ଭୁବନେଶ୍ୱର: ଓଡିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ତଥା ବିଧାୟକ ଆକାଶ ଦାସ ନାୟକ ନିଜ ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳିଛନ୍ତି । ସେ ପ୍ରତିବର୍ଷ ତାଙ୍କ ଜନ୍ମଦିନକୁ ଅନାଥ ଆଶ୍ରମର କୁନି କୁନି ପିଲା, ସେବାଶ୍ରମର ଅନ୍ତେବାସୀ, ମୁକବଧୀର ବିଦ୍ୟାଳୟର ଛାତ୍ରଛାତ୍ରୀ, ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହିତ ପାଳନ କରିଆସୁଛନ୍ତି ।
ଚଳିତ ବର୍ଷ ମଧ୍ୟ ଆକାଶ ଭୁବନେଶ୍ୱରର ଉତରା ସ୍ଥିତ ଶ୍ରୀ କ୍ରୀଷ୍ଣା ଆନନ୍ଦ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ଗହଣରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି । ଆକାଶ ତାଙ୍କ ଜନ୍ମଦିନ ଉପଲକ୍ଷେ ଏହି ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ପାଇଁ ନିଃଶୁଳ୍କ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଆୟୋଜନ କରିଥିଲେ । ସ୍ପର୍ଶ ହସ୍ପିଟାଲର ମୁଖ୍ୟ ଡାକ୍ତର ପ୍ରିୟବ୍ରତ ଧୀରଙ୍କ ତତ୍ୱାବଧାନରେ ହସ୍ପିଟାଲର ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ଅନ୍ତେବାସୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଆବଶ୍ୟକ ଔଷଧ ମାଗଣାରେ ଦିଆଯାଇଥିଲା ।
ଏହି ଅନ୍ତେବାସୀଙ୍କ ମନୋରଞ୍ଜନ ପାଇଁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜନ୍ମଦିନରେ ଏହି ଅନ୍ତେବାସୀଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଆକାଶଙ୍କର ଏହା ଥିଲା ନିଆରା ପ୍ରୟାସ । ବୃଦ୍ଧାଶ୍ରମର କର୍ମକର୍ତା ଓ ଅନ୍ତେବାସୀମାନେ ଆକାଶଙ୍କ ଜନ୍ମଦିନ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ଆକାଶଙ୍କୁ ଅନ୍ତେବାସୀମାନେ ପାଖରେ ପାଇ ବହୁତ ଖୁସି ହେବା ସଙ୍ଗେ ସଙ୍ଗେ ତାଙ୍କ ଦୀର୍ଘ ଜୀବନ ସୁଖମୟ ହେବା ପାଇଁ ଭଗବାନଙ୍କ ପାଖରେ ଶୁଭ ମନାସୀ ଥିଲେ ଏବଂ କେକ୍ କାଟି ଜନ୍ମଦିନ ପାଳନ କରିଥିଲେ । ଆକାଶ ଅନ୍ତେବାସୀଙ୍କ ସହ ଖୁସି ବାଂଟିଥିଲେ ।
ସେ କହିଥିଲେ – “ଖୁସି ବାଂଟିଲେ, ଖୁସି ବଢେ” । ଆକାଶଙ୍କର ସିନେ ପ୍ରଶଂସକ, ରାଜନୈତିକ ପ୍ରଶଂସକ, ବୁଦ୍ଧିଜୀବୀ ମହଲକୁ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିବାରେ ଲାଗିଛି । ଅନେକ ବିଶିଷ୍ଟ ବ୍ୟକ୍ତି ଆକାଶଙ୍କୁ ତାଙ୍କର ଜନ୍ମଦିନ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।
ଏହି ଜନ୍ମଦିନ ପାଳନ ଉତ୍ସବରେ ସ୍ପର୍ଶ ହସ୍ପିଟାଲର ଡାକ୍ତରୀ ଦଳ, ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟର ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ଉପସଭାପତି ଡଃ ସୂର୍ଯ୍ୟପ୍ରକାଶ ଏସ୍. ଚୌଧୁରୀ, ଶୁଭଶ୍ରୀ ମଙ୍ଗରାଜ, ଦେବୀ ପ୍ରସାଦ ମଙ୍ଗରାଜ, ବୈଷ୍ଣବ ଭୋଳ, ପୱନ ପାତ୍ରୋ, ଜୋଷିକା ବୋଷ, କିଶୋର ଚନ୍ଦ୍ର ଦାସ, ଆଦିତ୍ୟ ଚୌଧୁରୀ, ବାବୁ ବାବୁ, ସୌଦାମିନୀ ସାରଦା, ଅଂଶ ଦାସନାୟକ, ତାପସ, ୟାମିନୀ, ଇପ୍ସିତା ପ୍ରିୟଦର୍ଶିନୀ, ଭାଗ୍ୟଧର ସାମଲ, ଅସିତ ସାହୁ, ଅଜାତ ଶତ୍ରୁ ଏବଂ “ଉଡ୍ର” ଚାରିଟେବୁଲ୍ ଟ୍ରଷ୍ଟର ସମସ୍ତ କର୍ମକର୍ତାମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।
Comments are closed.