Latest Odisha News

BREAKING NEWS

ବିଜେଡ଼ି ଅମଳରେ ରାଜ୍ୟରେ ଭୁଶୁଡ଼ିଛି ସ୍ୱାସ୍ଥ୍ୟ ବ୍ୟବସ୍ଥା : ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ କରୋନା ମହାମାରୀ ବିରୁଦ୍ଧ ଲଢେଇରେ ‘ସ୍ୱାସ୍ଥ୍ୟ ପରିଚାଳନାର’ ଭାରତବର୍ଷର ପରାକାଷ୍ଠାକୁ ବିଶ୍ୱ ଦରବାରରେ ପ୍ରମାଣିତ କରିଛନ୍ତି । ଜାତିସଂଘ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମେତ ବିଶ୍ୱର ବିକଶିତ ଓ ପ୍ରଭାବଶାଳୀ ରାଷ୍ଟ୍ରଗୁଡିକ ମୋଦିଜୀଙ୍କୁ ପ୍ରଶଂସା କରିଛନ୍ତି । ୨୦୧୪ ପୂର୍ବରୁ ସ୍ୱାସ୍ଥ୍ୟ ପରିଚାଳନାରେ ଅତ୍ୟନ୍ତ ଦୁର୍ବଳ ରାଷ୍ଟ୍ର ଭାବେ ପରିଗଣିତ ଭାରତବର୍ଷ, ଆଜି ଦୃତ ଗତିରେ ବିକଶିତ ହେବାରେ ଲାଗିଛି । ୨୦୧୪ ପୂର୍ବରୁ ଉନ୍ନତମାନର ଚିକିତ୍ସା ପାଇଁ ବିଦେଶୀ ରାଷ୍ଟ୍ର ଉପରେ ନିର୍ଭରଶୀଳ ଭାରତବର୍ଷ, ଆଜି ମୋଦିଙ୍କ ଯୁଗରେ ଚିକିତ୍ସା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭାରତ ବିଶ୍ୱର ନେତୃତ୍ୱ ନେଉଛି । ଏହା ଦ୍ୱାରା ବିଦେଶୀମାନେ ଭାରତକୁ ଆସି କମ୍ ମୂଲ୍ୟରେ ଉନ୍ନତମାନର ଚିକିତ୍ସା ପାଇବେ ଏବଂ ଦେଶର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ। ଅକ୍ସିଜେନ ସିଲିଣ୍ଡର, ପିପିଇ କିଟ୍‌, ଭ୍ୟାକ୍‌ସିନ ରପ୍ତାନୀ କ୍ଷେତ୍ରରେ ଭାରତ ଅଗ୍ରଣୀ ରାଷ୍ଟ୍ର ହୋଇଛି।

‘ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟଃ’କୁ ମୁଳମନ୍ତ୍ର କରି ମୋଦିଜୀ ଦେଶବାସୀଙ୍କୁ ମୌଳିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ କାର୍ଯ୍ୟରତ । ଅନ୍ୟ ପଟେ ବିଜେଡି ଶାସନରେ ଓଡିଶାର ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ସରକାରୀ ମେଡିକାଲରେ ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫଙ୍କ ଅଭାବ ଯୋଗୁଁ ଲୋକେ ଚିକିତ୍ସା ପାଇବାରୁ ବଂଚିତ ହେଉଥିବା କାରଣରୁ ବାଧ୍ୟ ହୋଇ ବ୍ୟୟବହୁଳ ଘରୋଇ ଡାକ୍ତରଖାନା ଉପରେ ନିର୍ଭରଶୀଳ ହେଉଛନ୍ତି । ରାଜ୍ୟରେ ସ୍ୱାସ୍ଥ୍ୟସେବା ପୂରା ହୁଗୁଳା ପଡିଥିବାବେଳେ ମିଛ ବିଜ୍ଞାପନ ଓ ପ୍ରଚାର ପ୍ରସାରରେ ମାତିଛନ୍ତି ରାଜ୍ୟ ସରକାର ବୋଲି ବିଧାୟକ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଜୀ ଦେଶବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା କରିଛନ୍ତି । ଆୟୁଷ୍ମାନ ଭାରତ ଯୋଜନା ଜରିଆରେ ୩୧ କୋଟି ଭାରତୀୟ ଉପକୃତ ହୋଇଛନ୍ତି । ଜନ ଔଷଧି କେନ୍ଦ୍ରଗୁଡିକରେ ୨୦୦୦ରୁ ଉର୍ଦ୍ଧ୍ୱ ଔଷଧ ଏବଂ ମେଡିକାଲ ସରଞ୍ଜାମ ଅତ୍ୟନ୍ତ ଶସ୍ତା ମୂଲ୍ୟରେ ଉପଲବ୍ଧ । ଅତ୍ୟନ୍ତ ଶସ୍ତା ମୂଲ୍ୟରେ ଔଷଧ ଯୋଗାଇ ଦେବା ପାଇଁ ଦେଶବ୍ୟାପୀ ୧୦୦୦୦ରୁ ଉର୍ଦ୍ଧ୍ୱ ଜନ ଔଷଧି କେନ୍ଦ୍ର ଖୋଲାଯାଇଥିବାବେଳେ ୨୫ ହଜାର କୋଟି ଟଙ୍କା ସଂଚୟ ସମ୍ଭବ ହୋଇଛି । ଓଡିଶାରେ ୪୮୮ଟି ଜନ ଔଷଧି କେନ୍ଦ୍ର ଖୋଲାଯାଇଛି ଏବଂ ୭୮୦ କୋଟି ଟଙ୍କା ସଂଚୟ ସମ୍ଭବ ହୋଇଛି । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାରେ ଓଡିଶାରେ ୭୨୫୧ଟି େଓ୍‌ôଲନେସ ସେଂଟର ଖୋଲାଯାଇଛି ।

ଅନ୍ୟପଟେ ୨୪ ବର୍ଷର ଶାସନ ପରେ ବି ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ୪୭ ହଜାର ଡାକ୍ତର ଆବଶ୍ୟକ ଥିବାବେଳେ ମାତ୍ର ୨୭ ହଜାର ଡାକ୍ତର ଅଛନ୍ତି । ରାଜ୍ୟର ୨୮୨୮୫ ନର୍ସିଂ ଅଫିସର ମଧ୍ୟରୁ ୧୭୩୮୫ ପଦ ଖାଲି, ୩୪୯୦ ଫାର୍ମାସିଷ୍ଟ ପଦବୀରୁ ୯୯୮ ପଦବୀ ଖାଲି, ୨୨୩୫ ଲ୍ୟାବରୋଟରୀ ଟେକନିସିଆନ ପଦବୀରୁ ୯୧୫ ଖାଲି, ୬୯୫ ରେଡିଓଲୋଜିଷ୍ଟ ପଦବୀରୁ ୩୭୮ ଖାଲି ପଡିଛି । ନିର୍ବାଚନୀ ଇସ୍ତାହାରରେ ରାଜ୍ୟର ୩ଟି ପ୍ରମୁଖ ମେଡିକାଲ କଲେଜକୁ ବିଶ୍ୱସ୍ତରୀୟ କରିବେ ବୋଲି ଘୋଷଣା କରିଥିଲା ବିଜୁ ଜନତା ଦଳ, ମାତ୍ର ତାହା ପାଣିର ଗାର ହୋଇ ରହିଗଲା । ରାଜ୍ୟର ସର୍ବବୃହତ ମେଡିକାଲ କଲେଜ କଟକ ସ୍ଥିତ ଏସ୍‌ସିବି ମେଡିକାଲ କଲେଜରେ ରୋଗୀମାନେ ପାନୀୟ ଜଳ ପାଇଁ ହାହାକାର ହେଉଛନ୍ତି । ରାଜ୍ୟର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପାଇଁ ରୋଗୀଙ୍କ ସଂଖ୍ୟା ବଢୁଛି ।

ଓଡ଼ିଶାର ସ୍ୱାସ୍ଥ୍ୟସେବା ବିଶ୍ୱସ୍ତରୀୟ ବୋଲି ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀ ନିଜେ ସରକାରୀ ହସ୍ପିଟାଲ ନଯାଇ କାହିଁକି ଦିଲ୍ଲୀ ସ୍ଥିତ ଘରୋଇ ହସ୍ପିଟାଲ ମେଦାନ୍ତକୁ ଯାଉଛନ୍ତି ? ରାଜ୍ୟର ୩-୩ ଜଣ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତଃ ଡା.ଦାମ ରାଉତ, ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଏବଂ ଶ୍ରୀ ନବ ଦାସଙ୍କୁ ସରକାରୀ ଡାକ୍ତରଖାନାରେ ଚିକିତ୍ସା କରାନଯାଇ ଏୟାରଲିପ୍ଟ ସହାୟତାରେ କାହିଁକି ଘରୋଇ ହସ୍ପିଟାଲକୁ ନିଆଯାଇଥିଲା ? ଯଦି ଶାସକ ବିଜେଡିର ମନ୍ତ୍ରୀମାନେ ସରକାରୀ ହସ୍ପିଟାଲରେ ଉପଯୁକ୍ତ ଚିକିତ୍ସା ପାଇବାରୁ ବଂଚିତ ହେଉଛନ୍ତି, ତାହାଲେ ସାଧାରଣ ଓଡ଼ିଶାବାସୀଙ୍କ ଅବସ୍ଥା କ’ଣ ହେଉଥିବ ତାହା ସ୍ପଷ୍ଟ ଅନୁମେୟ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।

କେନ୍ଦ୍ରୀୟ ଯୋଜନାକୁ ହାଇଜାକ କରି ନିଜ ଯୋଜନାରେ ନାମିତ କରିବାରେ ଓଡିଶା ସରକାର ପାରଙ୍ଗମ । ଆୟୁଷ୍ମାନ ଯୋଜନାକୁ ଓଡିଶାରେ ଲାଗୁ କରିବା ପାଇଁ ବାରମ୍ବାର ଅନୁରୋଧ କରିବା ପରେ ବି ନିଜ ଜିଦ୍‌ରେ ଅଟଳ ଥିବା ମୁଖ୍ୟମନ୍ତ୍ରୀ ଏଭଳି ଏକ ଜନକଲ୍ୟାଣକାରୀ ଯୋଜନାକୁ ଲାଗୁ କରୁନାହାଁନ୍ତି କାହିଁକି? ମୋଦିଜୀଙ୍କ ଯୋଜନାରେ ନବୀନ ବାବୁ ନିଜ ଦଳୀୟ ରଙ୍ଗ ଓ ଚିହ୍ନ ଲଗାଇ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି । ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ ନକରି ନବୀନ ବାବୁ ରଙ୍ଗୀନ ସ୍ୱପ୍ନ ଦେଖାଇବା ଦୁର୍ଭାଗ୍ୟଜନକ । ବାସ୍ତବରେ ରାଜ୍ୟ ସରକାରଙ୍କ କଥା ପ୍ରବଳ ଏବଂ କାର୍ଯ୍ୟ ଦୁର୍ବଳ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି । ଏହି ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ୍ ଉପସ୍ଥିତ ଥିଲେ ।

Leave A Reply

Your email address will not be published.