ନୂଆଦିଲ୍ଲୀ: ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଖୁସି ଖବର ଦେଇଛନ୍ତି ମୋଦି ସରକାର । ମହଙ୍ଗା ଭତ୍ତା (DA) ରେ ଦୁଇ ପ୍ରତିଶତ ବୃଦ୍ଧିକୁ ଅନୁମୋଦନ କରିଛନ୍ତି କେନ୍ଦ୍ର କ୍ୟାବିନେଟ୍ । ଏହି ନିଷ୍ପତ୍ତି ପରେ କର୍ମଚାରୀମାନଙ୍କ ପାଇଁ DA ଏବେ ବୃଦ୍ଧି ପାଇବ ।
କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ କର୍ମଚାରୀମାନଙ୍କ ପାଇଁ ମୋଟ ମହଙ୍ଗା ଭତ୍ତା ୫୮ ପ୍ରତିଶତରୁ ବୃଦ୍ଧି ପାଇ ୬୦ ପ୍ରତିଶତ ହୋଇଛି । ଏହି ବୃଦ୍ଧି ପ୍ରାୟ ୫୦ ଲକ୍ଷ ସରକାରୀ କର୍ମଚାରୀ ଏବଂ ୬.୫ ଲକ୍ଷରୁ ଅଧିକ ପେନସନଭୋଗୀଙ୍କୁ ସିଧାସଳଖ ଲାଭ ଦେବ । ଏଥି ଯୋଗୁଁ ସେମାନଙ୍କର ମାସିକ ଦରମା ଏବଂ ପେନସନ ବୃଦ୍ଧି ପାଇବ ।
କେନ୍ଦ୍ର ସରକାର ସାଧାରଣତଃ ବର୍ଷକୁ ଦୁଇଥର ଡିଏ ଜାନୁଆରୀ ଏବଂ ଜୁଲାଇରେ ସମୀକ୍ଷା କରନ୍ତି । ତେବେ ଏହି ଘୋଷଣା ପ୍ରାୟ ସେପ୍ଟେମ୍ବର ଶେଷ ସୁଦ୍ଧା କରାଯାଇଥାଏ, କିନ୍ତୁ ଏଥର ଏହା ଏପ୍ରିଲରେ କରାଯାଇଥିବାରୁ କର୍ମଚାରୀମାନେ ବକେୟା ସହିତ ସେମାନଙ୍କର ଦେୟ ପାଇବା ଆଶା କରିପାରିବେ । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ପାଇଁ ଅପେକ୍ଷା କରିଥବା କର୍ମଚାରୀମାନଙ୍କୁ ଯଥେଷ୍ଟ ଆଶ୍ୱସ୍ତି ଦେଇଛି ।