Latest Odisha News

BREAKING NEWS

ଆଠ ବର୍ଷ ସରକାରର ସଫଳତା ତାଲିକା ଜାରି କରିବ ବିଜେପି

ନୂଆଦିଲ୍ଲୀ: ମେ ୨୬ରେ ମୋଦୀ ସରକାର ତାଙ୍କ ଆଠ ବର୍ଷର ଶାସନରେ ସଫଳତାର ଏକ ତାଲିକା ଜାରି କରିବ। ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହେବ ବୋଲି ସୂଚନା ରହିଛି । ୨୦୧୪ ମେ ୨୬ରେ ଦେଶର ୧୪ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ନରେନ୍ଦ୍ର ମୋଦୀ ।

ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସମେତ ବିଜେପିର ବରିଷ୍ଠ ନେତାମାନେ ଏହି ରିପୋର୍ଟ କାର୍ଡ ପ୍ରସ୍ତୁତ କରୁଛନ୍ତି। ରିପୋର୍ଟ କାର୍ଡ ଜରିଆରେ ମୋଦୀ ସରକାର ପୂର୍ବ ସରକାର ଏବଂ ତାଙ୍କ ସରକାର କଣ କରିଛନ୍ତି ତାକୁ ତୁଳନାତ୍ମକ ଭାବେ ଦର୍ଶାଇବେ ବୋଲି ସୂଚନା ରହିଛି । ତେଣୁ ଏକ ଟିମ୍ ବିଭିନ୍ନ ତଥ୍ୟ ସଂଗ୍ରହରେ ଲାଗିଛନ୍ତି।

ଦେଶର ବୈଦେଶିକ ନୀତି ଏବଂ ବିଶ୍ୱ ନେତା ଭାବେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ରେଟିଂକୁ ମଧ୍ୟ ଏହି ରିପୋର୍ଟ କାର୍ଡରେ ନିଆଯାଇପାରେ। ୟୁକ୍ରେନରୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ସ୍ଥାନାନ୍ତର, କୋଭିଡ ବେଳେ ମାଗଣା ରାସନ ଯୋଜନା, କୋଭିଡ ଟିକାକରଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, କିଷାନ ସମ୍ମାନ ନିଧି ଏବଂ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଭଳି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପଗୁଡିକ ମୋଦୀ ସରକାର ତାଙ୍କ ରିପୋର୍ଟ କାର୍ଡରେ ଉପସ୍ଥାପନ କରିବେ ବୋଲି ସୂଚନା ରହିଛି।

ତେବେ ମେ ୨୬ ତାରିଖରେ ଗଣମାଧ୍ୟମରେ ରିପୋର୍ଟ କାର୍ଡ ଜାରି କରିବା ପାଇଁ ଏକ ବଡ଼ କାର୍ୟ୍ୟକ୍ରମର ଆୟୋଜନ ବିଜେପି କରିବ ବୋଲି ଜଣାପଡିଛି। ରିପୋର୍ଟ କାର୍ଡ ଉପସ୍ଥାପନ ବେଳେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ସମତେ ସହଯୋଗୀ ଦଳର ସଦସ୍ୟ ମଧ୍ୟ ଉପସ୍ଥିତ ରହିପାରନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନର ରେଳ ପ୍ରକଳ୍ପ ଯେପରିକି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ, ବୁଲେଟ ଟ୍ରେନର ସବିଶେଷ ବିବରଣୀ ବାବଦରେ କୁହାଯାଇପାରେ। ଏଥିପାଇଁ ବିଭିନ୍ନ ବିଭାଗକୁ ରିପୋର୍ଟ ମଗାଯାଇଥିବା ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ମୋଦୀ ସରକାର ଦୀର୍ଘ ଆଠ ବର୍ଷର କାର୍ଯ୍ୟକାଳ ବେଳେ ଅନେକ ଉପଲବ୍ଧ କରିଛନ୍ତି ବୋଲି କୁହାଯାଏ । କିନ୍ତୁ ଦେଶର ଅର୍ଥନୀତିକୁ ସଜାଡିବାରେ, ବେରୋଜଗାରୀ କମାଇବାରେ, ରାଷ୍ଟ୍ରୀୟ କମ୍ପାନୀକୁ ଘରୋଇ କରଣ କରି ବିରୋଧୀଙ୍କ ଦ୍ୱାରା ସମାଲୋଚନାର ଶିକାର ହୁଅନ୍ତି । ତେଣୁ ସରକାର ରିପୋର୍ଟ କାର୍ଡ ଉପସ୍ଥାପନ କରିବା ବେଳେ ଏ ଦିଗରେ କଣ ରିପୋର୍ଟ ରଖୁଛନ୍ତି ତାହା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.