍ଯ୍ୟ ରୂପ। ଜଣେ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ, ବୁଲାଇବା ବାହାନାରେ ଡାକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ଇନଷ୍ଟାଗ୍ରାମ ପ୍ରେମିକକୁ ଗିରଫ କରିଛି ପୋଲିସ। କିନ୍ତୁ ଏହି ଘଟଣା ଆଜିର ସ୍ମାର୍ଟଫୋନ ପିଢ଼ିର ସୁରକ୍ଷା ପ୍ରତି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

 

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ପ୍ରାୟ କିଛି ମାସ ତଳେ ଇନଷ୍ଟାଗ୍ରାମ ଜରିଆରେ ସମ୍ପୃକ୍ତ ନାବାଳିକା ଜଣକ ଅଭିଯୁକ୍ତ ଯୁବକର ସଂସ୍ପର୍ଶରେ ଆସିଥିଲେ। ପ୍ରଥମେ ହାଏ-ହେଲୋ ଏବଂ ପରେ କଥାବାର୍ତ୍ତା ବଢ଼ି ବଢ଼ି ପ୍ରେମର ରୂପ ନେଇଥିଲା। ଯୁବକ ଜଣକ ନିଜର ଚେହେରା ଓ ମିଠା କଥାରେ ନାବାଳିକାଙ୍କ ମନରେ ସମ୍ପୂର୍ଣ୍ଣ ବିଶ୍ୱାସ ଜନ୍ମାଇ ଦେଇଥିଲା। ଗତକାଲି ସେ ଦେଖା କରିବା ବାହାନାରେ ନାବାଳିକାଙ୍କୁ ଏକ ନିଛାଟିଆ ସ୍ଥାନକୁ ଡାକି ନେଇଥିଲା। ସେଠାରେ ସେ ନିଜର ଅସଲ ରୂପ ଦେଖାଇବା ସହ ନାବାଳିକାଙ୍କ ସରଳତାର ସୁଯୋଗ ନେଇ ତାଙ୍କ ସହ ଜବରଦସ୍ତି ସାରୀରିକ ସମ୍ପର୍କ ରଖିଥିଲା।

 

ଘରକୁ ଫେରିବା ପରେ ନାବାଳିକା ଜଣକ ନିଜ ପରିବାର ଆଗରେ ସମସ୍ତ ବିଷୟ କହି କାନ୍ଦି ପକାଇଥିଲେ। ଏହାପରେ ପରିବାର ପକ୍ଷରୁ ସ୍ଥାନୀୟ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା। ମାମଲାର ଗୁରୁତ୍ୱକୁ ଦେଖି ପୋଲିସ ତୁରନ୍ତ ଆକ୍ସନ ମୋଡ୍‌କୁ ଆସିବା ସହ ବୈଷୟିକ ଜ୍ଞାନକୌଶଳ ଓ ମୋବାଇଲ ଟ୍ରାକିଂ ସାହାଯ୍ୟରେ ଅଭିଯୁକ୍ତକୁ କାବୁ କରିଛି। ତାଙ୍କ ବିରୋଧରେ ପୋକ୍ସୋ ଆକ୍ଟ ସମେତ ବିଭିନ୍ନ ସଙ୍ଗୀନ ଦଫାରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.