Latest Odisha News

BREAKING NEWS

ଭୁବନେଶ୍ୱର କୋର୍ଟରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଟ୍ରାଞ୍ଜିଟ ରିମାଣ୍ଡରେ ନେବ ପୋଲିସ

ଭୁବନେଶ୍ୱର: ଗତ ୧୨ ତାରିଖ ଦିନ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ବେଳେ ଲୋକଙ୍କୁ ଗାଡି ମଡାଇ ଦେବା, ପରେ ଲୋକଙ୍କ ମାଡରେ ଲହୁଲୁହାଣ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ସ୍ଥାନାନ୍ତର ହୋଇଛନ୍ତି । ଏହାପରେ ପୁଲିସ ଏହି ବାହୁବଳୀ ବିଧାୟକଙ୍କୁ ଭୁବନେଶ୍ୱର କୋର୍ଟରେ ହାଜର କରିଛି । ବିଧାୟକଙ୍କୁ ପୁଲିସ ଟ୍ରାଞ୍ଜିଟ୍ ରିିମାଣ୍ଡରେ ନେବ ବୋଲି ସୂଚନା ରହିଛି । ବିଧାୟକଙ୍କୁ ହସ୍ପିଟାଲରୁ କୋର୍ଟ ଆଣିବା ବେଳେ ୪ ଜଣିଆ ପୁଲିସ ଟିମ୍ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଥିଲେ।

ସୁରକ୍ଷା ଟିମରେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ଖୋର୍ଦ୍ଧା ସଦର ଏସଡିପିଓ, ସୁଶୀଲ କୁମାର ମିଶ୍ର, ଟାଙ୍ଗି ଥାନା ଅଧିକାରୀ ବିଜୟ କୁମାର ମଲ୍ଲିକଙ୍କ ସହିତ ଅତିରିକ୍ତ ଏସପି ଖୋର୍ଦ୍ଧା ସୁରେଶ ଦାସ ରହିଛନ୍ତି ।

ଲୋକଙ୍କ ମାଡରେ ଲହୁଲୁହାଣ ହେବା ପରେ ପ୍ରଶାନ୍ତ ଜଗଦ୍ଦେବ ସମ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଜି ସେ ସୁସ୍ଥ ହେବା ପରେ ହସ୍ପିଟାଲ ଉପରେ ବିଧାୟକ ଚାପ ରକାଇଥିବା ସୂଚନା ରହିଛି । ଏମିତିକି ଜେଲ୍ ଯିବା ଭୟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ବିଲ୍ ପୈଠ କରୁନଥିଲେ ବୋଲି ସୂଚନା ରହିଛି । ହେଲେ ପୁଲିସ ପ୍ରଶାସନର ଚାପ ଆଗରେ କାମ କରିନଥିଲା ବିଧାୟକ ପ୍ରଶାନ୍ତଙ୍କ ଦବଙ୍ଗଗିରି ।

ଉଲ୍ଲେଖଯୋଗ୍ୟ, ୧୨ ତାରିଖ ଦିନ ବିଜେପି କର୍ମୀଙ୍କ ଉପରେ ଚିଲିକା ବିଧାୟକ ଗାଡି ମଡାଇ ଦେଇଥିଲେ । ଏଥିରେ ଅନେକ ପୁଲିସ ଅଧିକାରୀ, ସାମ୍ବାଦିକ ଏବଂ ବିଜେପି କର୍ମୀ ଆହତ ହୋଇଥିଲେ । ବିରୋଧୀ ଏହାକୁ ନେଇ ଶାସକ ଦଳ ବିଜେଡିକୁ ଘେରିଥିଲା । ଦଳରୁ ନିଲମ୍ବିତ ହୋଇଥିଲେ ମଧ୍ୟ ଦଳୀୟ ଅଫିସ ଏବଂ କାର୍ଯ୍ୟକ୍ରମରେ ପ୍ରଶାନ୍ତଙ୍କ ସକ୍ରିୟତାକୁ ନେଇ ବିରୋଧୀ ବିଜେଡିକୁ ଘେରିଥିଲା। ହେଲେ ବିଜେଡି ପ୍ରେସମିଟ୍ କରି କହିଥିଲା ବିଧାୟକ ଯାହା କରିଛନ୍ତି ନିନ୍ଦନୀୟ । ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏହା ପୂର୍ବରୁ ଜଣେ ବିଜେପି ନେତାଙ୍କୁ ମାଡ ମାରିବା ଅଭିଯୋଗରେ ହାଇକୋର୍ଟ ଦ୍ୱାରା ଜେଲ୍ ଦଣ୍ଡ ପାଇଥିଲେ । ହେଲେ ସେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଉ ସେହିଠାରେ ହିଁ ଜାମିନ୍ ପାଇଯାଇଥିଲେ।

Leave A Reply

Your email address will not be published.